କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଯାଇଛି ଅଭାବନୀୟ ଘଟଣା। ରାସ୍ତାରେ ପିଚୁ କାମ ଚାଲିଥିଲା ବେଳେ ସ୍ଥାନୀୟ ରେକୁଳା ସତ୍‌ସଙ୍ଗ କେନ୍ଦ୍ର ସମ୍ମୁଖରେ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି। ସୋମବାର ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ରାସ୍ତା କାମରେ ନିୟୋଜିତ ପୂର୍ତ୍ତ ବିଭାଗର ଜଣେ କର୍ମଚାରୀ  କ୍ଷୀରୋଦ ସାହୁ (୪୦), ଶ୍ରମିକ ବାବୁଲି ଶବର (୪୭)ଙ୍କ ମୃତ୍ୟୁ ଘଟିଥିବା ବେଳେ ଶ୍ରମିକ ବିଶ୍ବନାଥ ମୁଣ୍ଡ (୩୨) ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

Advertisment

ପୂର୍ତ୍ତ ବିଭାଗର ଜଣେ କର୍ମଚାରୀ, ଶ୍ରମିକ ମୃତ; ଅନ୍ୟଜଣେ ଗୁରୁତର
କ୍ଷତିପୂରଣ ଦାବିରେ ପାଞ୍ଚ ଘଣ୍ଟା ରାସ୍ତାରୋକ
୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସୂଚନା ଅନୁସାରେ, କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାର ରେକୁଳା ସତ୍‌ସଙ୍ଗ କେନ୍ଦ୍ର ସାମ୍ନା ରାସ୍ତାରେ ପିଚୁକାମ ହେଉଥିଲା। ଶ୍ରମିକମାନେ ଏହି କାର୍ଯ୍ୟରେ ନିୟୋଜିତ ଥିବାବେଳେ କାମ ତଦାରଖ ପାଇଁ ପୂର୍ତ୍ତ ବିଭାଗ କର୍ମଚାରୀ ସେଠାରେ ଉପସ୍ଥିତ ଥିଲେ। ଏହି ସମୟରେ ଏକ ହାଇୱା ଢେଙ୍କାନାଳ ଆଡୁ ଦ୍ରୁତ ଗତିରେ ଆସି ପିଚୁଢଳା କାର୍ଯ୍ୟରେ ନିୟୋଜିତ ରୋଲର୍ ମେସିନ୍ ଉପରେ ଚଢ଼ି ଯାଇଥିଲା। ଫଳରେ ପିଚୁ ରୋଲିଂ କରୁଥିବା ରୋଲର୍ ମେସିନ୍ ଓ ପାଖରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ମଝିରେ ୨ଜଣ ଶ୍ରମିକ ଓ ପୂର୍ତ୍ତ ବିଭାଗର ଜଣେ କର୍ମଚାରୀ ଚାପି ହୋଇ ଯାଇଥିଲେ। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କାମାକ୍ଷାନଗର ଡାକ୍ତରଖାନାରେ ଶ୍ରମିକ ବାବୁଲି ଶବର (୪୭)ଙ୍କ ମୃତ୍ୟୁ ଘଟିଥିଲା।  କ୍ଷୀରୋଦ ସାହୁ (୪୦) ଓ  ବିଶ୍ବନାଥ ମୁଣ୍ଡ (୩୨)ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କ୍ଷୀରୋଦ ସାହୁଙ୍କ ମୃତ୍ୟୁ ଘଟିଛି।

ବିଶ୍ବନାଥ ଚିକିତ୍ସାଧୀନ ଅଛନ୍ତି। ବାବୁଲିଙ୍କ ଘର ଦେବଗଡ଼ ଜିଲ୍ଲା ବାରକୋଟ ଥାନା ରେତବ ଗ୍ରାମରେ। ଗୁରୁତର ଆହତ ବିଶ୍ବନାଥ ମୁଣ୍ଡଙ୍କ ଘର ପାଳଲହଡ଼ା ଥାନା ଅନ୍ତର୍ଗତ କୃତ୍ତିବାସପୁରରେ। ଏହି ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରେ ଟାୟାର ଜାଳି ଆଜି ସକାଳ ୭ଟାରୁ ଦିନ ୧୨ଟା ଯାଏଁ ରାସ୍ତାରୋକ କରିଥିଲେ। ଫଳରେ ୫ ଘଣ୍ଟା ଧରି ଏହି ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ଖବର ପାଇ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ଉପଜିଲ୍ଲାପାଳ ଦୀନମଣି ନାୟକ, ଥାନା ଅଧିକାରୀ ଆଶିଷ କୁମାର ଜେନା ଓ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସେଠୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ପ୍ରାଥମିକ ଭାବେ ରେଡ୍‌କ୍ରସ୍‌ ପାଣ୍ଠିରୁ ମୃତକଙ୍କ ପରିବାରକୁ ୩୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ପୂର୍ତ୍ତ ବିଭାଗରେ କାର୍ଯ୍ୟରତ କ୍ଷୀରୋଦ ସାହୁଙ୍କ ପରିବାରର ଜଣଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ପରେ ରାସ୍ତାରୋକ  ପ୍ରତ୍ୟାହୃତ ହୋଇଥିଲା।