ପଞ୍ଚାୟତ ନିର୍ବାଚନ: ୪୪ ହଜାରରେ ସରପଞ୍ଚ ପଦ ହେଲା ବିକ୍ରି! ବଲାଙ୍ଗୀର ପୁଇଁତଳା ବ୍ଲକରୁ ଆସିଲା ସାଂଘାତିକ ଅଭିଯୋଗ

ବଲାଙ୍ଗୀର: ଚାରିଆଡ଼େ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଚାଲିଛି। ହେଲେ ଏଭଳି ସମୟରେ ପଂଚଙ୍କ ସହମତିରେ ସରପଂଚ ହେବା ଘଟଣା ସାମ୍ନାକୁ ଆସିଛି। ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ୍‌ ବିଲେଇସର୍ଡା ପଂଚାୟତବାସୀ ତାଙ୍କ ଅଂଚଳରେ କିଏ ସରପଞ୍ଚ ହେବ ତାହା ବାଛିନେଇଛନ୍ତି। ଗାଁର ସୁଶାନ୍ତ ଛତ୍ରିଆ ଏଥର ସରପଞ୍ଚ ହେବେ ବୋଲି ପଂଚାୟତବାସୀ ମନୋନୀତ କରିଛନ୍ତି। ଏହାସହ ସେ ନିର୍ବାଚନରେ ଯାହା ଟଙ୍କା ଖର୍ଚ୍ଚ କରିବାକୁ ରଖିଥିଲେ ତାହା ସେ ଗାଁର ଜଗନ୍ନାଥ ମନ୍ଦିରକୁ ଦେବେ। ୪୪ ହଜାର ଟଙ୍କା ସେ ଜଗନ୍ନାଥ ମନ୍ଦିରକୁ ଦେବେ ବୋଲି ଶ୍ରୀ ଛତ୍ରିଆ ପଂଚାୟତର ବୁଦ୍ଧିଜୀବୀମାନଙ୍କୁ ନେଇ ବସିଥିବା ବୈଠକରେ କହିଛନ୍ତି।

ପଂଚାୟତରୁ ମାତ୍ର ଜଣେ ହିଁ ସରପଞ୍ଚ ପାଇଁ ଏଥର ନାମାଙ୍କନପତ୍ର ଦାଖଲ କରିବେ ଏବଂ ତାଙ୍କୁ ହିଁ ସମସ୍ତେ ସରପଞ୍ଚ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ପଂଚାୟତବାସୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୨୨ ପଂଚାୟତ ନିର୍ବାଚନ ସମୟରେ କରୋନା ସମସ୍ତଙ୍କୁ ଡରାଇଛି। ଏଣୁ ଏଥର ମନୋନୟନ ଭିତ୍ତିରେ ସରପଞ୍ଚ ବାଛିବାକୁ ବୈଠକ ହୋଇଥିଲା। ଏଥିରେ ବିଲେଇସର୍ଡା ପଂଚାୟତର ବିଲେଇସର୍ଡା, ବନ୍ଦନାକଟା, କସୁରପାଲି ଗାଁର ବରିଷ୍ଠ ଲୋକଙ୍କୁ ଡକାଯାଇଥିଲା। ଏହାସହ ଯେଉଁମାନେ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ ସେମାନଙ୍କୁ ବି ଡକାଯାଇଥିଲା। ୪ ଜଣ ପ୍ରତିଦ୍ୱନ୍ଦ୍ବୀ ରହିଥିଲେ। ବୈଠକରେ ସୁଶାନ୍ତଙ୍କୁ ଲୋକେ ମନୋନୀତ କରିଥିଲେ।

ବୈଠକରେ ସେ ଯାହା ନିର୍ବାଚନରେ ଖର୍ଚ୍ଚ କରିବେ ତାହା ଜଗନ୍ନାଥ ମନ୍ଦିରକୁ ଦେବାକୁ ନେଇ ଆଲୋଚନା ହୋଇଥିଲା ଏବଂ ସୁଶାନ୍ତ ନିଜେ ଗରିବ ଶ୍ରେଣୀର ହୋଇଥିବାରୁ ୪୪ ହଜାର ଟଙ୍କା ଦେବେ ବୋଲି କହିଥିଲେ। ଏଭଳି ଭାବେ ଗାଁରେ ବସିଥିବା ପଂଚ ତଥା ବୈଠକରେ ସରପଞ୍ଚ କିଏ ହେବ ମନୋନୟନ ହୋଇଛି। ସମସ୍ତେ ସୁଶାନ୍ତଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି କହିଛନ୍ତି। କିନ୍ତୁ ବୈଠକ ନିଷ୍ପତ୍ତିକୁ ନମାନି ଯଦି କେହି ନାମାଙ୍କନ ଦାଖଲ କଲେ ଆଉ କଣ କରାଯାଇପାରିବ ବୋଲି ପଂଚାୟତବାସୀ କହିଛନ୍ତି। କିନ୍ତୁ କରୋନା କାଳରେ ସଂକ୍ରମଣର ଭୟାବହତାକୁ ଦେଖି ଏଭଳି ବୈଠକ କରାଯାଇ ସରପଞ୍ଚ କିଏ ହେବ ଚୟନ କରାଯାଇଥିବା ସମସ୍ତେ କହିଛନ୍ତି। ଏଭଳି ଭାବରେ ସରପଂଚ ଚୟନକୁ ନେଇ ଅନେକ ପ୍ରଶ୍ନ ଏବେ ଉଠିଛି। ଏହା ଗଣତନ୍ତ୍ରର ବିଡ଼ମ୍ବନା ନା ସହମତିରେ ସରପଞ୍ଚ ବୋଲି ପ୍ରଶ୍ନ ଉଠିଲାଣି। ଏଥର ନିର୍ବାଚନ ନାମାଙ୍କନ ଦାଖଲ ସମୟରେ ଏଭଳି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସତ୍ୟତା ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ
ଜଗନ୍ନାଥ ମନ୍ଦିରକୁ ୪୪ ହଜାର ଟଙ୍କା ଦାନ କରି ସରପଞ୍ଚ ହେବା ଘଟଣାକୁ ନେଇ ଏବେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତଦନ୍ତ କରିବ ବୋଲି ଜଣାପଡିଛି। ଜିଲ୍ଲାପାଳ ପ୍ରତିକ୍ରିୟାରେ ‘ସେ ବିଷୟରେ ଆମେ ଯାଞ୍ଚ କରିବୁ। ଯଦି ନିର୍ବାଚନ ଗାଇଡଲାଇନ ଉଲ୍ଲଂଘନ ହୋଇଥିବ ତା’ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ’ ବୋଲି କହିଛନ୍ତି। ଅନ୍ୟପଟେ ରାଜ୍ୟ ନିର୍ବାଚନ କମିସନ ମଧ୍ୟ ଘଟଣାକୁ ନେଇ ବଲାଙ୍ଗୀର ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର