ଦୁର୍ଘଟଣାଗ୍ରସ୍ତ ଗାଡି ଯାଞ୍ଚ ବେଳେ ଧରାପଡ଼ିଲା ଅନିୟମିତତା : ଟ୍ରାକ୍ଟରକୁ ୫୩ ହଜାର ଓ ବସ ଉପରେ ୨୭ ହଜାର ଟଙ୍କା ଜରିମାନା

ସମ୍ବଲପୁର :  ଗତକାଲି  ଯୁଯୁମରା ଥାନା ଥର୍ଲି ବ୍ରିଜରେ ଟ୍ରାକ୍ଟରକୁ ବସ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଓ ୩ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ପରିବହନ ବିଭାଗ ଓ ପୁଲିସର ଯାଂଚ ବେଳେ ସାମ୍ନାକୁ ଆସିଛି ସାଂଘାତିକ ସତ । ଦୁର୍ଘଟଣାଗ୍ରସ୍ତ ଉଭୟ ଟ୍ରାକ୍ଟର ଓ ବସର କାଗଜପତ୍ର ଠିକ ନ ଥିବାରୁ ମୋଟା ଅଙ୍କର ଫାଇନ କଷିଛି ପରିବହନ ବିଭାଗ । ଟ୍ରାକ୍ଟରର ଫିଟନେସ ୨୦୧୮ରୁ ନ ଥିବାରୁ ଓ କାଗଜପତ୍ର ଠିକ ନ ଥିବାରୁ ୫୩ ହଜାର ୨ଶହ ଟଙ୍କା ଫାଇନ କରାଯାଇଛି । ସେହିପରି ବସର ଫିଟନେସ, ପଲ୍ୟୁସନ, ଇନସ୍ୟୁରାନ୍ସ ନଥିବାରୁ ୨୭ ହଜାର ଟଙ୍କାର ଚାଲାଣ କାଟିଛି ପରିବହନ ବିଭାଗ ।

ସୂଚନାଯୋଗ୍ୟ, ରିଆମାଳରୁ ସମ୍ବଲପୁର ଯାଉଥିବା ‘ପ୍ରଧାନ’ ନାମକ ଘରୋଇ ଯାତ୍ରୀବାହୀ ବସ୍ ଗତକାଲି ସକାଳ ପ୍ରାୟ ୧୦: ୪୦ ସମୟରେ ଟ୍ରଲିରେ ପାଞ୍ଚଜଣ ଶ୍ରମିକଙ୍କୁ ବସାଇ ନେଉଥିବା ସେ ଟ୍ରାକ୍ଟର୍ ପଛରେ ଧକ୍କା ଖାଇଥିଲା । ଫଳରେ ଶ୍ରମିକମାନଙ୍କ ସହ ଟ୍ରାକ୍ଟରର ଟ୍ରଲିଟି ଓଲଟି ପଡ଼ିଥିଲା । ଅତି ସାଙ୍ଘାତିକ ଆହତ ହୋଇଥିବା ସେ ଶ୍ରମିକମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ପହଞ୍ଚିବା ପରେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିସାରିଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ । ଆଉ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା ।

ସମ୍ବନ୍ଧିତ ଖବର