ସମ୍ବଲପୁର : ନବ ଦାସ ହତ୍ୟା ମାମଲାର ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ତଦନ୍ତ କରୁଥିବା କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ର ନେତୃତ୍ବ ନେଉଥିବା ଡିଏସ୍‌ପି ରମେଶ ଚନ୍ଦ୍ର ଦୋରାଙ୍କ ନାମରେ ମିଥ୍ୟା ଜାତିଗତ ପ୍ରମାଣପତ୍ର ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଥମୁନି। ୧୨ ବର୍ଷ ପୂର୍ବେ କ୍ରାଇମ୍‌ ବ୍ରାଞ୍ଚ ଏହାର ତଦନ୍ତ କରି ଶ୍ରୀ ଦୋରା ଆଦିବାସୀ ନହୋଇ ମିଛ ପ୍ରମାଣପତ୍ର ବଳରେ ଆଦିବାସୀ କୋଟାରେ ଚାକିରି କରୁଥିବା ଦର୍ଶାଇଥିଲା। ଗତ ବର୍ଷ ବରଗଡ଼ ତହସିଲଦାର ଶ୍ରୀ ଦୋରାଙ୍କ ଆଦିବାସୀ ଜାତି ପ୍ରମାଣପତ୍ର ତାଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ସଂପର୍କିତ କୌଣସି ରେକର୍ଡ ନଥିବା ଦର୍ଶାଇଥିଲେ। ଉକ୍ତ ତଥ୍ୟ ଆଧାରରେ ଶ୍ରୀ ଦୋରାଙ୍କ ଜାତିଗତ ପ୍ରମାଣପତ୍ର ଜାଲ୍ ବୋଲି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ନିକଟରେ ଅଭିଯୋଗ ଦାଖଲ ହୋଇଥିଲା। ଏବେ ବି କ୍ରାଇମ୍‌ ବ୍ରାଞ୍ଚ ଡିଏସ୍‌ପି ରମେଶ ଦୋରାଙ୍କ ନାମରେ ବିଭିନ୍ନ ମାମଲା ଓଡ଼ିଶା ହାଇକୋର୍ଟ, ଓଡ଼ିଶା ମାନବାଧିକାର ଆୟୋଗ, ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଓ ସମ୍ବଲପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବିଚାରାଧୀନ ରହିଛି। ଜାଲ୍ ଜାତିଗତ ପ୍ରମାଣପତ୍ର ମାମଲାରେ ଗତ ବର୍ଷ ଅଗଷ୍ଟ ମାସରେ ବରଗଡ଼ ଟାଉନ୍‌ ଥାନାରେ ଶ୍ରୀ ଦୋରାଙ୍କ ନାମରେ ୪୮୧/୨୨ ମାମଲା ରୁଜୁ ହୋଇଛି। ସେହିପରି ଶ୍ରୀ ଦୋରା ଏକଦା ନିଜେ ମୁଖ୍ୟ ଥିବା ସମ୍ବଲପୁର ଟାଉନ୍‌ ଥାନାରେ ବି ତାଙ୍କ ନାମରେ ଦୁଇଟି ମାମଲା ୨୨୯/୨୨ ଓ ୨୩୦/୨୨ ଓ ସମ୍ବଲପୁର ସାଇବର ଥାନାରେ ୪୩/୨୨ ବିଚାରାଧୀନ ରହିଛି। ଏଭଳି ପରିସ୍ଥିତିରେ ତାଙ୍କୁ ତଦନ୍ତ ଏହି ଗୁରୁତ୍ବପୂର୍ଣ୍ଣ ତଥା ସମ୍ବେଦନଶୀଳ ଘଟଣାରେ ତଦନ୍ତ ଦାୟିତ୍ବ ଦିଆଯିବା ଘଟଣାକୁ କେହି ସହଜରେ ଗ୍ରହଣ କରୁନାହାନ୍ତି।

Advertisment

ଶ୍ରୀ ଦୋରାଙ୍କ ଜାତି ବିବାଦ ଆଜିର ନୁହେଁ, ବହୁ ବର୍ଷ ତଳୁ ଏହା ଉପରେ ତଦନ୍ତ ହୋଇ ତାଙ୍କ ବିରୋଧରେ ସରକାରୀସ୍ତରରେ ରିପୋର୍ଟ ଦିଆଯାଇଛି। କିନ୍ତୁ ତାହାକୁ ଏତେ ଦିନ ଧରି ଚାପି ରଖାଯାଇଛି ଓ ଶ୍ରୀ ଦୋରା ନିର୍ବିଘ୍ନରେ ସରକାରୀ ଚାକିରି କରୁଛନ୍ତି ଓ ପଦୋନ୍ନତି ବି ପାଉଛନ୍ତି। କେବଳ ସେତିକି ନୁହେଁ ପରବର୍ତ୍ତୀ ସମୟରେ ଶ୍ରୀ ଦୋରାଙ୍କ ବିରୋଧରେ ଯେବେ ଅଭିଯୋଗ ହୋଇଛି ପୁଲିସ୍ ବିଭାଗର ବରିଷ୍ଠ ଅଧିକାରୀ ବେପରୁଆ ଭାବେ ତଦନ୍ତ କରି ତାଙ୍କୁ କ୍ଲିନ୍‌ଚିଟ୍ ଦେବାକୁ ମଧ୍ୟ ପଛାଇ ନାହାନ୍ତି।

ଏପରିକି ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ୨୦୦୮ ମସିହାରେ ଶ୍ରୀ ଦୋରାଙ୍କ ବିରୋଧରେ ଅଭିଯୋଗ କରିଥିଲା। ସେ ଅଣଆଦିବାସୀ ହୋଇ ମିଥ୍ୟା ଜାତି ପ୍ରମାଣପତ୍ର ବଳରେ ଆସିବାସୀଙ୍କ ପାଇଁ ସଂରକ୍ଷିତ ସରକାରୀ ଚାକିିରି ହାତେଇଛନ୍ତି ବୋଲି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ନିକଟରେ ସଂଘ ଅଭିଯୋଗ କରିଥିଲା। ଏହା ଉପରେ ତଦନ୍ତ ପାଇଁ ଆର୍‌ଡିସି ଉଭୟ ବରଗଡ଼ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ମଙ୍ଗଳ ଅଧିକାରୀ ମଧ୍ୟ ତଦନ୍ତ ପାଇଁ ଏସ୍‌ପିଙ୍କୁ ଅନୁରୋଧ କରିଥିଲେ। ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ବରଗଡ଼ ଜିଲ୍ଲା ଭିଜିଲାନ୍‌ସ ସେଲ୍‌ର ଡିଏସ୍‌ପି (କ୍ରାଇମ୍‌) ଓ ବରଗଡ଼ ଟାଉନ୍‌ ଥାନା ଅଧିକାରୀ ଶ୍ରୀ ଦୋରାଙ୍କ ଜାତି ସଂପର୍କରେ ବିସ୍ତୃତ ତଦନ୍ତ କରିଥିଲେ।

ସବୁ ତଥ୍ୟ, ସୂଚନା, ଦସ୍ତାବେଜ୍‌ ଓ ବିବରଣୀ ବିଚାରକୁ ନେଇ ଶ୍ରୀ ‌ରମେଶ ଦୋରା ଜାତିରେ ତେଲେଙ୍ଗା ଓ କଣ୍ଡଦୋରା ଜାତି ସହ ତାଙ୍କର କୌଣସି ସଂପର୍କ ନାହିଁ। ତେଣୁ ସେ ଆଦିବାସୀ ନୁହନ୍ତି ବୋଲି ବରଗଡ଼ ପୁଲିସ୍ ପକ୍ଷରୁ ପ୍ରଦତ୍ତ ରିପୋର୍ଟରେ ସ୍ପଷ୍ଟଭାବେ ଉଲ୍ଲେଖ କରା ଯାଇଥିଲା। ୨୦୧୧ ମସିହା ଏପ୍ରିଲ ୨୮ ତାରିଖରେ ଏହି ରିପୋର୍ଟ ଉତ୍ତରାଞ୍ଚଳ ରାଜସ୍ବ ଆ‌ୟୁକ୍ତଙ୍କ ନିକଟରେ ଦାଖଲ କରା ଯାଇଥିଲା। ଡ. ସୁରେଶ ଚନ୍ଦ୍ର ଦଳାଇ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଦାୟିତ୍ବ ନେବା ପରେ ଗତ ଡିସେମ୍ବର ୨୬ ତାରିଖରେ ଏହି ମାମଲାର ଶୁଣାଣି କରିଥିଲେ। ପରବର୍ତ୍ତୀ ଶୁଣାଣିରେ ଏ ସଂପର୍କରେ ରାୟ ପ୍ରକାଶ କରିବେ ବୋଲି ପ୍ରକାଶ କରିଥିଲେ।