ଦୀପାବଳିରେ ବିଭିନ୍ନ ସ୍ଥାନରେ ଅଘଟଣ

ଭୁବନେଶ୍ବର: ସୋମବାର ସାରା ଓଡ଼ିଶା ଦୀପାବଳି ପାଳନ କରୁଥିବାବେଳେ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। କେଉଁଠି ଆତସବାଜି ଫୁଟିଥିବାବେଳେ କେଉଁଠି ଗୁଳି ଫୁଟିଛି। ଆଉ କେଉଁଠି ବାଣନିଆଁରୁ ଅଗ୍ନିକାଣ୍ଡ ଘଟିଛି। ଆଉ କେତେକ ସ୍ଥାନରେ ବାଣ ନିଆଁରୁ କେତେକ ଲୋକ ଆହତ ହୋଇଥିବା ବି ସୂଚନା ମିଳିଛି। ସୋମବାର ରାତିରେ କଟକର ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ନୟସଡ଼କ ଠାରେ ଥିବା ଏହି ଲୁଗା ଦୋକାନରେ ବାଣ ଫୁଟା ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାବେଳେ ଏଥିରେ କେହି ମୃତାହତ ହୋଇନାହାନ୍ତି।

ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡସୁଆଁଳୋ ଗ୍ରାମରେ ଏକ ବାଣି ଦୋକାନରେ ଅଗ୍ନିକାଣ୍ଡ ଘଟି ଦୁଷ୍ମନ୍ତ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପୁଅଙ୍କ ସମେତ ୪ଜଜଣ ଗୁରୁତର ହୋଇଛନ୍ତି। ସେହିପରି ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଓଏମଏମ ଛକରେ ଥିବା ‌ଜ୍ୟୋତି ଏଣ୍ଟରପ୍ରାଇଜେର୍ସରେ ସୋମବାର ରାତିରେ ନିଆଁ ଲାଗି ଯାଇଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ସୂଚନା ମିଳିଛି। ସେହପରି ଦୀପାବଳି ପାଇଁ ରାଜ୍ୟବାସୀଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲାରେ ଲୋକେ ବ୍ୟସ୍ତ ଥିବା ବେଳେ ମହାକାଳପଡା ବ୍ଲକ ବଡିହି ପଂଚାୟତର ଛତର ଗ୍ରାମରେ ଆଜି ରାତିରେ ଭୟାବହ ଅଗ୍ନିକାଣ୍ଡ ଦେଖାଯାଇଛି। ଅଗ୍ନିକାଣ୍ଡ ଘଟି ୧୦ ବଖରା ଘର ଜଳି ଯାଇଛି। ଫଳରେ ଲୋକଙ୍କର ବହୁ ମୂଲ୍ୟବାନ ଜିନିଷ ସହିତ ଅନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ସ୍ଥିତିରେ ଭଦ୍ରକରେ ସଡକ ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯାଇଛି। ଚନ୍ଦନପୁରରେ ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଛି। ନୟାଗଡର ଦଶପଲ୍ଲାରେ ବି ଛୁରା ମାଡରେ ଜଣଙ୍କର ମୃତ୍ୟୁ ହୋଇଛି। ଏଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଅଘଟଣ ଘଟିଛି। ଏଭଳି ସ୍ଥିତିରେ ଭଦ୍ରକରେ ଆରମ୍ଭ ହୋଇଛି ମା’ କାଳୀଙ୍କ ପୂଜାର୍ଚ୍ଚନା। ଦୀପାବଳିରେ ଅନେକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିଥିବା ସୂଚନାମିଳିଛି। ଆକର୍ଷଣୀୟ ତୋରଣ ଓ ଚୁମ୍ବକୀୟ ଆଲୋକମାଳାରେ ଭଦ୍ରକ ଝଲସିଛି।

ସମ୍ବନ୍ଧିତ ଖବର