ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବର୍ଷା ପ୍ରକୋପ ଥମିଛି, କିନ୍ତୁ ବନ୍ୟା ପରବର୍ତ୍ତୀ ଦୁର୍ଦ୍ଦଶା ବଢ଼ିଛି। ଗୋଦାବରୀ ନଦୀର ଜଳସ୍ତରରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଯାହାଫଳରେ ମାଲକାନଗିରି ଜିଲ୍ଲାରୁ ଆନ୍ଧ୍ର ଏବଂ ତେଲେଙ୍ଗାନାକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥରେ ବିରାଟ ଘାଇ ସୃଷ୍ଟି ହୋଇଛି। ଆନ୍ଧ୍ରର ଚିନ୍ତୁର ନିକଟରେ ହୋଇଥିବା ଏହି ଘାଇ ଯୋଗୁଁ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ତେଣୁ ମୋଟୁ ନିକଟରେ ସପ୍ତାହେ ହେଲା ଓଡ଼ିଶାର ଶହ ଶହ ଟ୍ରକ୍ ଅଟକି ରହିଛି। ଗୋଦାବରୀ ନଦୀ ପାଣି ଆଜି ବି ଓଡ଼ିଶାର କିଛି ଅଞ୍ଚଳକୁ ବୁଡ଼ାଇ ରଖିଥିଲା। ବିଶେଷ କରି ମୋଟୁ ଅଞ୍ଚଳ ଗୋଦାବରୀ ପାଣି ପାଇଁ ସର୍ବାଧିକ ପ୍ରଭାବିତ ହୋଇଛି। ସଂପୂର୍ଣ୍ଣ ପାଣି ନିଷ୍କାସନ ହେବାକୁ ଆହୁରି ଦୁଇରୁ ତିନି ଦିନ ଲାଗିଯିବ ବୋଲି କୁହାଯାଉଛି। ଯଦି ଏହାରି ମଧ୍ୟରେ ପୁଣି ବର୍ଷା ବଢ଼ିବ ତେବେ ସ୍ଥିତି ଅଧିକ ଖରାପ ହେବା ନିଶ୍ଚିତ।
ଅପରପକ୍ଷରେ ଓଡ଼ିଶାରୁ ଆନ୍ଧ୍ର ଓ ତେଲେଙ୍ଗାନା ଅଭିମୁଖେ ବାହାରିଥିବା ଟ୍ରକ୍ ଗୁଡ଼ିକ ସିଲେରୁ ପୋଲ ନିକଟରେ ଅଟକି ରହିଛି। କାରଣ ଆନ୍ଧ୍ରର ଚିନ୍ତୁର ଠାରେ ବିରାଟ ଘାଇ ହୋଇ ପ୍ରବଳ ବେଗରେ ବନ୍ୟାଜଳ ପ୍ରବାହିତ ହେଉଛି। ସପ୍ତାହେ ହେଲା ଟ୍ରକ୍ ଅଟକି ରହିଥିବାରୁ ଡ୍ରାଇଭରମାନେ ଦୁର୍ଦ୍ଦାଶର ସମ୍ମୁଖୀନ ହେଉଛନ୍ତି। ଅଟକିଥିବା ଟ୍ରକ୍ ମଧ୍ୟରୁ ଅଧିକାଂଶ ଝାରସୁଗୁଡ଼ାରୁ ମାଲ୍ ନେଇ ବାହାରିଥିଲେ। ଟ୍ରକ୍ ନିକଟରେ ହିଁ ରୋଷେଇ କରି ଡ୍ରାଇଭର ଖାଉଛନ୍ତି। ତେବେ ଏହି ପ୍ରତିକୂଳ ପରିସ୍ଥିତିକୁ ସ୍ଥାନୀୟ ବ୍ୟବସାୟୀ ସୁଯୋଗରେ ପରିଣତ କରିଛନ୍ତି। ଗୋଟିଏ ଅଣ୍ଡାକୁ ୧୦ଟଙ୍କାରେ ଏବଂ ପାଣି ଜାର୍ ୫୦ଟଙ୍କାରେ ବିକ୍ରି କରୁଛନ୍ତି। ସେହିପରି ଟ୍ରକ୍ ଡ୍ରାଇଭର ସ୍ଥାନୀୟ ଭାଷା ବୁଝି ପାରୁନଥିବାରୁ ଟମାଟୋ କିଲୋ ୧୬୦ ଟଙ୍କା ଏବଂ କଞ୍ଚାଲଙ୍କା କିଲୋ ୨୦୦ଟଙ୍କାରେ ବିକ୍ରି କରୁଛନ୍ତି। ଖାଦ୍ୟ ସାମଗ୍ରୀ ଦରବୃଦ୍ଧି, ଟଙ୍କା ସରି ଆସୁଥିବାରୁ ଡ୍ରାଇଭର ଅକଳରେ ପଡ଼ିଛନ୍ତି।
ଏହି ବିଷୟରେ ପ୍ରଶାସନ ଅବଗତ ରହିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଉନି। ଆନ୍ଧ୍ରପଟେ ରାସ୍ତା ଖରାପ ରହିଥିବାରୁ ଆମେ କିଛି କରିପାରିବୁ ନାହିଁ। ଛତିଶଗଡ଼ ଦେଇ ଯିବାକୁ ମୋଟୁ ତହସିଲଦାର ପରାମର୍ଶ ଦେଇଛନ୍ତି। ତେବେ ଯେଉଁ ଭଳି ସ୍ଥିତିରେ ଟ୍ରକ୍ ଗୁଡ଼ିକ ରହିଛି ଗୋଟିଏ ଫୁଟ୍ ପଛକୁ ଘୁଞ୍ଚିବା ଅସମ୍ଭବ। ତେଣୁ କିଭଳି ଗାଡ଼ିକୁ ପଛକୁ କରିବେ ବୋଲି ପ୍ରଶ୍ନ କରିଛନ୍ତି। ଏମିତି ସ୍ଥିତିରେ ପ୍ରଶାସନ ରନ୍ଧାଖାଦ୍ୟ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏନେଇ ଏଡିଏମ୍ ବେଦବର ପ୍ରଧାନଙ୍କୁ ପଚାରିବାରୁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/fhsfhhffht.jpg)