କେବଳ କାଗଜପତ୍ରରେ ସୀମିତ ଜାତୀୟ ରାଜପଥରେ ଦୁର୍ଘଟଣା ପ୍ରବଣ ଓ ଭିଡ଼ ଅଂଚଳ ଚିହ୍ନଟ

ଖୋର୍ଦ୍ଧା: ରାଜ୍ୟରେ ସଡ଼କ ଦୁର୍ଘଟଣା ସଂଖ୍ୟା ତାଲିକାରେ ଖୋର୍ଦ୍ଧା ଜିଲ୍ଲା ସର୍ବାଗ୍ରେ ରହିଛି । ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବାକୁ ସୁପ୍ରିମକୋର୍ଟ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗକୁ ତାଗିଦ୍ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଉଛନ୍ତି । ରାଜ୍ୟ ପରିବହନ ବିଭାଗ ମଧ୍ୟ ପୂର୍ତ ବିଭାଗ, ପୁଲିସ ଓ ଜାତୀୟ ରାଜପଥର ଆଂଚଳିକ କର୍ତୃପକ୍ଷଙ୍କୁ ସଡ଼କରେ ଥିବା ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ କରି ସୂଚନା ଫଳକ, ରାସ୍ତାର ମରାମତି ଓ ପ୍ରଶସ୍ତୀକରଣ ଆଦି କରିବାକୁ ନିଦେ୍ର୍ଦଶ ଦେଉଛନ୍ତି । ଏସବୁ ନିଦେ୍ର୍ଦଶ କେବଳ କାଗଜପତ୍ରରେ ସୀମିତ ରହିଛି । ଜିଲ୍ଲାରେ ବିଶେଷତଃ ଗ୍ରାମାଂଚଳରେ ୧୦୦ଟି ଗାଁର ଜନତା ଏଭଳି ଦୁର୍ଘଟଣାପ୍ରବଣ ସଡ଼କର ନିକଟବର୍ତୀ ରହୁଛନ୍ତି କିନ୍ତୁ ଚିହ୍ନଟ ଦୁର୍ଘଟଣାପ୍ରବଣ ସ୍ଥାନରେ ଦୁର୍ଘଟଣା ହ୍ରାସ କରିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଇନାହିଁ ।

୨୦୨୦-୨୧ ତଥ୍ୟାନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ୧୬୮.୨୫ କିଲୋମିଟର ଜାତୀୟ ରାଜପଥ, ୪୦.୩୮କିମି ରାଜ୍ୟ ରାଜପଥ, ୨୩୮.୮୫ କିମି ପ୍ରମୁଖ ଜିଲ୍ଲା ସଡ଼କ, ୭୮୩.୭୨ କିମି ଅନ୍ୟାନ୍ୟ ଜିଲ୍ଲା ସଡ଼କ, ୧୪୪୧.୧୯ କିମି ଗ୍ରାମ୍ୟ ସଡ଼କ, ୨୬୪.୪୩ କିମି ବନାଂଚଳ ସଡ଼କ ରହିଛି । ଜିଲ୍ଲା ଦେଇ ଯାଇଥିବା ୧୬୮ କିମି ଜାତୀୟ ରାଜପଥର ୧୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟଚାଲୁଛି । ଅନେକ ସ୍ଥାନରେ ଜନବସତି, ଯାତାୟତ, ଗାଡ଼ିମୋଟର ସଂଖ୍ୟା ଆଦିକୁ ଦୃଷ୍ଟିରେ ରଖି ସ୍ଥାନୀୟ ବାସିନ୍ଦା ଅଣ୍ଡରପାସ, ଓଭରବ୍ରିଜ୍ ପାଇଁ ଦାବି କରୁଛନ୍ତି । କିନ୍ତୁ ଅନେକସ୍ଥାନରେ ପରିସ୍ଥିତି ଏଭଳି ହୋଇଛି ଯେ ବିଭାଗୀୟ କର୍ତୃପକ୍ଷଙ୍କ ଦ୍ୱାରା ସଡ଼କ ଉପର ଦୁର୍ଘଟଣା ପ୍ରବଣ ଓ ଭିଡ଼କୁ ଚିହ୍ନଟ କରାଯାଇଥିଲେ ମଧ୍ୟ ଟ୍ରାଫିକ୍ ନିୟନ୍ତ୍ରଣ, ସୂଚନା ଫଳକ, ଗତି ନିୟନ୍ତ୍ରଣ ଆଦି ବ୍ୟବସ୍ଥା କରାଯାଇନାହିଁ । କେବଳ ନାମକୁ ମାତ୍ର ରାସ୍ତା ଉପରେ ଅବ୍ୟବସ୍ଥିତ ଓ ଅଯୌକ୍ତିକ ଭାବେ ପ୍ରତିରୋଧ (ହମ୍ପ୍ର) ନିର୍ମାଣ କରାଯାଉଛି ।

ମିଳିଥିବା ସୂଚନାନୁସାରେ, ୧୬ ନମ୍ବର ଜାତୀୟ ରାଜପଥର ଟାଉନ ଥାନା ଅଧୀନ ପିତାପଲ୍ଲୀ ଠାରୁ ତୋଟାପଡ଼ା ଛକ ମଧ୍ୟସ୍ଥ ମାତ୍ର ୪ କିମି ରାସ୍ତା ମଧ୍ୟରେ ୩ଟି ସ୍ଥାନରେ ଭିଡ଼, ୫ଟି ସ୍ଥାନରେ ଦୁର୍ଘଟଣା ପ୍ରବଣ ସ୍ଥାନ ରହିଛି । ସେହିଭଳି ସଦର ଥାନା ଅଧୀନ ଦଳେଇପୁଟ ଟାରୁ ତାପଙ୍ଗ ୭ କିମି ରାସ୍ତା ମଧ୍ୟରେ ୭ଟି ସ୍ଥାନରେ ଭିଡ଼ ଓ ୫ଟି ଦୁର୍ଘଟଣା ପ୍ରବଣ ସ୍ଥାନ ରହିଛି । ଜଙ୍କିଆ ଥାନା ଅଧୀନ ଉଗ୍ରତାରା ଛକ ଠାରୁ ମଳିପଡ଼ା ମଧ୍ୟରେ ୧୫ କିମି ଜାତୀୟ ରାଜପଥର ୮ଟି ସ୍ଥାନରେ ଭିଡ଼ ଓ ୧୦ଟି ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି । ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ବାଇପାସ୍ ଠାରୁ କୁହୁଡ଼ି ମଧ୍ୟସ୍ଥ ୯ କିମି ଦୀର୍ଘ ଜାତୀୟ ରାତପଥରେ ୩ଟି ସ୍ଥାନରେ ଭିଡ଼ ଓ ୩ଟି ଦୁର୍ଘଟଣାପ୍ରବଣ ସ୍ଥାନ ରହିଛି । ବାଲୁଗାଁ ଥାନା ଅଧୀନ ପ୍ରାଣଦେଈପୁର ଠାରୁ ଧୂଆଁଳ, ସରନଇ ଠାରୁ ନାଭାଲ୍ ଛକ ପର୍ଯ୍ୟନ୍ତ ୧୧ କିମି ଜାତୀୟ ରାଜପଥରେ ୪ଟି ସ୍ଥାନରେ ଭିଡ଼ ଓ ୪ଟି ଦୁର୍ଘଟଣାପ୍ରବଣ ସ୍ଥାନ ରହିଛି । ବାଣପୁର ଥାନା ଅଧୀତ ବିଷୁନଡିହ ଠାରୁ ସରନଇ ପୋଲ ଓ ସରଳସିଂହ ଠାରୁ ହରିପୁର ଛକ ୧୫ କିମି ଜାତୀୟ ରାଜପଥର ୬ଟି ସ୍ଥାନରେ ଭିଡ଼ ଓ ୮ଟି ଦୁର୍ଘଟଣାପ୍ରବଣ ସ୍ଥାନ ରହିଛି ।

୫୭ ନମ୍ବର ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥର ଟାଉନ୍ ଥାନା ଅଧୀନ ଜୟମଙ୍ଗଳ ଠାରୁ ଖୋର୍ଦ୍ଧା ୭ କିମି ଦୀର୍ଘ ମଧ୍ୟରେ ୭ଟି ସ୍ଥାନରେ ଭିଡ଼ ଓ ୫ଟି ଦୁର୍ଘଟଣା ପ୍ରବଣସ୍ଥାନ ରହିଛି । ବେଗୁନିଆ ଥାନା ଅଧୀନ ବେଗୁନିଆ ଠାରୁ ପିଚୁକୁଳି ୧୦ କିମି ଜାତୀୟ ରାଜପଥ ମଧ୍ୟରେ ୩ଟି ସ୍ଥାନରେ ଭିଡ଼ ଓ ୪ଟି ଦୁର୍ଘଟଣାପ୍ରବଣ ସ୍ଥାନ, ବୋଲଗଡ଼ ଥାନା ଅଧୀନ ସୁନାଖଳା ଠାରୁ ବିଜିପୁର ତନଖିଫାଟକ ୧୫ କିମି ମଧ୍ୟରେ ୩ଟି ସ୍ଥାନରେ ଭିଡ଼ ଓ ୪ଟି ଦୁର୍ଘଟଣା ପ୍ରବଣ ସ୍ଥାନ ରହିଛି ।

ଏନେଇ ପୂର୍ତ ବିଭାଗର ଜଣେ ଯନ୍ତ୍ରୀ କହିଛନ୍ତି ଯେ ୧୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ ପରେ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ପ୍ରାୟ ୩୭ ଦୁର୍ଘଟଣାପ୍ରବଣ ସ୍ଥାନ ନିୟନ୍ତ୍ରଣ ହୋଇଯିବ । କିନ୍ତୁ ୫୭ ନମ୍ବର ଜାତୀୟ ରାଜପଥରେ ଥିବା ୧୪ଟି ଦୁର୍ଘଟଣାପ୍ରବଣ ସ୍ଥାନ ଓ ୧୨ଟି ଭିଡ଼ ସ୍ଥାନରେ ଏଯାଏଁ ଟ୍ରାଫିକ ନିୟନ୍ତ୍ରଣ ଓ ଦୁର୍ଘଟଣା ନିୟନ୍ତ୍ରଣ କରିବାକୁ ସୁପ୍ରିମକୋର୍ଟଙ୍କ ଗାଇଡ୍ଲାଇନ୍ ଅନୁସାରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଫଳରେ ପ୍ରତିଦିନ ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଘଟିବା ସହ ଅନେକ ଧନଜୀବନ ନଷ୍ଟ ହେଉଛି । ପ୍ରଶାସନ ପକ୍ଷରୁ ଏଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣକରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।

ସମ୍ବନ୍ଧିତ ଖବର