ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାରେ ବ୍ଲକ୍ କାର୍ଯ୍ୟାଳୟଗୁଡ଼ିକର ମୁଖ୍ୟ ଭୂମିକା ରହୁଛି। ଏଠାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାରୁ ଆକାଉଣ୍ଟ୍ସ ଅଧିକାରୀମାନଙ୍କର କାର୍ଯ୍ୟ ଅଧିକ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଏବେ ରାଜ୍ୟରେ ୫୦ରୁ ଅଧିକ ବ୍ଲକ୍ରେ ଆକାଉଣ୍ଟ୍ସ ଅଧିକାରୀ ନାହାନ୍ତି। କିଛି ବ୍ଲକ୍ରେ ଆକାଉଣ୍ଟ୍ସ ଅଧିକାରୀଙ୍କୁ ନିଯୁକ୍ତି ଦିଆଗଲା ପରେ ବି ସେମାନେ ଯାଉ ନାହାନ୍ତି। ଫଳରେ ବ୍ଲକ୍ଗୁଡ଼ିକରେ ଆକାଉଣ୍ଟ୍ସ ପରିଚାଳନାରେ ଅବ୍ୟବସ୍ଥା ଦେଖାଦେଉଛି।
ଯେଉଁ ବ୍ଲକଗୁଡ଼ିକରେ ଆକାଉଣ୍ଟ୍ସ ଅଧିକାରୀ ନାହାନ୍ତି, ସେଠାରେ ଏବିଡିଓମାନେ ଦାୟିତ୍ବରେ ରହୁଛନ୍ତି। କିନ୍ତୁ ସେମାନଙ୍କର ଆକାଉଣ୍ଟ୍ସ/ଟିକସ ବ୍ୟବସ୍ଥା ଉପରେ ସେତେଟା ଦଖଲ ନ ଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଛି। ଭୁଲ୍ ହିସାବ ପାଇଁ ବିଭିନ୍ନ ବ୍ଲକ୍ରେ ଅଭିଯୋଗର ତାଲିକା ବି ଲମ୍ବୁଛି। ଗୋଟିଏ ଗୋଟିଏ ବ୍ଲକ୍ରେ ୮/୧୦ ବର୍ଷ ଧରି ଏବିଡିଓ ହିଁ ଆକାଉଣ୍ଟ୍ସ ଅଧିକାରୀ ଭାବେ ଦାୟିତ୍ବ ତୁଲାଉଛନ୍ତି। ଏ ନେଇ ବିଭିନ୍ନ ଆଡ଼ୁ ଅଭିଯୋଗ ଆସିଲା ପରେ ଗତ ଏପ୍ରିଲ୍ ମାସ ୬ ତାରିଖରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୩୭ ଜଣ ଅଧିକାରୀଙ୍କୁ ବିଭିନ୍ନ ବ୍ଲକ୍ର ଆକାଉଣ୍ଟ୍ସ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହା ମଧ୍ୟରେ ଏକ ମାସରୁ ଅଧିକ ସମୟ ବିତିଯାଇଥିଲେ ବି ଏମାନଙ୍କ ମଧ୍ୟରୁ ଅଧିକାଂଶ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ପଞ୍ଚାୟତିରାଜ ବିଭାଗ ବି ନିଯୁକ୍ତି ନିର୍ଦ୍ଦେଶ ଜାରି କରିଦିଆଯାଇ ଚୁପ୍ ବସିଯାଇଛି। ବାସ୍ତବରେ ଏହି ଅଧିକାରୀମାନେ ବ୍ଲକ୍ ଯିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ନା କୌଣସି ଚାପରେ ବ୍ଲକ୍କୁ ଜାଣିଶୁଣି ଆକାଉଣ୍ଟ୍ସ ଅଧିକାରୀଙ୍କୁ ପଠାଯାଉନି, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।