ବିସ୍ଥାପିତ ପରିବାରର ବିବାହିତ ସଦସ୍ୟ ହେବେ ଥଇଥାନ

ମହନ୍ତଙ୍କ ସହ ଆଲୋଚନା ଫଳପ୍ରଦ ହୋଇଛି, ଦୁଇ ଦିନ ଭିତରେ ମଠ ସହ ବ୍ୟକ୍ତିଗତ ଆଲୋଚନା

ପୁରୀ: ଶ୍ରୀମନ୍ଦିର ସୌନ୍ଦର୍ଯ୍ୟୀକରଣ ସହ ସୁରକ୍ଷା ଦିଗରେ ୭୫ ମିଟର ଉଚ୍ଛେଦକୁ ଅଗ୍ରାଧିକାର ଦେଇଥିବା ମୁଖ୍ୟମନ୍ତ୍ରୀ ଗତକାଲି ବିସ୍ଥାପିତଙ୍କ ପାଇଁ ସହାୟତା ରାଶି ସହ ଥଇଥାନ ଓ ପୁନର୍ବାସ ପ୍ୟାକେଜ୍ ଘୋଷଣା କରିଛନ୍ତି। ବିସ୍ଥାପିତମାନେ ଜମି ଅଧିଗ୍ରହଣ ଆଇନ ୨୦୧୩ ଅନୁସାରେ ସହାୟତା ରାଶି ପାଇବେ। ଏହାବାଦ୍ ଥଇଥାନ ଓ ପୁନର୍ବାସ ପାଇଁ ନୂଆ ନୀତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁଥିରେ ପରିବହନ ସହ ଅନ୍ୟାନ୍ୟ ଖର୍ଚ୍ଚ ସାମିଲ କରାଯାଇଛି। ଜିଲ୍ଲାପାଳଙ୍କୁ ଥଇଥାନ ଓ ପୁନର୍ବାସ ନୀତିର କାର୍ଯ୍ୟକାରୀ ମୁଖ୍ୟ କରାଯାଇଛି। କିନ୍ତୁ ଏହି ଥଇଥାନ ପ୍ୟାକେଜରେ ପରିବାର କଥା କିଛି ଉଲ୍ଲେଖ କରାଯାଇନାହିଁ। ଯାହାକୁ ନେଇ ବିସ୍ଥାପିତମାନେ ପ୍ରଶ୍ନ ଉଠାଇବା ପରେ ଆଜି ସଂଧ୍ୟାରେ ଜିଲ୍ଲାପାଳ ବଲୱନ୍ତ ସିଂହ ଏ ସଂପର୍କରେ ସ୍ପଷ୍ଟ କରିଛନ୍ତି। ଯେଉଁମାନେ ଏକକାଳୀନ ସହାୟତା ରାଶି ନେଉଛନ୍ତି ସେ କ୍ଷେତ୍ରରେ ସ୍ଥିତି ଅନୁଧ୍ୟାନ ପରେ ଯାହା କିଛି ନିଷ୍ପତ୍ତି ନିଆଯିବ। କିନ୍ତୁ ଯେଉଁମାନେ ସରକାରଙ୍କ ପ୍ରସ୍ତାବିତ ଘର ନେବାକୁ ଚାହୁଁଛନ୍ତି, ସେ କ୍ଷେତ୍ରରେ ବିବାହିତ ପରିବାର ସଦସ୍ୟଙ୍କୁ ହିସାବକୁ ନେଇ ଥଇଥାନ ବ୍ୟବସ୍ଥା କରାଯିବ ଜିଲ୍ଲାପାଳ କହିଛନ୍ତି।

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ସିଂହ କହିଛନ୍ତି, ଯେଉଁମାନେ ନିଜେ ଜାଗା କିଣି ଓ ନିଜସ୍ବ ଇଚ୍ଛାରେ ଘର କରି ରହିବାକୁ ଚାହୁଁଛନ୍ତି ସେମାନଙ୍କୁ ୩୦ ଲକ୍ଷ ଟଙ୍କା ଏକକାଳୀନ ଦିଆଯିବ। ସେ କ୍ଷେତ୍ରରେ ପ୍ରଶାସନ କାହାକୁ ୩୦ ଲକ୍ଷ ଟଙ୍କା ଦେବ, ସେ ସମୟରେ ବୁଝିବିଚାରି ନିଷ୍ପତ୍ତି ନିଆଯିବ। କିନ୍ତୁ ଯେଉଁମାନେ ସରକାରଙ୍କ ପ୍ରସ୍ତାବିତ କଲୋନିରେ ରହିବାକୁ ଚାହୁଁଛନ୍ତି, ସେମାନଙ୍କ କ୍ଷେତ୍ରରେ ବିକଳ୍ପ ବ୍ୟବସ୍ଥା କରାଯାଇଛି। ପ୍ରଥମେ କେତେ ପରିବାର ବିସ୍ଥାପିତ ହେଉଛନ୍ତି, ତାର ପ୍ରାଥମିକ ଆକଳନ କରାଯିବ। ଯେଉଁ ବ୍ୟକ୍ତିଗତ ଜାଗା ଉଚ୍ଛେଦ ହେଉଛି, ସେଠାରେ କେତେ ବିବାହିତ ପରିବାର ରହୁଛନ୍ତି, ତାକୁ ହିସାବକୁ ନେଇ ସହାୟତା ବ୍ୟବସ୍ଥା କରାଯିବ। ଗୋଟିଏ ପରିବାରର କେତେ ପୁଅ, ଝିଅ, ଏମାନେ ବିବାହିତ କି ନୁହଁନ୍ତି, ସମସ୍ତ କଥାକୁ ହିସାବକୁ ନିଆଯାଇ ଥଇଥାନ ବ୍ୟବସ୍ଥା କରାଯିବ।

ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି, ଆଜି ବଡ଼ଆଖଡ଼ା ମଠ ଉଚ୍ଛେଦ କାର୍ଯ୍ୟ ଥିଲା। କିନ୍ତୁ ମହନ୍ତମାନେ ଆଲୋଚନା ପାଇଁ ଚାହିଁବାରୁ ଆଜି ଭଙ୍ଗା କାର୍ଯ୍ୟ ଅଟକିଛି। ଆଜି ବଡ଼ଆଖଡ଼ା ମଠ ମହନ୍ତଙ୍କ ସହ ଅନ୍ୟ ସାଧୁସନ୍ଥମାନେ ଆଲୋଚନା ପାଇଁ ଆସିଥିଲେ। ଏହି ଆଲୋଚନା ଫଳପ୍ରଦ ହୋଇଛି। ପ୍ରଶାସନ ଯାହା କିଛି ନିଷ୍ପତ୍ତି ନେଇଥିଲା, ସେଥିରେ ମଠ ମହନ୍ତ ଓ ଅନ୍ୟମାନେ ସହମତି ପ୍ରକାଶ କରିଛନ୍ତି। ମଠ ମହନ୍ତମାନେ ବି ବହୁ ଭଲ ପରାମର୍ଶ ଦେଇଥିଲେ। ତାକୁ ବି ପ୍ରଶାସନ ବିଚାରକୁ ନେଇଛି। ଥଇଥାନ ଓ ପୁନର୍ବାସ ସଂପର୍କରେ ଆଗାମୀ ଦୁଇତିନି ଦିନ ଭିତରେ ମଠ ମହନ୍ତ ଓ ଅନ୍ୟମାନଙ୍କ ସହ ବ୍ୟକ୍ତିଗତ ଆଲୋଚନା କରାଯିବ। ସେମାନଙ୍କ ସହ ଆଲୋଚନା ପରେ ସହାୟତା ରାଶି ସଂପର୍କିତ ନିଷ୍ପତ୍ତି ନିଆଯିବ। କିନ୍ତୁ ଯେଉଁ ମଠ ୭୫ ମିଟର ପରିଧିରୁ ଉଚ୍ଛେଦ ହେଉଛନ୍ତି, ସେମାନଙ୍କୁ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ଚାରିପାର୍ଶ୍ବରେ ଥିବା ଶ୍ରୀମନ୍ଦିର ଜାଗାରେ ଥଇଥାନ କରାଯିବ। ସେଠାରେ ମଠ ମହନ୍ତଙ୍କ ଘର ସହ ଅନ୍ୟାନ୍ୟ ଆବଶ୍ୟକ ଘର ଯୋଗାଇ ଦିଆଯିବ। ସମସ୍ତ ମୌଳିକ ଆବଶ୍ୟକତା ଯୋଗାଇ ଦିଆଯିବ। ମଠ ମହନ୍ତଙ୍କ ସହ ଅନ୍ୟ ସହ‌େଯାଗୀଙ୍କ ରହିବା ବ୍ୟବସ୍ଥା କରାଯିବ। କିନ୍ତୁ ୭୫ ମିଟର ଭିତରେ ମଠ ଜାଗାରେ ମଠର ମୁଖ୍ୟ ମନ୍ଦିରକୁ ଅକ୍ଷତ ରଖାଯିବ। ଏହାର ଆହୁରି ଉନ୍ନତିକରଣ କରାଯିବ। ଶ୍ରୀମନ୍ଦିର ପରମ୍ପରା ଓ ସଂସ୍କୃତି ସହ ଯେପରି ଏହା ନିରନ୍ତର ଜଡ଼ିତ ରହିବ, ସେ ଦିଗକୁ ସର୍ବାଧିକ ଗୁରୁତ୍ବ ଦିଆଯିବ। ସେହି ଅନୁଯାୟୀ ମଠର ମୁଖ୍ୟ ମନ୍ଦିରର ବିକାଶ କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର