ଭୁବନେଶ୍ୱର : ପୁଲିସ୍ ଫୋର୍ସର ଆଧୁନିକୀକରଣ ବ୍ୟବସ୍ଥାରେ ରାଜ୍ୟ ସରକାର ୨୦୧୬ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ୧୩୫ କୋଟି ୩୨ ଲକ୍ଷ ଟଙ୍କା ଅନୁଦାନ ପ୍ରାପ୍ତ ହୋଇଛନ୍ତି। ଏଥିରୁ ୮୦ କୋଟି ଖର୍ଚ୍ଚ କରିଛନ୍ତି। କିନ୍ତୁ ଯେଉଁ ପରିମାଣରେ ଅପରାଧ କମିବା କଥା, ତାହା ଆଶାନୁରୂପ ନୁହେଁ। ଆବଶ୍ୟକ ମୁତାବକ ଅର୍ଥ ଅନୁଦାନ ସତ୍ତ୍ବେ ଆଇନ ଶୃଙ୍ଖଳା ସହ ଅପରାଧ ନିୟନ୍ତ୍ରଣ କାହିଁକି ଆଶାନୁରୂପ ହୋଇ ପାରିନାହିଁ, ତାହା ଉପରେ ଅଡିଟ୍ ପ୍ରଶ୍ନ ଉଠାଇବା ସହ ଏହାର କାରଣ ଜଣାଇବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି। ଏନେଇ ଗୃହ ବିଭାଗକୁ ଏଜି(ଆକାଉଣ୍ଟାଣ୍ଟ ଜେନେରାଲ) ଚିଠି ଲେଖିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଅପରାଧ ନିୟନ୍ତ୍ରଣ ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ ସୁରକ୍ଷା ବଳର ଭିତ୍ତିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କୁ ୩ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଏହି ଯୋଜନାରେ ୧୩୫ କୋଟି ୩୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଅପରାଧ କମାଇବା ସହ ତଦନ୍ତରେ ଶତପ୍ରତିଶତ ସଫଳ ହେବାକୁ ସିସିଟିଭି ସ୍ଥାପନ, କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ନିର୍ମାଣ, ଫ୍ୟୁଜନ ସେଣ୍ଟର ନିର୍ମାଣ, ସରଞ୍ଜାମ କିଣିବା ପାଇଁ ଏହି ଅର୍ଥ ପ୍ରଦାନ କରାଯାଇଥିଲା। ସଫଳ ତଦନ୍ତ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ମଧ୍ୟ ବ୍ୟବସ୍ଥା ରହିଥିଲା। ହେଲେ ୩ ବର୍ଷ ମଧ୍ୟରେ ୮୦ କୋଟି ଖର୍ଚ୍ଚ ପରେ ମଧ୍ୟ ୧୦ ପ୍ରକାରର ଅପରାଧରେ ଆଶାନୁରୂପ ସଫଳତା ମିଳି ନ ଥିଲା।
୨୦୧୬ ମସିହାରେ ୫୬୬, ୨୦୧୭ରେ ୫୩୪ ଓ ୨୦୧୮ରେ ୫୫୮ ଡକାୟତି ମାମଲା ହୋଇଥିଲା। ଡକାୟତି କମିବା ହାର ମାତ୍ର ୧ . ୪୧ ପ୍ରତିଶତ ରହିଥିଲା। ସିନ୍ଧି ଚୋରି ମାମଲା ୨୦୧୬ ମସିହାରେ ୪୦୦୪, ୨୦୧୭ରେ ୩୯୫୩ ଓ ୨୦୧୮ରେ ୩୭୧୩ ମାମଲା ହୋଇଥିଲା। ଏହାର କମିବା ହାର ରହିଥିଲା ୭.୨୭ ପ୍ରତିଶତ। ଠକେଇ ମାମଲା ୨୦୧୬ ମସିହାରେ ୩୧୯୭, ୨୦୧୭ରେ ୨୯୬୦ ଓ ୨୦୧୮ରେ ୨୭୪୪ ମାମଲା ହୋଇଥିଲା। ଏହାର କମିବା ହାର ୧୨. ୬ ପ୍ରତିଶତ ରହିଥିଲା।
ତିନି ବର୍ଷରେ ଦୁଷ୍କର୍ମ ବଢ଼ିବାର ହାର ସର୍ବାଧିକ ଥିଲା। ୨୦୧୬ ମସିହାରେ ୨୧୪୪ ମାମଲା ହୋଇଥିବା ବେଳେ ୨୦୧୭ରେ ୨୨୨୧ ଓ ୨୦୧୮ରେ ୨୫୦୨ ମାମଲା ହୋଇଥିଲା। ଏହାର ବଢ଼ିବା ହାର ଥିଲା ୧୬.୭୦ ପ୍ରତିଶତ। ସେହିଭଳି ହତ୍ୟାକାଣ୍ଡ ୩.୭୬ ପ୍ରତିଶତ ବଢ଼ିଥିବା ବେଳେ ଛିନ୍ତାଇରେ ୫.୬୨, ଚୋରି ମାମଲାରେ ୦.୨୮ ପ୍ରତିଶତ, ହିଂସାକାଣ୍ଡରେ ୧୦ .୭୬ ପ୍ରତିଶତ, ଦୁର୍ଘଟଣାରେ ୬.୯୩ ପ୍ରତିଶତ, ଅନ୍ୟାନ୍ୟ ମାମଲାରେ ୪.୩୯ ପ୍ରତିଶତ ବୃଦ୍ଧି ପାଇଥିବା ଅଡିଟ୍ ଦର୍ଶାଇଛି।
୩ ବର୍ଷରେ ମାମଲା ହାର ୩.୬୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଅନୁସନ୍ଧାନ(ଡିଟେକ୍ସନ) ହାର ନୈରାଶ୍ୟଜନକ ରହିଛି। ଅପରାଧ ଅନୁସନ୍ଧାନ ହାର ୨୦୧୬ ମସିହାରେ ୬୬.୯ ପ୍ରତିଶତ ରହିଥିବା ବେଳେ ୨୦୧୭ରେ ୬୭.୪ ଓ ୨୦୧୮ରେ ୬୪.୬ ପ୍ରତିଶତ ରହିଛି। ଚୋରି ଓ ସିନ୍ଧିଚୋରି ମାମଲାରେ ଅନୁସନ୍ଧାନ ହାର ୫୦ ପ୍ରତିଶତ ରହିଛି। ଅନୁସନ୍ଧାନ ସଫଳ ହୋଇ ପାରୁନଥିବାରୁ ମାମଲା ଗଡ଼ୁଛି। କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ବେ ଏହି ନୈରାଶ୍ୟଜନକ ପ୍ରଦର୍ଶନର ଉତ୍ତର ରଖିବା ପାଇଁ ଅଡିଟ୍ ସୁପାରିସ କରିଛି।