ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ବିଇଓ ଅଫିସ୍ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଟଙ୍କା ହଡ଼ପ କରି ଗତ ୨୦୨୨ ଅକ୍ଟୋବର ୬ରେ ଗିରଫ ଭୟରେ ଅଫିସରୁ ଫେରାର୍ ମାରିଥିଲେ। ମଙ୍ଗଳବାର ଭବାନୀପାଟଣା ଏସ୍ଡିଜେଏମ୍ କୋର୍ଟରେ ସେ ଆତ୍ମସମର୍ପଣ କରିଥିଲେ। ଏସ୍ଡିଜେଏମ୍ କୋର୍ଟ ଜାମିନ ଆବେଦନକୁ ଖାରଜ କରିବାରୁ ଆସନ୍ତା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଜେଲ ହାଜତକୁ ପଠାଇ ଦିଆଯାଇଛି। ଉଭୟ ପୁଲିସ ଓ ଭିଜିଲାନ୍ସ ପକ୍ଷରୁ ରିମାଣ୍ଡ ଆବେଦନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁଚିସ୍ମିତା ସମସ୍ତଙ୍କୁ ଚକମା ଦେଇ ୫ ମାସ ଫେରାର ରହିଥିବା ବେଳେ ତାଙ୍କୁ ଗିରଫ କରିନପାରିବା ଏବଂ ଶେଷରେ ସେ ଆତ୍ମସମର୍ପଣ କରିବାକୁ ନେଇ ଚର୍ଚ୍ଚା ହେଉଛି।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଇଓ ଅଫିସ୍ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ଏକ୍ସ କ୍ୟାଡରମାନଙ୍କ ସେପ୍ଟେମ୍ବର ମାସର ଦରମା ଓ ଅନ୍ୟାନ୍ୟ ଅର୍ଥ ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ପ୍ରଥମରେ ପ୍ରାୟ ୩୯ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ନେଇଥିବା ଜଣାପଡ଼ିଥିଲା। ଭବାନୀପାଟଣା ଟାଉନ୍ ଥାନାରେ ଏତଲା ଦେବା ପୂର୍ବରୁ ଗିରଫ ଭୟରେ ୨୦୨୨ ଅକ୍ଟୋବର ୬ରେ ବିଇଓ ଅଫିସ୍ରେ ନିଜର ସ୍କୁଟି ରଖି ଫେରାର୍ ମାରିଥିଲେ। ଏହି ଘଟଣା ‘ସମ୍ବାଦ’ରେ ପ୍ରଥମେ ପ୍ରକାଶିତ ହେବା ପରେ ପୁଲିସ୍ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। କଳାହାଣ୍ଡି ଭିଜିଲାନ୍ସ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ କରାଯାଇଥିଲା। ଶୁଚିସ୍ମିତା ଗିରଫକୁ ଏଡ଼ାଇବା ପାଇଁ ହାଇକୋର୍ଟରେ କେସ ନମ୍ବର ଏବିଏଲଏପିଏଲ ନମ୍ବର–୧୩୩୬୯/୨୦୨୨ରେ ଅଗ୍ରିମ ଜାମିନ ପାଇଁ ଆବେଦନ କରିଥିଲେ। ହାଇକୋର୍ଟ ଜଷ୍ଟିସ ଚିତ୍ତରଞ୍ଜନ ଦାସ ମାମଲାର ଗୁରୁତ୍ବ ଦେଖି ୨୦୨୨ ଅକ୍ଟୋବର ୨୮ ତାରିଖରେ ଜାମିନ ଆବେଦନକୁ ଖାରଜ କରିଥିଲେ।
ପୁଲିସ୍ ସହ ଲୁଚକାଳି ଖେଳି ଆଜି ହଠାତ ଭବାନୀପାଟଣା ଏସ୍ଡିଜେଏମ କୋର୍ଟରେ ଶୁଚିସ୍ମିତା ଆତ୍ମସମର୍ପଣ କରିଥିଲେ। ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୬ରେ ହେବ। ବର୍ତ୍ତମାନ ଉଭୟ ପୁଲିସ ଓ ଭିଜିଲାନ୍ସ ପକ୍ଷରୁ ମାମଲାର ତଦନ୍ତ ନିମନ୍ତେ ରିମାଣ୍ଡରେ ନେବା ପାଇଁ ତତ୍ପରତା ଆରମ୍ଭ ହୋଇଛି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ଏସ୍ଡିଜେଏମ କୋର୍ଟକୁ ଏହି ମାମଲାରେ ସଂଯୁକ୍ତି ନିମନ୍ତେ ଅନୁରୋଧ କରାଯିବ। ଏହା ପରେ ଭିଜିଲାନ୍ସ ପକ୍ଷରୁ ପୃଥକ ଭାବେ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରାଯିବ। ସେହିଭଳି ଭବାନୀପାଟଣା ଟାଉନ୍ ଥାନା ପୁଲିସ ପକ୍ଷରୁ ଏହି ଘଟଣାର ଜେରା ପାଇଁ ରିମାଣ୍ଡ ଆବେଦନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ କୋର୍ଟର ସୂଚନାକୁ ଅପେକ୍ଷା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/jail-d.jpg)