ଦୁର୍ଘଟଣା ଦେଖି ଆମ୍ବୁଲାନ୍ସକୁ ଫୋନ୍‌ କରୁଥିବା ବେଳେ ଚଢ଼ିଗଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଚାଲିଗଲା ୨ ଜୀବନ

ଯାଜପୁର: ଚଣ୍ଡିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର ଜେନାପୁର ଥାନା ଅନ୍ତର୍ଗତ ବାଘୁଆଛକରେ ଆଜି ଦୁଇଟି ଟ୍ରକ୍ ଦୁଇଟି ବାଇକକୁ ଧକ୍କାଦେବା ଫଳରେ ୨ ଜଣ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବାର ଜଣାଯାଇଛି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ଜେନାପୁର ଥାନା ଆଇଆଇସି ସୁଶାନ୍ତ କୁମାର ଦାସ ତଥା ଧର୍ମଶାଳା ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତି ଆନ୍ଦୋଳନସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଘୋଷଣା ପରେ ରାସ୍ତାରୋକ ହଟିଥିଲା ।

ଘଟଣାରୁ ପ୍ରକାଶ ଯେ ଆଜି ଅପରାହ୍ନ ୩ଟା ବେଳେ ସୁକିନ୍ଦାର ବନମାଳୀ ଦ୍ୱିବେଦୀଙ୍କ ପୁଅ ଚନ୍ଦ୍ରଶେଖର( ୪୨) ନିଜ ପାସନ୍ ପ୍ଲସ (ଓଆର୦୪ଜେ ୩୮୧୩) ବାଇକ୍ ଯୋଗେ ଚଣ୍ଡିଖୋଲରୁ ଡୁବୁରି ଅଭିମୁଖେ ଯାଉଥିବା ବେଳେ ବାଘୁଆଛକ ନିକଟରେ ସାମନାରୁ ଆସୁଥିବା ଏକ ୧୦ ଚକିଆ ଟ୍ରକ୍ ତାଙ୍କୁ ଧକ୍କାଦେଇ ଫେରାର ହୋଇଯାଇଥିଲା । ସେହି ସମୟରେ ଜେନାପୁର ଥାନା କବାଟବନ୍ଧ ଗ୍ରାମର କାଙ୍ଗାଳି ବେହେରାଙ୍କ ପୁଅ ଅଜୟ ଓରଫ ଟିକିନା (୪୫) ନିଜ ହିରୋ ସିବିଜେଡ (ଓଆର୦୪ଏମ୍ ୨୬୬୩) ବାଇକ୍ ଯୋଗେ ଚଣ୍ଡିଖୋଲ ଆଡ଼େ ଯାଉଥିଲେ । ଦୁର୍ଘଟଣା ଦେଖି ବାଇକରୁ ଓହ୍ଲାଇ ଆମ୍ବୁଲାନ୍ସକୁ ଫୋନ କରୁଥିବା ବେଳେ ଚଣ୍ଡିଖୋଲପଟୁ ଡୁବୁରି ଆଡେ ଯାଉଥିବା ଏକ ସିମେଣ୍ଟ ବୋଝେଇ ୧୦ ଚକିଆ ଟ୍ରକ (ଓଆର୦୯ ଜି ୭୫୧୯) ତାଙ୍କ ଉପରେ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ଟିକିନାଙ୍କର ମୃତ୍ୟୁ ଘଟିଥିଲା । ଚନ୍ଦ୍ରଶେଖରଙ୍କର ସମ୍ପର୍କୀୟ ଲୋକେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ କଳିଙ୍ଗନଗରସ୍ଥିତ ଟାଟା ମେଡିକାଲକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦୁର୍ଘଟଣାପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଚଣ୍ଡିଖୋଲ-ଡୁବୁରି ରାଜପଥ ଅବରୋଧ କରିଥିଲେ ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ଶହଶହ ଗାଡି ଅଟକି ରହିଥିଲା । ଜେନାପୁର ଥାନା ଆଇଆଇସି ସୁଶାନ୍ତ କୁମାର ଦାସ ଓ ଧର୍ମଶାଳା ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତି ଦୁର୍ଘଟଣାସ୍ଥଳରେ ପହଞ୍ଚି  ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ରେଡକ୍ରସ ପାଣ୍ଠିରୁ ମୃତ ଟିକିନାଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରିବାରୁ ଏକ ଘଣ୍ଟାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

ମୃତ ଚନ୍ଦ୍ରଶେଖରଙ୍କର ଶବକୁ ବ୍ୟବଛେଦ ପାଇଁ ଦାନଗଦୀ ମେଡିକାଲ ନିଆଯାଇଥିବା ବେଳେ ଟିକିନାଙ୍କ ଶବକୁ ବ୍ୟବଛେଦ ପାଇଁ ବଡଚଣା ପଠାଯାଇଥିବାର ଜଣାଯାଇଛି । ଜେନାପୁର ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇଟି ବାଇକ ଓ ସିମେଣ୍ଟ ବୋଝେଇ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବାର ଜଣାଯାଇଛି ।

ସମ୍ବନ୍ଧିତ ଖବର