ଦୁର୍ଘଟଣାରେ ମହିଳା ମୃତ୍ୟୁକୁ ନେଇ ଉତ୍ତେଜନା: ପୁଲିସ୍‌-ଜନତା ଧସ୍ତାଧସ୍ତି

କେନ୍ଦୁଝର-ଯାଜପୁରରୋଡ଼ ରାସ୍ତା ସଂପୂର୍ଣ୍ଣ ଅଚଳ

ବ୍ୟାସନଗର: ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ବ୍ୟାସନଗର ସହରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ହଜାରହଜାର ଲୋକ କେନ୍ଦୁଝର-ଯାଜପୁରରୋଡ ରାସ୍ତାକୁ ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକ ଓ ପୁଲିସ୍‌ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ରାସ୍ତାର ଉଭୟ ପଟେ ଶହ ଶହ ଗାଡ଼ି ମଟର ଅଟକି ରହିଥିଲା। ପ୍ରଶାସନର ପ୍ରତିଶ୍ରୁତି ସହିତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।ମୃତ ମହିଳା ହେଲେ, ବ୍ୟାସନଗର ପୌରାଞ୍ଚଳ ରମ୍ପାସ ଗ୍ରାମର ନିରଞ୍ଜନ ମଲିକଙ୍କ ସ୍ତ୍ରୀ ମମତା(୨୨)। ଆଜି ଅପରାହ୍ନ ୪ଟା ସମୟରେ ଉଭୟ ସ୍ୱାମୀ-ସ୍ତ୍ରୀ ସହର ଅନ୍ତର୍ଗତ ଚୋରଦା ଛକ ଏଟିଏମ୍‌ରୁ ଟଙ୍କା ଉଠାଇ ଫେରୁଥିବାବେଳେ ଏକ ଟ୍ରକ୍‌ (ଓଡ଼ି-୩୪ବି-୦୯୯୦) ସେମାନଙ୍କୁ ଧକ୍କା ଦେଇଥିଲା। ଦୁହେଁ ଛିଟିକି ପଡ଼ିଥିବା ବେଳେ ମମତାଙ୍କ ଉପରେ ଟ୍ରକ୍‌ଟି ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ମମତାଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇଯାଇଥିଲା। ନିରଞ୍ଜନ ଅଳ୍ପକେ ବର୍ତ୍ତି ଯାଇଥିଲେ। ମାତ୍ର ତାଙ୍କ ସ୍ପ୍ଲେଣ୍ଡର୍‌ ପ୍ଲସ୍‌ ବାଇକ୍‌ (ଓଡ଼ି-୩୪ବି-୩୮୨୮)କୁ ଟ୍ରକ୍‌ କିଛି ବାଟ ଘୋଷାରି ନେଇଥିଲା। ଟ୍ରକ୍‌ଟି ଅଟକି ଯିବାରୁ ସ୍ଥାନୀୟ ଲୋକେ ଚାଳକକୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଉତ୍ତେଜିତ ଲୋକଙ୍କ କବଳରୁ ପୁଲିସ୍‌ ଚାଳକକୁ ଉଦ୍ଧାର କରି ଥାନାକୁ ନେଇଯାଇଥିଲା।

ଏହି ଦୁର୍ଘଟଣାର ପ୍ରତିବାଦରେ ହଜାର ହଜାର ଲୋକ କେନ୍ଦୁଝର-ଯାଜପୁରରୋଡ଼୍‍ ରାସ୍ତାକୁ ଅବରୋଧ କରି ରଖିଥିଲେ। ରାସ୍ତା ଅବରୋଧ ହଟାଇବା ପାଇଁ ପୁଲିସ ଜୋରଦାର ପ୍ରୟାସ ଜାରି ରଖିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଓ ପୁଲିସ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଜିଲ୍ଲାପାଳ ଘଟଣାସ୍ଥଳକୁ ନ ଆସିବା ପର୍ଯ୍ୟନ୍ତ ରାସ୍ତାରୋକରୁ ହଟିବେ ନାହିଁ ବୋଲି ଉତ୍ତ୍ୟକ୍ତ ଲୋକେ ଅଡ଼ି ବସିଥିଲେ। ଫଳରେ, ରାସ୍ତାର ଉଭୟ ପଟେ ଶହ ଶହ ଗାଡ଼ି ମଟର ଅଟକି ରହିଥିଲା।

ଖବର ପାଇ କଳିଙ୍ଗନଗର ଅତିରିକ୍ତ ଏସ୍‌ପି ରାଜକିଶୋର ଦୋରା , ବ୍ୟାସନଗର ତହସିଲ୍‌ଦାର ସପନ କୁମାର ନନ୍ଦ, ଯାଜପୁରରୋଡ଼ ଏସ୍‌ଡ଼ିପିଓ ଯୁଗଳ କିଶୋର ଦାସ, ଆଇଆଇସି ଶିଶିର କୁମାର ମିଶ୍ର, କଳିଙ୍ଗନଗର ଆଇଆଇସି ରାଜୀବ ଲୋଚନ ପଣ୍ଡା, ସୁକିନ୍ଦା ଆଇଆଇସି, ଟମ୍‌କା ଥାନା ଆଇଆଇସି, ଧର୍ମଶାଳା ଆଇଆଇସି, ସଦଳବଳ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକାରୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳ ଅସୁସ୍ଥ ଥିବାରୁ ଆସି ପାରିନଥିଲେ। ଶ୍ରୀ ଦୋରା ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସହରକୁ ଭାରୀ ଯାନ ବନ୍ଦ କରାଯିବ । ମିଲିଟାରୀ ଛକରୁ ଅଗ୍ନିଶମ କାର୍ଯ୍ୟାଳୟ ପର୍ଯ୍ୟନ୍ତ ତିନିମାସ ମଧ୍ୟରେ ରାସ୍ତା ସମ୍ପୂର୍ଣ୍ଣ କରାଯିବ। ସୋମବାର ତହସିଲ୍‌ଦାର, ଯାଜପୁରରୋଡ଼ ଆଇଆଇସିଙ୍କ ସହ ଏକ ୬ ଜଣିଆ ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ସ୍ଥିର ହୋଇଥିଲା। ଏହାପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ଏକ ପ୍ଲାଟୁନ୍‌ ଫୋର୍ସ ଘଟଣା ସ୍ଥଳରେ ଉପସ୍ଥିତ ରହି ଗାଡ଼ି ଚଳାଚଳ ସ୍ୱାଭାବିକ କରିଥିଲେ। ରାତିରେ ପୁଲିସ୍‌ ଶବ ଜବତ୍‌ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଟ୍ରକ୍‌ ଚାଳକକୁ ଗିରଫ୍‌ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର