ନବ ଦାସ ମୃତ୍ୟୁ ମାମଲା: କ୍ରାଇମ୍‌ବ୍ରାଞ୍ଚକୁ ମିଳିଲା ଗୋପାଳର ଡାଏରି, ଝାରସୁଗୁଡ଼ାରେ ପହଞ୍ଚିଲେ ସିଏଫ୍‌ଏସ୍‌ଏଲ୍‌ ଟିମ୍‌

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଜାରି ରଖିଛି। କ୍ରାଇମ୍‌ବ୍ରାଞ୍ଚ ତଦନ୍ତର ୩ୟ ଦିନରେ ଶୁକ୍ରବାର ଅଭିଯୁକ୍ତ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ରହୁଥିବା କ୍ବାର୍ଟରରୁ ଡାଏରି ପାଇଛି। ତଦନ୍ତର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। କ୍ରାଇମବ୍ରାଞ୍ଚ କହିଛି ଯେ, ଗୋପାଳଙ୍କ ବନ୍ଦ ଥିବା ସରକାରୀ କ୍ୱାର୍ଟର୍ସ ଯାଞ୍ଚ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜାତ ସହ ଏକ ଡାଏରି ମିଳିଛି। ଏହାକୁ କ୍ରାଇମବ୍ରାଞ୍ଚ ଅଫିସର ଯାଞ୍ଚ କରୁଛନ୍ତି। ଏହାରି ମଧ୍ୟରେ ନୂଆଦିଲ୍ଲୀରୁ ସିଏଫଏସ୍‌ଏଲ୍‌ ଟିମ୍‌ ଆସି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି।

କ୍ରାଇମ୍‌ବ୍ରାଞ୍ଚ କହିଛି ଯେ, ଗୋପାଳର ବନ୍ଦ ଥିବା ସରକାରୀ କ୍ବାର୍ଟରକୁ ଯାଞ୍ଚ କରାଯାଇଥିଲା। ଏହି ସମୟରେ ମାଜିଷ୍ଟ୍ରେଟ୍‌ ଉପସ୍ଥିତ ଥିଲେ। କ୍ବାର୍ଟର ଯାଞ୍ଚ ବେଳେ ଗୁରୁତ୍ବପୂର୍ଣ୍ଣ କାଗଜାତ ମିଳିଥିଲା। କିଛି ହାତଲେଖା କାଗଜ ଓ ପ୍ରିଣ୍ଟ ଡକ୍ୟୁମେଣ୍ଟ ମଧ୍ୟ ମିଳିଥିଲା। ଏଥି ସହିତ ଗୋପାଳର ଡାଏରି ମଧ୍ୟ ମିଳିଥିଲା। କ୍ରାଇମ୍‌ବ୍ରାଞ୍ଚ ଗୋପାଳର ଡାଏରିକୁ ଯାଞ୍ଚ କରିଛି। ସେହିପରି ପାଇଖାନା ଟାଙ୍କିରୁ ମିଳିଥିବା ୨୨ ଖଣ୍ଡ ଟୁକୁଡା କାଗଜକୁ ଗୋପାଳ ଚିହ୍ନଟ କରିଛି। ହାତଲେଖା ତାର ବୋଲି ମଧ୍ୟ କହିଛି। ଟୁକୁଡା କାଗଜକୁ ଯୋଡ଼ି ରହସ୍ୟ କାଢ଼ିବାକୁ ହ୍ୟାଣ୍ଡରାଇଟିଂ ବିଶେଷଜ୍ଞ ଉଦ୍ୟମ କରିଛନ୍ତି। ଗୋପାଳର ହାତଲେଖା କି ନୁହେଁ, ସ୍ପଷ୍ଟ ହେବାକୁ ପରୀକ୍ଷା ପାଇଁ ପଠାଯିବ।

ନବ ଦାସ ମୃତ୍ୟୁ ମାମଲାରେ ତଦନ୍ତ ଜାରି ରହିଛି। ସମୟ ଗଡ଼ିଚାଲିଛି। କିନ୍ତୁ କ୍ରାଇମବ୍ରାଞ୍ଚ ମାମଲାର ମୂଳରେ ପହଞ୍ଚି ପାରିନାହିଁ। ଏହାରି ଭିତରେ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ୫ ଦିନ ବିତିଛି। ମୃତ୍ୟୁ ପଛର ରହସ୍ୟ ଏବେ ବି ରହସ୍ୟ ଘେରରେ ରହିଛି। କାହିଁକି ମନ୍ତ୍ରୀଙ୍କୁ ଗୋପାଳ ଦାସ ଗୁଳି କରି ହତ୍ୟା କଲା, ଏହା ଜାଣିବାକୁ ସାରା ଓଡ଼ିଶାବାସୀ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି। ହେଲେ ହତ୍ୟାକାଣ୍ଡର ପ୍ରକୃତ କାରଣ ପାଖରେ ତଦନ୍ତକାରୀ ଦଳ ପହଞ୍ଚି ପାରିନାହିଁ।

କ୍ରାଇମ୍‌ବ୍ରାଞ୍ଚର ଗୋଟିଏ ଟିମ୍‌ ଝାରସୁଗୁଡା ତଦନ୍ତ ଜୋରଦାର ଚାଲିଥିବାବେଳେ ଅନ୍ୟ ୨ଟି ଟିମ୍‌ ଗଞ୍ଜାମ ଓ ସମ୍ବଲପୁର ବୁର୍ଲାରେ ଛାନଭିନ କରିଛନ୍ତି । ଗଞ୍ଜାମରେ ଥିବା ଟିମ୍ ଗୋପାଳଙ୍କ କଲେଜ ବନ୍ଧୁଙ୍କ ପଚରାଉଚୁରା କରିଥିବା ଜଣାପଡିଛି। ସେପଟେ ଆଉ ଗୋଟିଏ ଟିମ୍ ସମ୍ବଲପୁର ବୁର୍ଲା ମେଡିକାଲରେ ପହଁଚି ଚିକିତ୍ସିତ ହେଉଥିବା ଜୀବନ ନାୟକଙ୍କୁ ପଚରାଉଚୁରା କରିଛି।

ସୂଚନାଯୋଗ୍ୟ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତମାସ ୨୯ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟାରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ସେ ସେହି କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚି ମଂଚାସୀନ ହେବା ପୂର୍ବରୁ ତାଙ୍କୁ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ମୁତୟନ ହୋଇଥିବା ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଥିଲେ। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବାରୁ ସେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ବରସ୍ଥିତ ଆପଲୋ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଏହି ଘଟଣାରେ ଅଭିଯୁକତ ଏଏଏସ୍‌ଆଇ ଗୋପାଳକୃଷ୍ଣଙ୍କୁ ପୁଲିସ ଗିରଫ କରିଛି। ଘଟଣାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଏପର୍ଯ୍ୟନ୍ତ ୩ଟି ଟିମ୍‌ ଗଠନ କରିଛି। ଏହାରି ମଧ୍ୟରେ ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନ ଓ ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ବର ଭୋଇଙ୍କୁ ରାଜ୍ୟ ମୁଖ୍ୟ ପୁଲିସ କାର୍ଯ୍ୟାଳୟକୁ ବଦଳି ହୋଇଛି।

ସମ୍ବନ୍ଧିତ ଖବର