ଭୁବନେଶ୍ବର: ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା ଏକ ବିତ୍ତଶାଳୀ ଜିଲ୍ଲା। ରାଜ୍ୟ ରାଜକୋଷକୁ କେନ୍ଦୁଝର ଜିଲ୍ଲାର ଅବଦାନ ସର୍ବାଧିକ। ମାତ୍ର ନୀତି ଆୟୋଗକଙ୍କ ରିପୋର୍ଟ ଅନୁଯାୟୀ ୪୧.୭୮% ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଜିଲ୍ଲାର ୮୦% ଲୋକ ରାସନ ଚାଉଳ ଉପରେ ନିର୍ଭରଶୀଳ। ଏବେ ପୁଣି ୧୦ହଜାର ପରିବାର ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। କେନ୍ଦୁଝର ଓମ୍ବାଡ୍ସିରୁ ୧୬ଶହ କୋଟି ଟଙ୍କା ଧାର ନେଇ ଅନ୍ୟ କେଉଁଠାରେ ଖର୍ଚ୍ଚ ହୋଇଛି ତାହା ଜିଲ୍ଲାବାସୀ ଜାଣିବା ଦରକାର ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା।
ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଥିଲେ, କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍ଏଫ)ରେ ୮୮୪୦ କୋଟିରୁ ଅଧିକ ଅର୍ଥ ସଂଗ୍ରହ ହୋଇଛି। ଜିଲ୍ଲାର ଉନ୍ନୟନ ପାଇଁ ବର୍ଷକୁ ୫ଶହ କୋଟି ଖର୍ଚ୍ଚ କରାଯାଉଛି। ଗତ ୯ବର୍ଷରେ ୪୮୮୩ କୋଟି ଟଙ୍କା ଏହି ଜିଲ୍ଲାରେ କାହା ସ୍ବାର୍ଥରେ ବିନିଯୋଗ ହୋଇଛି? ସରକାର ଅନ୍ୟ ଜିଲ୍ଲାରେ ମେଡିକାଲ କଲେଜ ପାଇଁ ଅନୁଦାନ ଦେଉଛନ୍ତି, ମାତ୍ର କେନ୍ଦୁଝର ଜିଲ୍ଲାକୁ ଦେଲେନାହିଁ। ଡିଏମ୍ଏଫ୍ ପାଣ୍ଠିରୁ ୩ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇ କେନ୍ଦୁଝରରେ ମେଡିକାଲ କଲେଜ କରାଯାଇଛି।
ସେ ଆହୁରି ମଧ୍ୟ କହିଥିଲେ ଯେ ତେଲକୋଇ ବ୍ଲକ୍ ଅଧୀନ ରାଇସୁଆଁ ଗ୍ରାମର ୮୦ବର୍ଷୀୟା ବୃଦ୍ଧା ପଥୁରୀ ଦେହୁରୀ ନିଜ ଘରଠାରୁ ୨ କି.ମି ଦୂର ପଞ୍ଚାୟତ କାର୍ଯ୍ୟାଳୟକୁ ଗୁରୁଣ୍ଡି ଗୁରୁଣ୍ଡି ବାର୍ଦ୍ଧକ୍ୟ ଭତ୍ତା ନେବା ପାଇଁ ଆସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବାର୍ଦ୍ଧକ୍ୟ ଭତ୍ତା ଅର୍ଥ ଘରେ ପ୍ରଦାନ କରିବା ପାଇଁ ସରକାରୀ ବ୍ୟବସ୍ଥା ଥିଲେ ମଧ୍ୟ ଏହାକୁ ସ୍ଥାନୀୟ ପ୍ରଶାସନ ମାନୁନାହାନ୍ତି। ଏହି ଘଟଣା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିଜ ଜିଲ୍ଲାରେ ଘଟିବା ଦୁର୍ଭାଗ୍ୟଜନକ। ବାଉଁଶପାଳ ବ୍ଲକ୍ ଅଧୀନ ଗୋନାସିକାର ଜନ୍ତାରୀ ଗାଁରେ ୧୧ଜଣ ଜୁଆଙ୍ଗ ମୃତ୍ୟୁ ହେଲା। ଦୂଷିତ ଜଳ ଓ ସ୍ବାସ୍ଥ୍ୟ ସେବା ଅଭାବ ମୁତ୍ୟୁର କାରଣ ବୋଲି କୁହାଯାଉଛି। ସେହିପରି କେନ୍ଦୁଝର ସଦର ବ୍ଲକ୍ ପଦ୍ମପୁର ଗାଁର କୁରୁଡ଼ି ସାହିର ଜଣେ ମହିଳାଙ୍କ ଅପପୁଷ୍ଟ ପାଇଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଅପପୁଷ୍ଟିର ଶିକାର ହୋଇଛନ୍ତି।
ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ। ଜିଲ୍ଲାରେ ମଞ୍ଜୁରିପ୍ରାପ୍ତ ୨୨୯ ଡାକ୍ତର ମଧ୍ୟରୁ ୮୮ ପଦବି ଖାଲି ରହିଛି। ୧୮ଲକ୍ଷ ଲୋକଙ୍କ ପାଇଁ ମାତ୍ର ୧୪୧ଜଣ ସରକାରୀ ଡାକ୍ତର ରହିଛନ୍ତି। କେନ୍ଦୁଝର ଜିଲ୍ଲାର ୧୯ଟି ପ୍ରାଥମିକ ସ୍କୁଲରେ ଆଦୌ ଶିକ୍ଷକ କାହାନ୍ତି। ୩୮୦ ପ୍ରାଥମିକ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି। ଏବେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତରେ ଯାଇ ସୁନାର କେନ୍ଦୁଝର ପାଇଁ ସ୍ବପ୍ନ ଦେଖାଇଛନ୍ତି। ମାତ୍ର ଏଥିରେ ବାସ୍ତବତା କେତେ ତାହା ସମୟ କହିବ ବୋଲି ଶ୍ରୀ ଜେନା କହିଛନ୍ତି। ପ୍ରଶାନ୍ତ ଶତପଥୀ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/gY5ehs0bDtuJN2WSRzNA.jpg)