ଭୁବନେଶ୍ବର : ଜାତୀୟ ଓ ରାଜ୍ୟ ରାଜପଥରେ ଜମା ହେଉଥିବା ବାଲି ଲୋକଙ୍କ ଜୀବନ ନେଉଛି। ଓଡ଼ିଶାରେ ଗତ ବର୍ଷକ ମଧ୍ୟରେ ୫୦୨୬ଜଣ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ବାଇକ୍‌ ଆରୋହୀ ଓ ଚାଳକଙ୍କ ସଂଖ୍ୟା ୨୧୬୨ ଅର୍ଥାତ୍‌ ୪୩ ପ୍ରତିଶତ। ଏଥିମଧ୍ୟରୁ ଅଧିକାଂଶ ଦୁର୍ଘଟଣା ବାଲି ଯୋଗୁଁ ହୋଇଛି। ତେଣୁ, ରାଜପଥରେ ଯେପରି ବାଲି ଗଦା ନ ହେବ, ସେଥିପ୍ରତି ଅଣ୍ଟା ଭିଡ଼ିଛି ପରିବହନ ବିଭାଗ। ଏଣିକି ବିନା ପାଲରେ ରାଜପଥରେ ବାଲି, ଗୋଡ଼ି କିମ୍ବା ମେଣ୍ଟାଲ ବୋହିଲେ, ଗାଡ଼ି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ଚେତାବନୀ ଦେଇଛି। ଏହି ନିୟମକୁ କଡ଼ାକଡ଼ି ଲାଗୁ ପାଇଁ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ମାସରେ ଥରେ ଏହାର ସମୀକ୍ଷା କରିବା ସହ କେତେ ଗାଡ଼ିକୁ ଜରିମାନା କରାଯାଇଛି, କେତେ ଟଙ୍କା ଆଦାୟ ହୋଇଛି; ସମସ୍ତ ତଥ୍ୟ ପରିବହନ କମିସନରଙ୍କୁ ଦେବାକୁ କୁହାଯାଇଛି।

Advertisment

ଉଦ୍‌ବେଗର ବିଷୟ ଯେ ଏହି ନିୟମ ପୂର୍ବରୁ ବାରମ୍ବାର କଡ଼ାକଡ଼ି କରାଯାଇଥିଲେ ହେଁ ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିବାରୁ କେହି ମାନୁନାହାନ୍ତି। ଯାଞ୍ଚ ଦାୟିତ୍ବରେ ଥିବା ଅଧିକାରୀଙ୍କ ଢିଲାପଣ ଯୋଗୁଁ ସମସ୍ୟା ବଢ଼ିବାରେ ଲାଗିଛି।