ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟରେ ବିଲ୍‌ ପାସ୍‌ କରାଇବା ପାଇଁ ଜଣେ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ଦୁଇଜଣ କର୍ମଚାରୀ। ସେମାନେ ହେଲେ ପାରଳା ଡିଭିଜନାଲ୍‌ ଆକାଉଣ୍ଟାଣ୍ଟ ସୂରଜ ପ୍ରସାଦ ଜୟସ୍ବାଲ ଓ ବରିଷ୍ଠ ସହାୟକ ନରେଶ ପଟ୍ଟନାୟକ। ଅଭିଯୋଗକାରୀ ଠିକାଦାର ସରୋଜ ପାତ୍ରଙ୍କଠାରୁ ବକେୟା ବିଲ୍ ପାସ୍ କରିବା ବଦଳରେ ପ୍ରତ୍ୟେକ ୧୫ ହଜାର ଟଙ୍କା ଲେଖାଏଁ ସମୁଦାୟ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍‌ ଉଭୟଙ୍କୁ କାବୁ କରିଥିଲା। ଏହାପରେ ଗଜପତିର ଦୁଇଟି ସ୍ଥାନରେ ଭିଜିଲାନ୍ସର ଦୁଇଟି ଟିମ୍‌ ଏକକାଳୀନ ଅନୁସନ୍ଧାନ ଚଳାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବ୍ରହ୍ମପୁର ଭିଜିଲାନ୍ସ ପିଏସ୍ କେସ୍ ନଂ ୫/୨୦୨୫, ୭ ପିସି (ସଂଶୋଧନ) ଆଇନ, ୨୦୧୮ରେ ମାମଲା ପଞ୍ଜୀକୃତ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।

Advertisment

ସୂଚନା ମୁତାବକ ଠିକାଦାର ସରୋଜ ପାତ୍ରଙ୍କୁ ବିଭାଗ ପକ୍ଷରୁ ୪ଟି କାର୍ଯ୍ୟାଦେଶ ଦିଆଯାଇଥିଲା। ଏହି କାମର ବ୍ୟୟବରାଦ ୮୬ ଲକ୍ଷ ଟଙ୍କାରୁ ଅଧିକ ରହିଥିଲା। ଏଥିପାଇଁ ଠିକାଦାର ସରୋଜ ୩୨ ଲକ୍ଷ ଟଙ୍କାର ରନିଂ ବିଲ୍ ଦାଖଲ କରିଥିଲେ। ଏହି ବିଲ୍‌ ପାସ୍‌ କରାଇବା ପ‌ାଇଁ ଅଭିଯୁକ୍ତଦ୍ବୟ ୩୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଅଭିଯୋଗକାରୀ ୟୁପିଆଇ ମାଧ୍ୟମରେ ଅଭିଯୁକ୍ତଦ୍ବୟଙ୍କୁ ଲାଞ୍ଚ ପ୍ରଦାନ ବେଳେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ମାଡ଼ି ବସିଥିଲେ। ସେମାନଙ୍କୁ ସ୍ମାର୍ଟ ଫୋନ୍‌ରେ ପୃଥକ୍‌ ଭାବେ ଟ୍ରାନସ୍‌ଫର୍‌ ହୋଇଥିବା ମୋଟ ୩୦ ହଜାର ଲାଞ୍ଚ ଟଙ୍କା ମିଳିଥିବା ସ୍ପଷ୍ଟ ହୋଇଥିଲା।