ଫାଟକ ବିହୀନ ଲେବଲ କ୍ରସିଂରେ ଦୁର୍ଘଟଣା: କାର୍‌କୁ ଧକ୍କା ଦେଲା ଟ୍ରେନ୍‌ ଇଞ୍ଜିନ, ୩ ଆହତ

ସେମିଳିଗୁଡା/ଦାମନଯୋଡି : ଦଶମନ୍ତପୁର ବ୍ଲକ୍‌ ମୁଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ କିଲାର ନିକଟସ୍ଥ ଫାଟକ ବିହୀନ ରେଲୱେ ଲେବଲ କ୍ରସିଂରେ ଆଜି ଅପରାହ୍ନରେ ଅଘଟଣ ଘଟିଛି। ପିକ୍‌ନିକ୍‌ରୁ ଫେରୁଥିବା ଗୋଟିଏ କାର୍‌କୁ ଧକ୍କା ଦେଇଛି ଟ୍ରେନ୍‌ ଇଞ୍ଜିନ। ଯାହାଫଳରେ, କାର୍‌ ପ୍ରାୟ ୪୦ଫୁଟ ଉପରକୁ ଉଠି ତଳେ କଚାଡ଼ି ହୋଇ ପଡ଼ିଥିଲା। କାର ସଂପୂର୍ଣ୍ଣ ଚୂର୍‌ମାର୍‌ ହୋଇଥିଲେ ସୁଦ୍ଧା ଅଳ୍ପକେ ୩ଜଣ ଯାକ ଯାତ୍ରୀ ବର୍ତ୍ତି ଯାଇଛନ୍ତି। ନିକଟସ୍ଥ ଥାନା ପୁଲିସ ଏବଂ ଆର୍‌ପିଏଫ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ସୂଚନା ଅନୁଯାୟୀ, କଟକରେ ଡାକ୍ତର ଭାବେ କାର୍ଯ୍ୟରତ ମୃଣ୍ମୟ ମହାନ୍ତି ସେମିଳିଗୁଡ଼ା ସ୍ଥିତ ସଂପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ଆଜି ତିନୋଟି କାର ଯୋଗେ ସଂପର୍କୀୟଙ୍କ ସହ ପିକ୍‌ନିକ୍‌ କରିବାକୁ ପୁଞ୍ଜିସିଲ୍‌ ଯାଇଥିଲେ। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଫେରିବା ସମୟରେ ଫାଟକବିହୀନ ଲେବଲ କ୍ରସିଂକୁ ଦୁଇଟି କାର ଅତିକ୍ରମ କରି ସାରିଥିବା ବେଳେ ଡାକ୍ତର ମହାନ୍ତି ବସିଥିବା ଅଲ୍ଟୋ କାର (ଓଡି ୧୦ଡି ୭୪୭୩)କୁ ଦାମନଯୋଡିରୁ ବାଇଗୁଡ଼ା ଷ୍ଟେସନ ଆସୁଥିବା ଟ୍ରେନ୍‌ ଇଞ୍ଜନ ଧକ୍କା ଦେଇଥିଲା। ସମ୍ମୁଖ ଭାଗକୁ ଧକ୍କା ଦେଇଥିବାରୁ କାର ବହୁଦୂରରେ ଛିଟିକି ପଡ଼ି ଡାକ୍ତର ମହାନ୍ତିଙ୍କ ସମେତ ଦୁଇ ସଂପର୍କୀୟ ଆହତ ହୋଇଥିଲେ। ଖବର ପାଇ ଦାମନଯୋଡି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ଦାମନଯୋଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

ଲକ୍ଷ୍ମୀପୁର ଆରପିଏଫ୍‌ ଇନ୍‌ସପେକ୍ଟର ଦେବେନ୍ଦ୍ର ସେନାପତି ଘଟଣାସ୍ଥଳରେ ତଦନ୍ତ କରିଥିଲେ।

ସମ୍ବନ୍ଧିତ ଖବର