ଆସିକା: ପ୍ରାତଃ ଭ୍ରମଣ କରୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ମାଉସୀ ଓ ଝିଆରୀଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳାଙ୍କ ୫ ବର୍ଷର ପୁଅ ରକ୍ଷା ପାଇଯାଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅନ୍ତର୍ଗତ ମୂଆପାଲିର ରଶ୍ମିତା ପରିଡ଼ା (୨୮), ତାଙ୍କ ୫ ବର୍ଷର ପୁଅ ଓ ଝିଆରୀ ଆଶାରାଣୀ ଖଣ୍ଡୁଆଳ ପ୍ରତିଦିନ ଭଳି ପ୍ରାତଃ ଭ୍ରମଣ କରୁଥିଲେ। ସେମାନେ ରାଜ୍ୟ ରାଜପଥରେ କୋଟିନଡ଼ା ଫାଣ୍ଡିଠାରୁ ଅନତି ଦୂରରେ ଚାଲୁଥିବା ବେଳେ ପଛପଟୁ ଏକ ଅଜଣା ଗାଡ଼ି କ୍ଷୀପ୍ର ବେଗରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ରଶ୍ମିତା ପରିଡ଼ା ଓ ଝିଆରୀ ଆଶାରାଣୀ ଖଣ୍ଡୁଆଳଙ୍କର ପ୍ରାଣହାନି ଘଟିଥିଲା। ତେବେ ୫ ବର୍ଷର ପୁଅଙ୍କର ପ୍ରାଣରକ୍ଷା ହୋଇଯାଇଥିଲା। ମୃତ ରଶ୍ମିତା ପରିଡ଼ା ୮ ମାସର ଗର୍ଭବତୀ ଥିଲେ ବୋଲି ଜଣାଯାଇଛି।

Advertisment

ଖବର ପାଇ ଆସିକା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ଆସିକା ଡାକ୍ତରଖାନାକୁ ଆଣିଛି। ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ିକୁ ଧରିବା ପାଇଁ ପୁଲିସ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି।