କରୋନା ଭୟରେ ଫେରୁଥିବା ବେଳେ ଦୁର୍ଘଟଣା: ସ୍ତ୍ରୀ ମୃତ, ସ୍ବାମୀ ଓ ୩ ପୁଅଝିଅ ଆହତ

ଦାରିଙ୍ଗବାଡ଼ି: ଘାରିଥିଲା କରୋନା ଆଶଙ୍କା। ହେଲେ ଗୋଟିଏ ଆଶଙ୍କାରୁ ମୁକୁଳିବାକୁ ଯାଇ ଦୁର୍ଘଟଣାରେ ପ୍ରାଣ ଦେବାକୁ ପଡ଼ିଛି। ଗତକାଲି ଏମିତି ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି। ଭୁବନେଶ୍ବରରେ କରୋନାଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ନିଜ ପରିବାରର ସୁରକ୍ଷା ପାଇଁ ‌ସେଠାରୁ ବାଇକ୍‌ ଯୋଗେ ଫେରୁଥିବା ବେଳେ ଖୋର୍ଦ୍ଧା ନିକଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ବ୍ରାହ୍ମଣୀଗାଁ ଥାନା ହାତୀମୁଣ୍ଡା ପଞ୍ଚାୟତ ଅଲାପିଲୁ ଗ୍ରାମର ଅଜିତ ବଳିଆରସିଂଙ୍କ ପରିବାର। ଘଟଣାସ୍ଥଳରେ ପତ୍ନୀ କନକଲତା ବଳିଆରସିଂ(୩୦)ଙ୍କ ମୃତ୍ୟୁ ହୋଇଥିବା ‌ବେଳେ ସ୍ବାମୀ ଓ ୨ଝିଅ ଓ ଗୋଟିଏ ପୁଅ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ବେଳେ ମୃତା ପତ୍ନୀଙ୍କ ଶବ ବ୍ୟବଚ୍ଛେଦ ପରେ ଗ୍ରାମକୁ ଅଣାଯିବା ବ୍ୟବସ୍ଥା କରାଯାଇଛି ବୋଲି ତାଙ୍କ ଦାଦା ପ୍ରକାଶ ବଳିଆରସିଂ ସୂଚନା ଦେଇଛନ୍ତି।

ଅଜିତ ପରିବାର ସହ ଭୁବନେଶ୍ୱରରେ ରହି ମଜୁରୀ କାମ କରୁଥିଲେ। ପାଖରେ ସ୍ତ୍ରୀ କନକ ସମେତ ଦୁଇ ଝିଅ ଓ ପୁଅ ରହୁଥିଲେ। ଗୋଟିଏ ପଟେ କରୋନା ସଂକ୍ରମଣ ଯୋଗୁଁ କୌଣସି କାମ ମିଳୁ ନଥିଲା। ଅନ୍ୟପଟେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବାରୁ ଭୟ ବି ଘାରିଥିଲା। ତେଣୁ ପରିବାର ନେଇ କୌଣସି ମତେ ଏକ ବାଇକ୍‌ରେ ଗାଁକୁ ବାହାରିଥିଲେ। ହେଲେ ଖୋର୍ଦ୍ଧା ନିକଟରେ ଅଜିତଙ୍କ ବାଇକ୍‌କୁ ପିକ୍‌ଅପ୍‌ ବୋଲେରୋ ପଛପଟୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ ପଛରେ ବସିଥିବା ପତ୍ନୀ ସମେତ ୨ଝିଅ ଓ ପୁଅ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ସ୍ତ୍ରୀ କନନଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର