ଭୁବନେଶ୍ବର : ମଦ୍ୟପାନ ଯୋଗୁଁ ରାଜ୍ୟରେ ଦୁର୍ଘଟଣା ବୃଦ୍ଧି ତଥା ଅନ୍ୟାନ୍ୟ ଘଟଣା ଘଟୁଥିବା ଉକ୍ତି ତଥ୍ୟ ଭିତ୍ତିକ ଓ ଯୁକ୍ତିସମ୍ମତ ନୁହେଁ। କାରଣ ଦୁର୍ଘଟଣା ତଥା ଅପରାଧ ଘଟିବା ପଛରେ ଅନେକ କାରଣ ଥାଏ। ଅବକାରୀ ରାଜସ୍ବକୁ ଦୁର୍ଘଟଣାଜନିତ ବା ଅପରାଧ ଜନିତ ଜୀବନ ହାନି ସହିତ ସଂପୃକ୍ତ କରାଯାଇନପାରେ। ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଏହି ସୂଚନା ଦେଇଛନ୍ତି।
ରାଜ୍ୟରେ ମଦ୍ୟପାନ ଯୋଗୁଁ ଦୁର୍ଘଟଣା ବଢ଼ୁଛି ବୋଲି ରାଜ୍ୟ ସରକାର ମାନିଛନ୍ତି। ଏପରିକି ସଡ଼କ ଦୁର୍ଘଟଣା ରାଜ୍ୟରେ ପ୍ରତିବର୍ଷ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ଏନେଇ ରାଜ୍ୟ ସରକାରଙ୍କୁ ବାରମ୍ବାର ତାଗିଦ୍ କଲେଣି। ତଥାପି ବି ଦୁର୍ଘଟଣାଜନିତ ମୃତ୍ୟୁ କମୁନଥିବାରୁ ଓଡ଼ିଶା ପୁଲିସ, ପରିବହନ ବିଭାଗକୁ ଅଧିକରୁ ଅଧିକ ବ୍ରେଥ୍ ଆନାଲାଇଜର୍ ବ୍ୟବହାର କରି ଜରିମାନା ଆଦାୟ କରିବାକୁ କୁହାଯାଇଛି। ପ୍ରତି ଥାନାକୁ ବ୍ରେଥ୍ ଆନାଲାଇଜର୍ ଦେବାକୁ ନିର୍ଦ୍ଦେଶ ହୋଇଛି। ଏତେ ସବୁ ପଦକ୍ଷେପ, ଭର୍ତ୍ସନା ସତ୍ତ୍ବେ ଆଜି ଅବକାରୀ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ମଦ୍ୟପାନ ଯୋଗୁଁ ଦୁର୍ଘଟଣା ବଢ଼ୁନି।
ଏହାସହ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ରାଜ୍ୟରେ ମଦର ପ୍ରସାର କରି ରାଜସ୍ବ ବୃଦ୍ଧି କରିବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ ନୁହେଁ। ବରଂ ମଦ୍ୟପାନରେ ଅଭ୍ୟସ୍ତ ବ୍ୟକ୍ତିବିଶେଷ ଯେପରି ଚୋରାମଦ ଓ ବେଆଇନ ମଦ ନପିଅନ୍ତି ଏବଂ ସେମାନଙ୍କର ଧନ ଜୀବନ ଓ ସ୍ବାସ୍ଥ୍ୟ ଯେପରି ସଙ୍କଟାପନ୍ନ ନହୁଏ ସେଥିପାଇଁ ରାଜ୍ୟ ସରକାର ଭାରତୀୟ ସମ୍ବିଧାନ ଦ୍ବାରା ପ୍ରାଧିକୃତ ହୋଇ ମଦ ଓ ମାଦକ ଦ୍ରବ୍ୟର ନିୟନ୍ତ୍ରଣ ମାଧ୍ୟମରେ ଲାଇସେନ୍ସପ୍ରାପ୍ତ ଦୋକାନ ଜରିଆରେ ଉତ୍ତମ ଓ ନିରାପଦ ପାନୀୟ ଯୋଗାଇ ଦେବାର ବ୍ୟବସ୍ଥା କରିଥାନ୍ତି।
ସେହିପରି ବିଧାୟକ ଧ୍ରବୁ ଚରଣ ସାହୁଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଅବକାରୀ ମନ୍ତ୍ରୀ କହିଛନ୍ତି ଯେ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିଶା ସେବନ କରିବା ବା ନକରିବା ପ୍ରତ୍ୟେକ ବ୍ୟକ୍ତିର ନିଜସ୍ବ ଚିନ୍ତାଧାରା ଓ ଇଚ୍ଛା ଉପରେ ନିର୍ଭର କରିଥାଏ। ଏଥିପାଇଁ ବୈଧାନିକ ବ୍ୟବସ୍ଥା ସତ୍ତ୍ବେ ସମାଜର ପ୍ରତ୍ୟେକ ସ୍ତରରେ ସବୁ ବର୍ଗର ନାଗରିକଙ୍କ ଆନ୍ତରିକତା , ନିଷ୍ଠା, ଉଦ୍ୟମର ଆବଶ୍ୟକତା ହିଁ ଛାତ୍ର ଓ ଯୁବକଶ୍ରେଣୀକୁ ମଦ, ଗଞ୍ଜେଇ, ଅଫିମ ଓ ଡ୍ରଗ୍ସ ତଥା ଅନ୍ୟ ସବୁ କ୍ଷତିକାରକ ନିଶା ସେବନରୁ ଦୂରେଇ ରଖିବାରେ ସହାୟକ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/drink_drive_car_technology_1524557238_725x725.jpg)