ସୋନପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ (ସିଏସ୍ଓ) ସୁରେଶ ପାଣିଗ୍ରାହୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ଉ କରିଛି। ସୋନପୁରସ୍ଥିତ ଶ୍ରୀ ପାଣିଗ୍ରାହୀଙ୍କ ଭଡ଼ାଘର, ନିଜ କାର୍ଯ୍ୟାଳୟ, ବଲାଙ୍ଗୀର ତୁଳସୀନଗରସ୍ଥିତ ବାସଭବନ ଓ ସଂପର୍କୀୟଙ୍କ ଘର, ବରଗଡ଼ ଜିଲ୍ଲା ବଲଣ୍ଡା ଗ୍ରାମସ୍ଥିତ ପୈତୃକ ଘର, ଭୁବନେଶ୍ବର ପଟିଆସ୍ଥିତ ଭଡ଼ାଘର ଓ ସମ୍ପର୍କୀୟଙ୍କ ଭଡ଼ାଘର, ବରଗଡ଼ ଗଙ୍ଗାଧର ସାହିସ୍ଥିତ ସମ୍ପର୍କୀୟଙ୍କ ଭଡ଼ାଘର, ବଲଣ୍ଡାରେ ଥିବା ଭାଇଙ୍କ ପାଉଁଶ ଇଟା କାରଖାନା (ଫ୍ଲାଏଆସ୍ ବ୍ରିକ୍ସ ଫାକ୍ଟ୍ରି), ବରଗଡ଼ ବିଜେପୁର ଥାନା ପହଣ୍ଡିରେ ଥିବା ଭାଇଙ୍କ ପେଟ୍ରୋଲ ପମ୍ପ, ବଲଣ୍ଡାରେ ଥିବା ସମ୍ପର୍କୀୟଙ୍କ ଘର ଆଦି ମୋଟ ୧୧ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚରେ ଶ୍ରୀ ପାଣିଗ୍ରାହୀଙ୍କର ବଲାଙ୍ଗୀର ତୁଳସୀନଗରରେ ଗୋଟିଏ ଦୁଇମହଲା କୋଠା ସହ ଅନ୍ୟ ଏକ କୋଠା ଠାବ କରାଯାଇଛି।
ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ୧୯ଟି ପ୍ଲଟ୍
୧.୭୨ କୋଟି ଟଙ୍କାର ବ୍ୟାଙ୍କଜମା ଠାବ
ସେହିପରି ତାଙ୍କର ୧୯ଟି ପ୍ଲଟ୍ ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଭୁବନେଶ୍ବରର ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ୩ଟି ପ୍ଲଟ୍, ସମ୍ବଲପୁର ସହରରେ ୪ଟି, ବଲାଙ୍ଗୀର ସହରରେ ଗୋଟିଏ, ବରଗଡ଼ ସହରରେ ଗୋଟିଏ, ପୈତୃକ ଗ୍ରାମ ବଲଣ୍ଡାରେ ୪ଟି ଓ ବିଜେପୁରରେ ୬ଟି ପ୍ଲଟ୍ ରହିଛି। ବଲଣ୍ଡାରେ ୫ଶହ ଶାଗୁଆନ ଗଛ ଥିବା ୪ ଏକରର ଏକ ଫାର୍ମହାଉସ ମଧ୍ୟ ଠାବ ହୋଇଛି। ଏହାଛଡ଼ା ତାଙ୍କର ୧ କୋଟି ୭୨ ଲକ୍ଷ ୩୫ ହଜାର ୯୪୬ ଟଙ୍କାର ବ୍ୟାଙ୍କ, ପୋଷ୍ଟାଲ, ବୀମା ଏବଂ ମ୍ୟୁଚୁଆଲ ଫଣ୍ଡ୍ ଜମା ରହିଛି। ଯାଞ୍ଚ ସମୟରେ ତାଙ୍କଠାରୁ ନଗଦ ୧ ଲକ୍ଷ ୪୯ ହଜାର ଟଙ୍କା ମଧ୍ୟ ମିଳିଛି। ବରଗଡ଼ ପହଣ୍ଡିରେ ତାଙ୍କ ଭାଇଙ୍କ ନାମରେ ଥିବା ଏକ ପେଟ୍ରୋଲ ପମ୍ପ ଏବଂ ଜେସିବି ଏକ୍ସାଭେଟର୍ ଠାବ କରାଯାଇଛି। ବଲାଙ୍ଗୀର ଷ୍ଟେଟ୍ବ୍ୟାଙ୍କରେ ଶ୍ରୀ ପାଣିଗ୍ରାହୀଙ୍କର ଏକ ଲକର୍ ମଧ୍ୟ ରହିଛି। ତେବେ ଯାଞ୍ଚ ଚାଲିଥିବାରୁ ଆଗକୁ ସମ୍ପତ୍ତି ପରିମାଣ ବୃଦ୍ଧି ପାଇପାରେ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/21/w8KGM2rSyUgiNz9dvZKl.jpg)