ଦୁର୍ଘଟଣା ଘଟାଇ ବି ସୁରକ୍ଷିତ

କାର୍ଯ୍ୟକାରୀ ହୋଇପାରୁନି ଡିଏଲ୍‌ ଅସ୍ଥାୟୀ ନାକଚ ନିର୍ଦ୍ଦେଶ, କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କୁ ପରିବହନ କମିସନର‌୍‌ଙ୍କ ଚିଠି

କଟକ: ରେକର୍ଡ କହୁଛି ରାଜ୍ୟରେ ପ୍ରତ୍ୟେକ ଦିନ ହାରାହାରି ଭାବେ ୨୮ଟି ସଡ଼କ ଦୁର୍ଘଟଣା ଘଟୁଛି। ଏଥିରେ ହାରାହାରିି ଭାବେ ୧୨ ଜଣଙ୍କ ଜୀବନ ଯାଉଛି। ଦୁର୍ଘଟଣା ଉପରେ ଅଙ୍କୁଶ ଲଗାଇବା ପାଇଁ ମୋଟର ଯାନ ଆଇନ ଉଲ୍ଲଙ୍ଘନ କରିବାର ୭ ଦିନ ମଧ୍ୟରେ ଚାଳକଙ୍କ ଡ୍ରାଇଭି˚ ଲାଇସେନ୍‌ସ (ଡିଏଲ୍‌) ଅସ୍ଥାୟୀ ନାକଚ ପାଇଁ ପୁଲିସ ଆର‌୍‌ଟିଓଙ୍କ ନିକଟକୁ ତାହାକୁ ପଠାଇବାର ନିୟମ ରହିଛି। କିନ୍ତୁ ୬୦ ପ୍ରତିଶତ ନିୟମ ଉଲ୍ଲଙ୍ଘନକାରୀଙ୍କୁ ପୁଲିସ ଏବେ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଯେତିକି ଦୁର୍ଘଟଣା ଘଟୁଛି ସେଥିରେ ବେପରୱା ଗାଡ଼ି ଚାଳନା କରିଥିବା ଡ୍ରାଇଭରଙ୍କ ମଧ୍ୟରୁ କେବଳ ୪୦ ପ୍ରତିଶତଙ୍କ ଡିଏଲ୍୍ କ୍ୟାନସଲ ପାଇଁ ପୁଲିସରୁ ଆରଟିଓକୁ ଯାଉଛି। ସ୍ଥିତି ଦିନକୁ ଦିନ ଅଧିକ ଖରାପ ହେଉଥିବାରୁ ସମସ୍ତ ଖିଲାଫକାରୀଙ୍କ ଡିଏଲ୍‌ ଆର‌୍‌ଟିଓଙ୍କ ନିକଟକୁ ଯେଭଳି ପଠାଯିବ, ସେ ନେଇ ପରିବହନ କମିସନର କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କୁ ଚିଠି ଲେଖିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଉକ୍ତ ଚିଠି ଆଧାରରେ ଜିଲ୍ଲା ଏସ୍‌ପି/ଡିସିପିଙ୍କୁ ନିୟମ ଖିଲାଫକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ପୁଲିସ ବିଭାଗର ତଥ୍ୟ ମୁତାବକ, ୨୦୧୨ରୁ ୨୦୧୭ ମଧ୍ୟରେ ମୋଟ ୬୦ ହଜାର ୫୪୨ଟି ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ମୋଟ ୨୫ ହଜାର ୨୫୦ ଜଣଙ୍କର ମୃତ୍ୟୁ ଏବ˚ ୬୭ ହଜାର ୩୯୭ ଜଣ ଆହତ ହୋଇଛନ୍ତି। ଭୁବନେଶ୍ବର କମିସନରେଟ୍‌ ପୁଲିସ୍‌ ଅଞ୍ଚଳକୁ ରାଜ୍ୟର ସବୁଠୁ ଅଧିକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି। ଭୁବନେଶ୍ବରରେ ବର୍ଷକୁ ପାଖାପାଖିି ୬ଶହ ଦୁର୍ଘଟଣା ଘଟୁଛି। ଦୁର୍ଘଟଣା ମୁଖ୍ୟତଃ ୫ଟି କାରଣ ପାଇଁ ଘଟୁଥିବା କ୍ରାଇମ୍‌ବ୍ରାଞ୍ଚ ଏକ ସମୀକ୍ଷା ବୈଠକରେ ଜାଣିବାକୁ ପାଇଛି। ଟ୍ରାଫିକ୍‌ ପୋଷ୍ଟରେ ନାଲି ଲାଇଟ୍‌ ଜଳୁଥିବା ସତ୍ତ୍ବେ ଦ୍ରୁତ ଗତିରେ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚାଳନା, ଗାଡ଼ି ଚାଳନା ସମୟରେ ମୋବାଇଲ୍‌ ଫୋନ୍‌ର ବ୍ୟବହାର, ଯାତ୍ରୀବାହୀ ଯାନରେ ଆବଶ୍ୟକତାଠାରୁ ଅଧିକ ଯାତ୍ରୀ, ଜିନିଷପତ୍ର ପରିବହନ ହେଉଥିବା ଯାନରେ ଯାତ୍ରୀଙ୍କୁ ନେବା ସମୟରେ ହିଁ ଦୁର୍ଘଟଣା ଘଟୁଛି। ତେଣୁ ସୁପ୍ରିମ୍‌କୋର୍ଟ ଦ୍ବାରା ଗଠିତ ରୋଡ୍‌ ସେଫ୍ଟି କମିଟିର ସୁପାରିଶ ଆଧାରରେ ମୋଟର ଯାନା ଆଇନର ଖିଲାଫ କରିଥିବା ଚାଳକଙ୍କ ଡିଏଲ୍‌ ୧୯୮୮ ମୋଟର ଯାନ ଆଇନ୍‌ର ଧାରା ୧୯ ଆଧାରରେ ଅସ୍ଥାୟୀ ଭାବେ ନାକଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଗତ ଜୁଲାଇ ୧୦ ତାରିଖରେ ଓଡ଼ିଶାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରୋଡ୍‌ ସେଫ୍ଟି କମିଟି ବୈଠକରେ ସଡ଼କ ଦୁର୍ଘଟଣା ସମ୍ପର୍କରେ ଏକ ଅନୁଧ୍ୟାନ ସମୟରେ କିନ୍ତୁ ଗୁରୁତର ତ୍ରୁଟି ସାମ୍‌ନାକୁ ଆସିଥିଲା। ଓଡ଼ିଶାରେ ମୋଟର ଯାନ ଆଇନ ଖିଲାଫ କରୁଥିବା ମୋଟ ଅଭିଯୁକ୍ତଙ୍କ ମଧ୍ୟରୁ ମାତ୍ର ୪୦ ପ୍ରତିଶତ ଚାଳକଙ୍କ ଡିଏଲ୍‌ ଅସ୍ଥାୟୀ ଭାବେ ନାକଚ୍‌ କରାଯାଇଛି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମା କହୁଛି, ଚାଳକ ନିୟମ ଖିଲାଫ କରିବା ଦିନଠାରୁ ୩ ମାସ ପର୍ଯ୍ୟନ୍ତ ଡିଏଲ୍‌ ଅସ୍ଥାୟୀ ଭାବେ ନାକଚ କରାଯିବ। କିନ୍ତୁ ନିୟମ ଖିଲାଫ କରିବାର ୪ ମାସ ପରେ ଡିଏଲ୍୍ ଆର‌୍‌ଟିଓଙ୍କ ନିକଟକୁ ପଠାଯିବା ଦ୍ବାରା ତାହାକୁ ନାକଚ କରାଯାଇ ପାରୁ ନାହିଁ। ଅନ୍ୟପଟେ ରୋଡ୍‌ ସେଫ୍ଟି କମିଟିର ନିର୍ଦ୍ଦେଶ ଅନୁଯାୟୀ, ଆର‌୍‌ଟିଓ ନିୟମ ଖିଲାଫ କରିଥିବା ଚାଳକଙ୍କ ତଥ୍ୟ ‘ସାରଥୀ’ ଡାଟାବେସ୍‌ରେ ରଖିବା ବାଧ୍ୟତାମୂଳକ। କିନ୍ତୁ ପୁଲିସ ବିଳମ୍ବରେ ତଥ୍ୟ ପଠାଉଥିବାରୁ ଡାଟାବେସ୍‌ରେ ମଧ୍ୟ ସମସ୍ୟା ଉପୁଜୁଛି। ଏ ପ୍ରକାର ଅବ୍ୟବସ୍ଥା ସମ୍ପର୍କରେ ଭୁବନେଶ୍ବର-୨ ଆର‌୍‌ଟିଓଙ୍କ ପକ୍ଷରୁ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ରାଫିକ ଆଇଆଇସିଙ୍କ ବିରୋଧରେ ଏକ ଅଭିଯୋଗ ଆଣିଥିଲେ। ନିୟମ ଖିଲାଫ କରିଥିବା ଚାଳକଙ୍କ ଡିଏଲ୍‌ ୪ ମାସ ପରେ ଆର‌୍‌ଟିଓଙ୍କ ନିକଟରେ ଦାଖଲ କରିବା ଭଳି ସ˚ଗୀନ ଅଭିଯୋଗ ପରିବହନ ବିଭାଗର ନଜରକୁ ଆସିଥିଲା। ଅଭିଯୋଗକୁ ଅନୁଧ୍ୟାନ କରି ଏବେ କ୍ରାଇମ୍‌ବ୍ରାଞ୍ଚ ୩୪ଟି ପୁଲିସ ଜିଲ୍ଲାକୁ ଆଇନ କଡ଼ାକଡ଼ି ପାଇଁ ନିର୍ଦ୍ଦେଶ ଦେଇଛି। ଗାଡ଼ି ଚାଳକ ନିୟମ ଖିଲାଫ କରିବାର ୭ ଦିନ ମଧ୍ୟରେ ଆର‌୍‌ଟିଓଙ୍କ ନିକଟରେ ଡିଏଲ୍‌ ଦାଖଲ କରିବାକୁ ପରିବହନ କମିସନର ସ˚ଜୀବ ପଣ୍ତା କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ସମ୍ବନ୍ଧିତ ଖବର