ସମ୍ବଲପୁର: ପରିସ୍ରା କରିବାକୁ କହି ପାଇଖାନା ସ୍କାଏ ଲାଇଟ୍ ଭାଙ୍ଗି କୋର୍ଟ ପରିସରରୁ ଜଣେ ଅଭିଯୁକ୍ତ ଫେରାର ମାରିଛି। ଶୌଚାଳୟ ବାହାରେ ଅଭିଯୁକ୍ତକୁ ପୁଲିସ ଅପେକ୍ଷା କରିଥିବା ବେଳେ ଅଭିଯୁକ୍ତ କୌଶଳକ୍ରମେ ଖସିଯାଇଛି। ସମ୍ବଲପୁର କୋର୍ଟରେ ଆଜି ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଫେରାର ଅଭିଯୁକ୍ତ ହେଲା ଗୁଲଗୁଲା ଖାନ୍।
ସୂଚନା ଅନୁସାରେ ଗୁଲଗୁଲା ଖାନ୍ ୨୦୦୧ ମସିହାର ଏକ ହତ୍ୟା ମାମଲାର ଅଭିଯୁକ୍ତ ଥିଲା। ସେ ଏହି କାରଣରୁ ଜେଲ୍ ଯାଇଥିଲା ଏବଂ ୨୦୧୦ ମସିହାରେ ଜେଲରୁ ସର୍ତ୍ତମୂଳକ ଜାମିନରେ ବାହାରିଥିଲା। କିନ୍ତୁ କୋର୍ଟଙ୍କ ଆଦେଶ ଅନୁସାରେ ହାଜର ହୋଇ ନଥିବାରୁ ତା ନାମରେ ୱାରେଣ୍ଟି ଥିଲା। ତେଣୁ ବୁଧବାର ରାତି ଟାଉନ୍ ଥାନା ପୁଲିସ ଗିରଫ କରିଥିଲା। ଡାକ୍ତରୀ ପରୀକ୍ଷା କରାଯିବା ପରେ ଟାଉନ୍ ଥାନା ପୁଲିସ ଗୁଲଗୁଲାକୁ କୋର୍ଟଚାଲାଣ କରିଥିଲା।
ତେବେ କୋର୍ଟ ପରିସରରେ ଗୁଲଗୁଲା ଖାନ୍ ପରିସ୍ରା କରିବା କଥା କହି ଶୌଚାଳୟ ଭିତରକୁ ଯାଇଥିଲା। ବାହାରେ ପୁଲିସ ଜଗିଥିଲେ। ହେଲେ ଗୁଲଗୁଲା ଶୌଚାଳୟ ସ୍କାଏଲାଇଟ୍ ଭାଙ୍ଗି ଚମ୍ପଟ ମାରିଥିଲା। ପୁଲିସ କର୍ମଚାରୀ ଜାଣିବା ବେଳକୁ ସେ ଫେରାର ହୋଇଯାଇଥିଲା। ଏ ନେଇ ସୂଚନା ମିଳିବା ପରେ ଟାଉନ୍ ଥାନା ପୁଲିସ ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।