ନାଉଗାଁ, : ନାଉଗାଁ ଥାନା ଅନ୍ତର୍ଗତ ଜାମୁଗାଁ ପଞ୍ଚାୟତ ନନ୍ଦିଗ୍ରାମରେ ରବିବାର ଦିନ ସରୋଜ ପରିଡ଼ା(୨୨) ନାମକ ଜଣେ ଯୁବକଙ୍କ ଘର ଭିତରେ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସରୋଜଙ୍କ ମା ମାନସିକ ବିକୃତ। ସେ ଘର ଭିତରେ ସରୋଜକୁ ମାରି‌ଦେଇଛି ବୋଲି ସାନଭାଇ ସୂର୍ଯ୍ୟକାନ୍ତ ଅଭିଯୋଗ କରିଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଏଣେ ମୃତ ସରୋଜଙ୍କ ଦେହର କୌଣସି ସ୍ଥାନରେ କ୍ଷତ ଚିହ୍ନ କିମ୍ବା ଆଘାତ ଲାଗିଥିବା ଜଣା ପଡ଼ୁନାହିଁ। ତେଣୁ ସରୋଜଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥାଇପାରେ ବୋଲି କେତେକ ଆଶଙ୍କା କରୁଛନ୍ତି। ପୁଲିସ୍‌ କହିଛି ଶବ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

Advertisment

publive-image

ଗାଁ ଲୋକଙ୍କ ସୂଚନା ଅନୁସାରେ, ସଂଗ୍ରାମ ପରିଡାଙ୍କ ପତ୍ନୀ ପୂଜାରିଣୀ ଜଣେ ମାନସିକ ବିକୃତ ରୋଗୀ। ତାଙ୍କର ଦୁଇପୁଅ ସରୋଜ ଓ ସୂର୍ଯ୍ୟକାନ୍ତ। ସୂର୍ଯ୍ୟକାନ୍ତ ଜଗତସିଂହପୁରରେ ଏକ ଗ୍ୟାରେଜ୍‌ରେ କାମକରେ। ଘରେ ପୂଜାରିଣୀଙ୍କୁ ନେଇ ସର୍ବଦା ଅଶାନ୍ତି କାରଣରୁ ସଂଗ୍ରାମ ୫ ବର୍ଷ ହେଲା ଗାଁ ମନ୍ଦିରରେ ରୁହନ୍ତି। ଘରେ ପୂଜାରିଣୀ ସହ ବଡପୁଅ ସରୋଜ ରହିଥାନ୍ତି। ଗତ ଦୁଇଦିନ ହେଲା ସାନପୁଅ ଘରକୁ ଆସିଥିବା ବେଳେ ଆଜି ଦିନ ପ୍ରାୟ ଗୋଟାଏ ବେଳେ ଏକ ଘରେ ପଙ୍ଖା ଲଗାଇ ଶୋଇଥିଲା। ଅନ୍ୟ ଘରେ ଶୋଇଥିବା ସରୋଜକୁ ସେଠାରୁ ପଙ୍ଖା ନେଇଆସିବାକୁ ମା ପୂଜାରିଣୀ କହିଥିଲେ ହେଁ ସେ ଶୁଣିନଥିଲେ। ଏତିକି ବେଳେ ରାଗି ଯାଇ ପୂଜାରିଣୀ ସରୋଜ ଥିବା ଘର ଭିତରକୁ ପଶିଯାଇ ଭିତରପଟୁ କବାଟ ବନ୍ଦ କରି ଦେଇଥିଲେ। କିଛି ସମୟ ଭିତରେ ସରୋଜ ଜୋର୍‌ରେ ଚିତ୍କାର କରିବାରୁ ସୂର୍ଯ୍ୟକାନ୍ତ କଣହେଲା ଦେଖିବାକୁ ଯିବାରୁ ସେ କବାଟ ଖୋଲିନଥିଲେ।

ତୁରନ୍ତ ସେ ମନ୍ଦିରକୁ ଯାଇ ବାପା ସଂଗ୍ରାମଙ୍କୁ ଡାକି ଆଣିଥିଲେ। ପଡ଼ୋଶୀ ଓ ଗାଁ ଲୋକ ରୁଣ୍ଡ ହୋଇ କବାଟ ଭାଙ୍ଗିବାରୁ ସରୋଜ ତଳେପଡି ଛଟପଟ ହେଉଥିବା ଦେଖିଥିଲେ। ତାଙ୍କୁ ତୁରନ୍ତ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ସରୋଜଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ନାଉଗାଁ ପୁଲିସ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ସରୋଜଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ଅଧିକ ତଦନ୍ତ କରୁଛି। ସରୋଜଙ୍କ ମୃତ୍ୟୁକୁ ନେଇ ନାନା ଆଶଙ୍କା ସୃଷ୍ଟି ହୋଇଛି। ଅଦ୍ୟାବଧି ନାଉଗାଁ ଥାନାରେ ଏନେଇ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ।