ଅଗ୍ନିଶମ ବିଭାଗର ତଥ୍ୟ, ବର୍ଷକରେ ଅଗ୍ନିକାଣ୍ଡରେ ୧୪ ମୃତ୍ୟୁ
୬୦ କୋଟିର ସଂପତ୍ତି ଧ୍ବଂସ, ନିଆଁ ମୁହଁରୁ ଉଦ୍ଧାର ହୋଇଛନ୍ତି ୯୫ ଜଣ
କଟକ: ଅଗ୍ନିକାଣ୍ଡ ହେଉ କି ପ୍ରାକୃତିକ ଦୁର୍ବିପାକ, ପାଣିରେ ବୁଡ଼ି ଯିବା ଘଟଣା ହେଉ କି ଭୟଙ୍କର ଦୁର୍ଘଟଣା, ସବୁଠି ଅଗ୍ନିଶମ ବିଭାଗ ନିଜର ଉପସ୍ଥିତି ଜାହିର କରିଛି। ରାଜ୍ୟରେ ଥିବା ୩୩୯ଟି ଦମକଳ କେନ୍ଦ୍ରର କର୍ମଚାରୀ, ଅଧିକାରୀ ରାତି ଦିନ କାମ କରି ଆସୁଛନ୍ତି। ରାଜ୍ୟ ଅଗ୍ନିଶମ ବିଭାଗ ୨୦୨୧-୨୨ ଆର୍ଥିକ ବର୍ଷରେ ନିଜର କାର୍ଯ୍ୟକ୍ରମ ଓ ସଫଳତାର ପରିସଂଖ୍ୟାନ ଉପସ୍ଥାପନ କରିଛି। ଗଲା ବର୍ଷକ ଭିତରେ ଅଗ୍ନିଶମ ବିଭାଗ ପାଣିରେ ବୁଡିଯାଉଥିବା ଓ ଦୁର୍ଘଟଣାର ଶିକାର ହୋଇଥିବା ୭ ହଜାର ୮୩୪ ଜଣଙ୍କ ଜୀବନ ବଂଚାଇଛି। ୧୦ ହଜାର ୪୫୪ ପ୍ରାଣୀଙ୍କ ଜୀବନ ବି ରକ୍ଷା କରିଛି ଅଗ୍ନିଶମ ବାହିନୀ। ରାଜ୍ୟ ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାରୁ ୯୫ଟି ଅମୂଲ୍ୟ ଜୀବନକୁ ମରଣ ମୁହଁରୁ ଉଦ୍ଧାର କରିଥିବା ବେଳେ ୨୫୮ଟି ପ୍ରାଣୀ ସଂପଦକୁ ମଧ୍ୟ ବଂଚାଇ ପାରିଛି। କିନ୍ତୁ ଗତ ବର୍ଷକ ମଧ୍ୟରେ ଅଗ୍ନିକାଣ୍ଡରେ ୧୪ ଜଣ ମଣିଷ ଓ ୪୪୧ ପ୍ରାଣୀଙ୍କର ମୃତ୍ୟୁ ହୋଇଥିବା ଅଗ୍ନିଶମ ବିଭାଗ ଦର୍ଶାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡ ଜନିତ ୧୫ ହଜାର ୪୫୧ ଫାୟାର କଲ୍ (ଫୋନ୍) ଗ୍ରହଣ କରିଥିଲା। ସେଥିରୁ ୧୪ଟି ଫୋନ୍ ଅତି ଗୁରୁତର (ମୃତ୍ୟୁ ହେବା ଭଳି ଅଗ୍ନିକାଣ୍ଡ) ଥିଲା। ୨୯୦ଟି କଲ୍ ଗୁରୁତ୍ବପୂର୍ଣ୍ଣ ଥିଲା। ମୋଟ ଫୋନ୍ କଲ୍ରୁ ୧୫୭୧ଟି ମଧ୍ୟମ, ୧୩, ୫୧୨ଟି ଫୋନ୍ କଲ୍ ଛୋଟ ଧରଣର ଅଗ୍ନିକାଣ୍ଡ ଥିଲା। ତେବେ ଅଗ୍ନିଶମ ବିଭାଗ ୬୪ଟି ଫଲ୍ସ (ମିଛ) ଫାୟାର କଲ୍ ବି ପାଇଥିଲା। ଅଗ୍ନିଶମ ବିଭାଗ ପାଇଥିବା ୨୧,୨୬୭ କଲ୍ ମଧ୍ୟରୁ କିଛି କଲ୍ ଦୁର୍ଘଟଣାଜନିତ ବି ଥିଲା। ମୋଟାମୋଟି ଭାବେ ଅଗ୍ନିଶମ ବିଭାଗ କର୍ମଚାରୀ ୯୯୬ଟି ଦୁର୍ଘଟଣା, ପାଣିରେ ବୁଡି ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ଅଗ୍ନିକାଣ୍ଡ ଯୋଗୁଁ ୬୦ କୋଟି ୪୭ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଥିବା ବେଳେ ଅଗ୍ନିଶମ ବିଭାଗର ତ୍ବରିତ ପଦକ୍ଷେପ ଯୋଗୁଁ ୨୪୭. ୩୫ କୋଟି ଟଙ୍କାର ସମ୍ପତ୍ତି ରକ୍ଷା କରାଯାଇ ପାରିଥିବା ଦର୍ଶାଯାଇଛି।