ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଛି।

Advertisment

ଟ୍ରେନ୍ ଧକ୍କାରେ ଯୁବକ ମୃତ

ସମ୍ବଲପୁର: ଶାସନ ଓ ରେଙ୍ଗାଲି ମଧ୍ୟରେ ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ଶନିବାର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଶାସନ ଥାନା ପଣ୍ଡିଆପାଲିର କିରଣ ସାହୁ ଓରଫ ମିଟୁ(୩୬)। ଶନିବାରଦିନ କୌଣସି ଏକ ଟ୍ରେନ୍‌ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ପାଇ ସମ୍ବଲପୁର ଜିଆର୍‌ପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି। ବ୍ୟବଚ୍ଛେଦ ପାଇଁ ପୁଲିସ ମୃତଦେହକୁ ବୁର୍ଲା ପଠାଇଛି।

କାର୍‌ ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର
ବଳଦିଆମାଲ: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବଣ୍ଡାକୁଟୁରା ଢାବା ନିକଟରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ରାତିରେ ପଲାସ ଗ୍ରାମରୁ ଏକ କାର୍‌ (ଓଡି ୦୮କେ-୪୫୮୫)ରେ କିଛି ବ୍ୟକ୍ତି ସିନାପାଲି ଗ୍ରାମକୁ ବାହାଘରକୁ ଯାଇଥିଲେ। ସେଠାରୁ ରାତି ଦେଢ଼ଟାରେ ଫେରୁଥିବା ବେଳେ ବଣ୍ଡାକୁଟୁରା ଢାବା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଜୁନାଗଡ଼ ପୁଲିସ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜୁନାଗଡ଼ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ବଣ୍ଡାକୁଟୁରା ଗ୍ରାମର ହିମାଂଶୁ ମେହେର (୩୦)ଙ୍କୁ ମୃତ ଘୋଷଣା କରିଥିଲେ। ଆହତମାନେ ହେଲେ ବୁଢ଼ୀପଦରର ଯୋଗେଶ୍ବର ମେହେର, ଶୁଭମ୍‌ ମେହେର ଓ ମାଲପଡ଼ାର ଗାଡ଼ି ଚାଳକ ରବି ପ୍ରଧାନ।

ଟ୍ରକ୍‌ ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ବରଗଡ଼: ସ୍ଥାନୀୟ ହଳଦୀପାଲି ଛକରେ ଏକ ଅଜଣା ଟ୍ରକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ମୃତା ମହିଳା ଜଣକ ହେଲେ ବରପାଲି ଲଟକେରା ନିବାସୀ ମମିତା ଦେବତା। ମୃତା ମମିତାଙ୍କ ସ୍ୱାମୀ ମଙ୍ଗଳା ଦେବତା ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ, ଉଭୟ ସ୍ୱାମୀ-ସ୍ତ୍ରୀ ଏକ ସ୍କୁଟିରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଯାଉଥିଲେ। ସକାଳ ପ୍ରାୟ ୮ଟା ସମୟରେ ହଳଦୀପାଲି ଛକଠାରେ ଏକ ଅଜଣା ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ମମିତାଙ୍କୁ ଘୋଷଣା କରିଥିଲେ।

ଟ୍ରକ୍‌ ଧକ୍କାରେ ବାଇକ୍‌ ଅରୋହୀ ମୃତ
ଯୋଡ଼ା: ବାମେବାରି ଥାନା ହାତୀମରାଛକରେ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। କଟୁପାଲି ଗ୍ରାମର ବିଭୀଷଣ ବେହେରାଙ୍କୁ ଏକ ଟ୍ରକ୍‌ ପଛରୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲା। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ଟି ସେଠାରୁ ଚମ୍ପଟ ମାରିଥିଲା। ବିଭୀଷଣ ରକ୍ତାକ୍ତ ଅବସ୍ଥାରେ ସେଠାରେ ପଡ଼ି ରହିଥିଲେ। ଖବର ପାଇ ପୁଅ ହେମନ୍ତ ପହଞ୍ଚି ତାଙ୍କୁ ଏକ ବୋଲେରୋରେ ଝୁମ୍ପୁରା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ‌କେନ୍ଦ୍ରକରି ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା। କିଛି ସମୟ ପାଇଁ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ।

ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ
ପଣ୍ଡାପଡ଼ା: ପଣ୍ଡାପଡ଼ା ଥାନା ସାନକମଣ୍ଡରା ଗ୍ରାମର ଭିକାରି ଡାଙ୍ଗୁଆ (୭୦)ଙ୍କ ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି। ସେ  ଗ୍ରାମ ନିକଟରେ ଥିବା ସାନକାଣିଝର ନାଳକୁ ଗାଧୋଇବା ପାଇଁ ଯାଉଥିଲେ। ଗାଁ ତୋଟା ନିକଟରେ ମହୁମାଛି ଆକ୍ରମଣ କରିବାରୁ ଭିକାରି ଗୁରୁତର ହୋଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।