ବୁଲାକୁକୁରୁ ଓ ଗାଈଗୋରୁଙ୍କ ଯୋଗୁଁ ରାଜପଥରେ ବଢୁଛି ଦୁର୍ଘଟଣା, ଅକାଳରେ ଯାଉଛି ନିରୀହ ଜୀବନ

ନିରାକାରପୁର : ୧୬ ନମ୍ବର ଜାତୀୟ ରାଜପଥ ହେଉ ଅବା ନୂଆଜଗନ୍ନାଥ ସଡ଼କ କିମ୍ବା ଗାଁ ଗହଳି ରାସ୍ତା ସବୁଠି ଏବେ ବିପଦ ସାଜୁଛନ୍ତି ବୁଲା ଗାଇଗୋରୁ ସାଙ୍ଗକୁ ବୁଲା କୁକୁର। ଏମାନଙ୍କ ସଂଖ୍ୟା ଏତେ ପରିମାଣରେ ବଢିଯାଇଛି ଯେ, ସକାଳେ ହେଉ ଅବା ରାତିରେ ଛକବଜାର ରାସ୍ତାକୁ ଏମାନେ ଏକରକମ ଜବରଦଖଲରେ ରଖୁଛନ୍ତି। ଫଳରେ ଏଥିପାଇଁ ଦୈନିକ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି। ବିଶେଷକରି ଦୁଇଚକିଆ ଯାତ୍ରୀମାନେ ବହୁ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଅନେକ ସମୟରେ ଆକସ୍ମିକ ଦୁର୍ଘଟଣା ଯୋଗୁଁ ଅକାଳରେ ନିରୀହ ଜୀବନ ଝଡ଼ିପଡୁଥିବାବେଳେ ଅନେକ ସବୁଦିନ ପାଇଁ ନିଜର ଅଙ୍ଗପ୍ରତ୍ୟଙ୍ଗ ହରାଇ ବସୁଛନ୍ତି।

ସୂଚନା ଯୋଗ୍ୟ ଯେ, ୧୬ନଂମ୍ବର ଜାତୀୟ ରାଜପଥର ମଳିପଡ଼ା, ଗୋଡିପଡ଼ା, ଜଙ୍କିଆ, ରାମେଶ୍ବର, ବଡପୋଖରୀଆ ଓ ଅନୁରୂପ ଭାବରେ ନୂଆଜଗନ୍ନାଥ ସଡ଼କର ରାମେଶ୍ବର, ପଦ୍ମପୁର, କଲେଜ ଛକ, ଥାନା ଛକ, ମେଡିକାଲ ଛକ, ଶ୍ରୀରାମ ବଜାର , ନିରାକାରପୁର ବଡବଜାର, ଗେଟ୍ ବଜାର, ଷ୍ଟେସନ ରୋଡ୍‌ ଆଦି ଛକରେ ଦୈନିକ ଶହଶହ ସଂଖ୍ୟାରେ ବୁଲା ଗାଈଗୋରୁ ଓ କୁକୁର ବୁଲୁଛନ୍ତି। ଏହି ଗାଈଗୋରୁ ଗୁଡ଼ିକ ରାସ୍ତା ଉପରେ ଗୋଠହୋଇ ରହୁଛନ୍ତି। ଫଳରେ ଏମାନଙ୍କ ଯୋଗୁ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଗୋରୁମାନଙ୍କ ମାଲିକମାନେ ଜାଣିଶୁଣି ରାସ୍ତା ଉପରକୁ ସେମାନଙ୍କୁ ଛାଡ଼ିଦେଉଛନ୍ତି। ଏଣୁ ଏଭଳି ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର