ବ୍ରଜରାଜନଗର : ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ବ୍ରଜରାଜନଗର ଶାଖାରେ ସ୍ବର୍ଗତ ଦଶରଥ ମୁଣ୍ଡାଙ୍କ ନାମରେ ଥିବା ବ୍ୟାଙ୍କ ଜମା ଖାତାରୁ  ପ୍ରାୟ ୧୮ ଲକ୍ଷ ୩୨ ହଜାର ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଦଶରଥଙ୍କ ପତ୍ନୀ ଶ୍ରୀମତୀ ମୁଣ୍ଡା ଓ ପୁଅ ଟିକେଶ୍ୱର ଏହି ଅଭିଯୋଗ ଆଣିଛନ୍ତି। ଏନେଇ ସେମାନେ ବ୍ରଜରାଜନଗର ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି। କେସ୍‌ ନମ୍ବର ୧୮୧/୨୧ରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ କରୁଥିବା ଥାନା ଅଧିକାରୀ ବୈକୁଣ୍ଠ ସେଠ ପ୍ରକାଶ କରିଛନ୍ତି।

Advertisment

ଏହି ଘଟଣା ପରେ ବ୍ୟାଙ୍କ ଆକାଉଣ୍ଟାଣ୍ଟ୍‌ ସନ୍ଦୀପ ମହାନ୍ତି  ୨ ସପ୍ତାହ ହେଲା ବ୍ୟାଙ୍କକୁ ଆସୁ ନଥିବା ତଦନ୍ତକାରୀ ଅଧିକାରୀ ଶ୍ରୀ ସେଠ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏହି ଚଞ୍ଚକତା ସଂପର୍କରେ ଶାଖା ପରିଚାଳକ ରୋହିତ ନନ୍ଦ ଅବଗତ ହେବା ପରେ ଶ୍ରୀ ମହାନ୍ତିଙ୍କୁ ଝାରସୁଗୁଡ଼ା ବଦଳି କରିଛନ୍ତି। ୭ ଦିନ ତଳେ ତାଙ୍କୁ ନିଲମ୍ବନ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଝାରସୁଗୁଡ଼ା ସାରସମାଲର ଦଶରଥ ମୁଣ୍ଡା ବ୍ରଜରାଜନଗରସ୍ଥିତ ଓରିଏଣ୍ଟ କୋଇଲା କ୍ଷେତ୍ରର ୨ ନମ୍ବର କୋଇଲା ଖଣିରେ କାର୍ଯ୍ୟ କରୁଥିଲେ। ଏସ୍‌ବିଆଇ ଲମଟିବାହାଲ ଶାଖାରେ ତାଙ୍କର ଜମା ଖାତା ଥିଲା। ସେ ୨୦୧୪ରେ ଅବସର ନେଇଥିଲେ। ତାଙ୍କର ଅବସର ପରେ  କମ୍ପାନିରୁ ମିଳିଥିବା ଟଙ୍କା ଏହି ଖାତାରେ ଜମା ହୋଇଥିଲା। ତାଙ୍କ ପେନ୍‌ସନ୍‌ ରାଶି ମଧ୍ୟ ଏହି ଖାତାକୁ ଆସୁଥିଲା। ୨୦୧୭ରେ ତାଙ୍କର ମୃତ୍ୟୁ ହେବାରୁ ଆବଶ୍ୟକ କାଗଜପତ୍ର ଜମା କରିବା ପରେ ତାଙ୍କର ସ୍ତ୍ରୀ ଶ୍ରୀମତୀ ମୁଣ୍ଡାଙ୍କୁ ପେନ୍‌ସନ୍ ମିଳୁଛି। ଆବଶ୍ୟକ ପଡ଼ିବାରୁ ଶ୍ରୀମତୀ ଓ ତାଙ୍କ ପୁଅ  ଟିକେଶ୍ୱର ସେହି ଖାତାର ମୂଳ ଜମାରୁ ଟଙ୍କା ଉଠାଇବାକୁ ଚାହିଁଥିଲେ। ମାତ୍ର ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଥିଲା। ଶେଷରେ ସେମାନେ ପୁଲିସର ଧମକ ଦେବାରୁ ୩ ଥରରେ ୧୧ ଲକ୍ଷ ୩୦ ହଜାର ଟଙ୍କା ଉଠାଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ଟଙ୍କା ଉଠାଇବାକୁ ଚାହିଁବାରୁ ସେହି ଖାତାରେ ଥିବା ପ୍ରାୟ ୧୮ ଲକ୍ଷ ୩୫ ହଜାର ଟଙ୍କା ନଥିବା ଜାଣିବାକୁ ପାଇଥିଲେ। ଆକାଉଣ୍ଟାଣ୍ଟ ଶ୍ରୀ ମହାନ୍ତି ଚଞ୍ଚକତା କରି ଅବଶିଷ୍ଟ ଟଙ୍କା ହଡ଼ପ କରିଥିବା ଶ୍ରୀମତୀ ଓ ଟିକେଶ୍ୱର ଅଭିଯୋଗ କରିଥିଲେ।