ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଅନିଶ କୁମାର ସାହୁ (୧୩)ଙ୍କ ଟ୍ରେନ୍ ଧକ୍କାରେ ମୃତ୍ୟୁ ଘଟିଛି। ପରୀକ୍ଷା ଦେଇ ସାରିବା ପରେ ଆଜି ପୂର୍ବାହ୍ନ ୧୧ଟା ୪୫ରେ ସ୍କୁଲରୁ ବରଗୋଡ଼ା ମେସକୁ ଫେରୁଥିଲେ ଅନିଶ। ରାସ୍ତାରେ ପଡ଼ୁଥିବା ରେଳଧାରଣାରେ ଏକ ମାଲବାହୀ ଟ୍ରେନ୍ ଅତିକ୍ରମ କରୁଥିଲା। କେନ୍ଦୁଝରରୁ ଟମକା ଆଡ଼କୁ ଯାଉଥିବା ଟ୍ରେନ୍ଟି ଚାଲିଯିବା ପରେ ଅନିଶ ରେଳ ଧାରଣା ଅତିକ୍ରମ କରୁଥିଲେ। ସେହି ସମୟରେ ଅପରପାର୍ଶ୍ବରେ ହରିଚନ୍ଦନପୁରରୁ କେନ୍ଦୁଝର ଆଡ଼କୁ ଆସୁଥିବା ଆଉ ଏକ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଅନିଶଙ୍କ ମୃତ୍ୟୁ ଘଟିଥିଲା। ଅନିଶ ଘସିପୁରା ବ୍ଲକ ନାରଙ୍ଗପୁର ଗ୍ରାମର ଧର୍ମେନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ବୋଲି ଜଣାପଡ଼ିଛି। ଘଟଣା ପରେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକଙ୍କ ସମେତ ଗ୍ରାମବାସୀ ରେଳଧାରଣାରେ ଛାତ୍ରଙ୍କ ଶବ ରଖି ଅବରୋଧ କରିବାରୁ ଏହି ଲାଇନ୍ରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା। ଶିକ୍ଷା ବିଭାଗ ପକ୍ଷରୁ ୨ ଲକ୍ଷ ଟଙ୍କା ସହାୟତା ଓ ମୃତକଙ୍କ ପିତାଙ୍କୁ ରେଡକ୍ରସ ପକ୍ଷରୁ ତହସିଲଦାର ୨୫ ହଜାର ଟଙ୍କାର ଚେକ୍ ପ୍ରଦାନ କରିବା ପରେ ଉତ୍ତ୍ୟକ୍ତ ଲୋକେ ରେଳଧାରଣାରୁ ହଟିଥିଲେ।
ଟ୍ରେନ୍ ଧକ୍କାରେ ଛାତ୍ର ମୃତ, ୫ ଘଣ୍ଟା ଟ୍ରେନ୍ ବନ୍ଦ
/sambad/media/post_attachments/wp-content/uploads/2019/03/Untitled-10-9.jpg)