ସିମୁଳିଆ/ଖଇରା: ପାଇଖାନା ଟାଙ୍କି କାମ ବେଳେ ଭିତରେ ଜମିଥିବା ପାଣି ବାହାର କରୁଥିଲେ। ଏତିକି ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଘର ମାଲିକଙ୍କ ପୁଅ ଏବଂ ଅନ୍ୟ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ।

Advertisment

ସୂଚନା ଅନୁସାରେ; ଖଇରା ଥାନା ଅଧୀନ ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗ୍ରାମର ହୃଷୀକେଶ ମାଝୀ ପାଇଖାନା ଟାଙ୍କି କାମ କରାଉଥିଲେ। କାମ ଚାଲିଥିବା ବେଳେ ବର୍ଷା ଯୋଗୁ ଭିତରେ ପାଣି ପଶିଯାଇଥିଲା। ଆଜି ମଧ୍ୟାହ୍ନରେ ହୃଷୀକେଶଙ୍କ ପୁଅ ବାପି ମାଝୀ (୨୮)ଙ୍କ ସହ ଦୁଇଜଣ ଶ୍ରମିକ; ଗ୍ରାମର ବାବାଜୀ ମାଝୀ (୫୪) ଓ ବଡ଼ଜୟିପୁର ପଞ୍ଚାୟତ ତେନ୍ତୁଳିଆ ଗ୍ରାମର ନରହରି ବେହେରା (୪୨) ଟାଙ୍କି ଭିତରେ ପଶି ଜମିଥିବା ପାଣି ବାହାର କରୁଥିଲେ। ତେବେ ଏହି ସମୟରେ ଏକ ବିଦ୍ୟୁତ୍‌ ତାର ଛିଣ୍ଡି ଟାଙ୍କିରେ ଖସିପଡ଼ିଥିଲା। ଫଳରେ ବାପି, ବାବାଜୀ ଓ ନରହରି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ।

ଘଟଣାସ୍ଥଳରେ ବାପିଙ୍କ ମୃତ୍ୟୁ ଘଟିଥିବା ବେଳେ ବାବାଜୀ ଓ ନରହରିଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟ ବାବାଜୀ ଓ ନରହରିଙ୍କ ମୃତ୍ୟୁ ଘଟିଥିଲା। ଏବେ ୩ଟି ଯାକ ଶବକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନାରେ ରଖାଯାଇଛି। ଅନ୍ୟପଟେ ପଞ୍ଚାୟତିରାଜ, ଗ୍ରାମ୍ୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ ଓ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଡାକ୍ତରଖାନା ଯାଇ ମୃତକଙ୍କ ଶେଷଦର୍ଶନ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।