ଯାଜପୁର : ଯାଜପୁର ଜିଲ୍ଲାର ଖଣି ଓ ଶିଳ୍ପରୁ ଗତ ୫ ବର୍ଷ ମଧ୍ୟରେ ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି ବାବଦକୁ ଆଦାୟ ହୋଇଛି ୧୨୯୪ କୋଟି ୪୭ଲକ୍ଷ ଟଙ୍କା। ଡିଏମ୍ଏଫ୍ ଅନୁଦାନରୁ ବିଭିନ୍ନ ପ୍ରକଳ୍ପ ବାବଦକୁ ଖର୍ଚ୍ଚ ହୋଇଛି ୯୬୧କୋଟି ୨୨ଲକ୍ଷ ଟଙ୍କା। ହେଲେ ଯେଉଁ ଅଞ୍ଚଳରୁ ଏହି ପାଣ୍ଠି ଆଦାୟ ହୋଇଛି ସେଠାରେ ବିକାଶ ବାଟ ହୁଡ଼ିଛି।
ବିକାଶରେ ପାତର ଅନ୍ତର ପାଇଁ କେଉଁଠି ମେଞ୍ଚାଏ ତ ଆଉ କେଉଁଠି କେଞ୍ଚାଏ ଖର୍ଚ୍ଚ ହେଉଛି। ଜିଲ୍ଲାର ଭିତ୍ତିଭୂମି ମଧ୍ୟ ଆଶାଜନକ ବିକାଶ ହୋଇନାହିଁ। ସରକାରୀ ଜମିରୁ ଲଘୁ ଖଣିଜ ମାଫିଆ ମାଟି, ମୋରମ ତାଡ଼ି ନେଉଥିବା ବେଳେ ନଦୀପଠା ଓ ଖାଲୁଆ ଜମି ପୋତିବା ଆଳରେ ସରକାରୀ କଳ ଶହଶହ କୋଟି ଟଙ୍କା ଖର୍ଚ୍ଚ କରୁଛି। ଯାଜପୁର ସହର ବୈତରଣୀ ନଦୀପଠା ପୋତିବାରେ ବ୍ୟାପକ ଅନୁଦାନ ବ୍ୟୟ ହୋଇଥିବା ବେଳେ ଷଠିପୁର ଠାରେ ପାଟନାଳୀକୁ ପୋତାରେ ବ୍ୟାପକ ଅନିୟମିତତା ହୋଇଛି। ବିକାଶର ସୀମା ଯାଜପୁର ସହରରୁ ପାଣିକୋଇଲି ମଧ୍ୟରେ ସତେ ଯେପରି ଅଟକି ଯାଇଛି। ସୁକିନ୍ଦାର କ୍ରୋମ ଉପତ୍ୟକାରୁ ଡିଏମ୍ଏମ୍ ବାବଦରେ ବହୁ ଅର୍ଥ ଆଦାୟ ହୋଇଥିବା ବେଳେ ତୁମୁଣି ଓ ଗୁହିଆଶାଳ ଭଳି ଜୁଆଙ୍ଗମାନଙ୍କ ଗାଁକୁ ପାଦଚଲା ରାସ୍ତାଟିଏ ହୋଇପାରିନି। ଖାଦ୍ୟ ସୁରକ୍ଷାର ଅଭାବ ସହ ଅପପୁଷ୍ଟି ସମସ୍ୟାରେ ଲୋକେ ସନ୍ତୁଳି ହେଉଛନ୍ତି। ଅନାହାର ପ୍ରସଙ୍ଗରେ ହାଇକୋର୍ଟଙ୍କ ତାଗିଦ ପରେ ବି ଜିଲ୍ଲା ପ୍ରଶାସନର ସେପରି ତତ୍ପରତା ଦେଖିବାକୁ ମିଳୁନାହିଁ। ବାହାର ଚାକଚକ୍ୟ ମଧ୍ୟରେ ବିକାଶ ସୀମିତ ରହିଛି। କହିବାକୁ ଗଲେ ଜିଲ୍ଲାର ଭିତ୍ତିଭୂମି ବିକାଶ ଦିଗହରା ହେବାରେ ଲାଗିଛି।
ସରକାରୀ ତଥ୍ୟ ମୁତାବକ ୨୦୧୮-୧୯ ଆର୍ଥିକ ବର୍ଷରେ ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି ବାବଦକୁ ୨୭୦.୦୬ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ୨୦୧୯ -୨୦ ରେ ୨୪୩.୦୬ କୋଟି ଟଙ୍କା, ୨୦୨୦ -୨୧ରେ ୧୫୩.୦୨ କୋଟି ଟଙ୍କା, ୨୦୨୧-୨୨ରେ ୩୪୪.୦୪ କୋଟି ଟଙ୍କା ,୨୦୨୨-୨୩ରେ ୨୮୩.୭୫ କୋଟି ଟଙ୍କା ଏଭଳି ୫ବର୍ଷରେ ୧୨୯୪କୋଟି ୪୭ଲକ୍ଷ ଟଙ୍କା ଆଦାୟ ହୋଇଛି। ସେହିପରି ୨୦୧୮-୧୯ରେ ଡିଏମ୍ଏଫ୍ ଅନୁଦାନ ୧୧୫.୯୯ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ୨୦୧୯-୨୦ରେ ୧୪୪.୮୮ କୋଟି ଟଙ୍କା, ୨୦୨୦-୨୧ରେ ୨୬୩.୫୧ କୋଟି ଟଙ୍କା, ୨୦୨୧-୨୨ରେ ୬୮.୫୮ କୋଟି ଟଙ୍କା, ୨୦୨୨ -୨୩ ରେ ୩୬୮.୨୬ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ୫ବର୍ଷରେ ମୋଟ ୯୬୧.୨୨ କୋଟି ଟଙ୍କା ବ୍ୟୟ ହୋଇଛି। ଜଙ୍ଗଲ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ସ୍ୱାସ୍ଥ୍ୟ, ଶିକ୍ଷା, ଉଦ୍ୟାନ, ଜଳବିଭାଜିକା, ପ୍ରାଣୀ ଚିକିତ୍ସା , ପଞ୍ଚାୟତିରାଜ ଓ ପାନୀୟ ଜଳ, ରେଶମ ଚାଷ, ମିସନ ଶକ୍ତି ପ୍ରଭୃତି ବିଭାଗ ଜରିଆରେ ଖଣିଜ ନ୍ୟାସ ପାଣ୍ଠି ବ୍ୟୟ କରାଯାଇଛି। ତଥାପି ଜିଲ୍ଲାବାସୀଙ୍କ ନିକଟରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିପାରି ନାହିଁ। କାଳିଆପାଣି କ୍ରୋମଉପତ୍ୟକାର ଜୀବନରେଖା ଟମକା-ମଙ୍ଗଳପୁର ରାସ୍ତା ପାଇଁ ଜଙ୍ଗଲ ବିଭାଗକୁ ଡିଏମଏଫରୁ ମାତ୍ର ୩୭କୋଟି ଟଙ୍କା ଦେବାକୁ ୭ବର୍ଷ ଲାଗିଲାଣି। ଫଳରେ ଲୋକେ ରାସ୍ତା ଜାମ୍ ସମସ୍ୟାରେ ଅହରହ ଘାଣ୍ଟି ହେଉଛନ୍ତି।