ଟ୍ରକ୍ ଧକ୍କାରେ ପୋଲର ୩୫ ଫୁଟ ତଳକୁ ଖସିଲା ହାଇୱା, ହେଲପର୍ ମୃତ, ଡ୍ରାଇଭର୍ ଗୁରୁତର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ତୋଡ଼ା ପୋଲ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏଠାରେ ଏକ ଟ୍ରକ୍ ସହ ହାଇୱାର ମୁଁହାମୁହିଁ ଧକ୍କା ହୋଇଥିଲା l ମାଲବୋଝଇ ଟ୍ରକ ଧକ୍କା ଦେବାରୁ ହାଇୱା ପୋଲର ୩୫ ଫୁଟ ତଳକୁ ଖସି ପଡ଼ିଥିଲା l ଘଟଣାସ୍ଥଳରେ ହେଲପରଙ୍କର ମୃତ୍ୟୁ ହୋଇଥିଲା ବେଳେ ଡ୍ରାଇଭର୍ ଗୁରୁତର ହୋଇଥିବା ଜଣାଯାଇଛି l

ମୃତ ହେଲପର୍ ଜଣକ ହେଲେ ଝାଡ଼ଖଣ୍ଡ ଚାଇବସା ହୁଆଙ୍ଗ  ଡ଼ିହିର ମାଲଗୁ ମୁଣ୍ଡା (୨୩) l କୋଇଡ଼ା ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ି ଜବତ କରିଛି l ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ  ଘଟଣାର ତଦନ୍ତ ଚଳାଇଛି l

ମିଳିଥିବା ସୂଚନା ମୁତାବକ ହାଇୱା (ଓଡି ୦୯ ଜି -୨୧୩୮) ମାଲ ଅନଲୋଡିଂ କରି ତୋଡ଼ାରୁ କାଲଟା ଆସୁଥିଲା l ଅପରପାର୍ଶ୍ଵରୁ ମାଲ ବୋଝେଇ ଟ୍ରକ (ଓଡି ୨୩ଜି ୭୯୬୩) ଆସୁଥିଲା l ତୋଡ଼ା ପୋଲ ଉପରେ ଟ୍ରକ୍ ହାଇୱାକୁ ଧକ୍କା ଦେଇଥିଲା l ହାଇୱା ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା l ସ୍ଥାନୀୟ ଲୋକ ଉଭୟ ଡ୍ରାଇଭର୍ ଓ ହେଲପରଙ୍କୁ ଉଦ୍ଧାର କରି କୋଇଡ଼ା ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର