ମାଲକାନଗିରି:  ଓଡ଼ିଶାର ଗଞ୍ଜାମରୁ ଗୁଜରାଟକୁ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୭ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଛତିଶଗଡ଼ର ରାୟପୁର ନିକଟବର୍ତ୍ତୀ ଛେରିଖେଡ଼ିରେ ଗଞ୍ଜାମରୁ ଗୁଜରାଟକୁ ଯାଉଥିବା ବସର ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଏହାଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ପ୍ରାଣହାନି ଘଟିଥିଲା ବେଳେ  ଅନ୍ୟଜଣେ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର ବାସିନ୍ଦା ଓ ସେମାନେ ଗୁକରାଟର ସୁରତ ଯାଉଥିଲେ।  ଏଯାବତ୍ ମୃତକମାନଙ୍କ ପରିଚୟ ମିଳିନାହିଁ। ଆହତମାନଙ୍କୁ ନିକଟସ୍ଥ ଆମ୍ବେଦକର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସରେ ୬୦ରୁ ୭୦ ଜଣ ଯାତ୍ରୀ ଥିବାର ସୂଚନା ରହିଛି। ଦୁର୍ଘଟଣାଗ୍ରସ୍ତ ବସର ନାମ ‘ଶିବାଂଶ’ ଓ ଏହାର ନମ୍ବର ଏନଏଲ୍ ୦୩ ବି ୦୯୮୭।

Advertisment

publive-image

ଏହି ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲାର ୭ଜଣଙ୍କ ଅକାଳ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତକମାନଙ୍କ ସମ୍ପର୍କୀୟଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏହାଛଡ଼ା ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ  ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଏଥିସହ  ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବାକୁ ତୁରନ୍ତ ରାୟପୁର ଯିବାକୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଛତିଶଗଡ଼ ଡିଜିପିଙ୍କ  ସହ ସମନ୍ୱୟ ରକ୍ଷା କରିବାକୁ ଓଡ଼ିଶା ଡିଜିପିଙ୍କୁ ନିର୍ଦେଶ ଦେଇଛନ୍ତି ।