ଭୁବନେଶ୍ବର/ବ୍ରହ୍ମପୁର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କରିଥିବା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କ ଫରେନସିକ ସାଇକୋଲୋଜିକାଲ ଆସେସମେଣ୍ଟ ଓ ଲେୟାର୍ଡ ଭଏସ୍ ଆନାଲିସିସ୍ ଟେଷ୍ଟ କରାଯିବ। ଏହି ଟେଷ୍ଟ ପାଇଁ ଦିଲ୍ଲୀରୁ ଫରେନସିକ ଏକ୍ସପର୍ଟ ଆସିବେ। ପୋଷ୍ଟ ମର୍ଟମ୍ ରିପୋର୍ଟରେ ମୃତ୍ୟୁର କାରଣ କାରଡ଼ିଓଜେନିକ ସକ୍ ବୋଲି କୁହାଯାଇଛି ।
ନବ ଦାସ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଗୋପାଳକୁ କ୍ରାଇମବ୍ରାଞ୍ଚ ୪ ଦିନିଆ ରିମାଣ୍ଡରେ ନେଇଛି। ଏହାରି ଭିତରେ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ଗୋପାଳଙ୍କୁ ଅନେକ ପ୍ରଶ୍ନ ପଚାରିସାରିଛନ୍ତି। କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଡିଏସ୍ପିଙ୍କ ନେତୃତ୍ବରେ ଘଟଣା ଦିନ ଏକ କ୍ରାଇମବ୍ରାଞ୍ଚର ଏକ ଟିମ୍ ତଦନ୍ତ କରିଥିଲେ। ଅନ୍ୟ ଏକ ଟିମ୍ ଅଭିଯୁକ୍ତ ଗୋପାଳକୃଷ୍ଣର ମେଡିକାଲ ପରୀକ୍ଷା ଓ ଆଚରଣକୁ ତଦାରଖ କରିଥିଲେ।
ଏହାରି ମଧ୍ୟରେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ, ଗୁଳି ଛାତିରେ ବାଜିଥିଲା। ଏହି ଗୁଳି ହୃତପୀଣ୍ଡରେ ମାଡ଼ ହୋଇଥିଲା। ଫଳରେ ମନ୍ତ୍ରୀ ନବ ଦାସଙ୍କର ହୃତପୀଣ୍ଡ ବନ୍ଦ ହୋଇ ମୃତ୍ୟୁ ହୋଇଥିଲା।
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ବ୍ରହ୍ମପୁରରେ କ୍ରାଇମ୍ବ୍ରାଞ୍ଚ୍ ଟିମ୍ ଦ୍ବିତୀୟ ଦିନ ତନାଘନା ଜାରି ରଖିଛି। ତଦନ୍ତରୁ ଧୀରେ ଧୀରେ ବହୁ ଗୁରୁତ୍ବପୂର୍ଣ ସଫଳତା ମିଳୁଛି ଓ ଖୋଳତାଡ଼ ଜାରି ରଖିଛି କ୍ରାଇମ୍ବ୍ରାଞ୍ଚ୍। କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ଶିଶିର ମିଶ୍ରଙ୍କ ନେତୃତ୍ବରେ ବ୍ରହ୍ମପୁର ଆସିଥିବା ଟିମ୍ ରାତିସାରା ବିଭିନ୍ନ ପର୍ଯ୍ୟାୟରେ ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସର ବଡ଼ ଭାଇ ସତ୍ୟନାରାୟଣଙ୍କୁ ଜେରା କରିବା ସହ ଯାହା ତଥ୍ୟ ମିଳୁଥିଲା, ତାହା ଆଧାରରେ ରାତିସାରା ବିଭିନ୍ନ ସୂତ୍ରରୁ ତଥ୍ୟ ପ୍ରମାଣ ଯୋଗାଡ଼ ପାଇଁ ଏଠାକୁ ସେଠାକୁ ଦୌଡ଼ି ଝାଳ ବୁହାଇଥିଲା ଟିମ୍। ଆଜି ଦ୍ବିତୀୟ ଦିନରେ ମଧ୍ୟ ସତ୍ୟଙ୍କ ସମେତ ଗୋପାଳର ସାଙ୍ଗ, ସଂପର୍କୀୟ ଓ ବିଭିନ୍ନ ଲୋକଙ୍କ ବୟାନ୍ ନେଇଛନ୍ତି। ଏହାଛଡ଼ା ମନ୍ତ୍ରୀଙ୍କ ଗୋପାଳ ଗୁଳି କରି ହତ୍ୟା ପଛରେ ଷଡ଼୍ଯନ୍ତ୍ର ଓ ବଡ଼ ଧରଣର ଆର୍ଥିକ କାରବାର ଥିବା ଆଶଙ୍କା ପ୍ରକାଶ ପାଉଥିବାରୁ ସେ ଦିଗରୁ ମଧ୍ୟ ଟିକିନିଖି ତଥ୍ୟ ସଂଗ୍ରହ ଚାଲିଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଦିଗକୁ ଗୁରୁତ୍ବ ଦେଇ ଗୋପାଳର ପରିବାର ଲୋକ, ଘନିଷ୍ଠ ସାଙ୍ଗ ଓ ସଂପର୍କୀୟଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ଟ୍ରାନ୍ଜାକସନ୍ ମଧ୍ୟ ଯାଞ୍ଚ୍ କରାଯାଉଛି ବୋଲି ଅଧିକାରୀ ଜଣକ କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତ ୨୯ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟାରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ସେ ସେହି କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚି ମଂଚାସୀନ ହେବା ପୂର୍ବରୁ ତାଙ୍କୁ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ମୁତୟନ ହୋଇଥିବା ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଥିଲେ। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବାରୁ ସେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ବରସ୍ଥିତ ଆପଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଏହି ଘଟଣାରେ ଅଭିଯୁକତ ଏଏଏସ୍ଆଇ ଗୋପାଳକୃଷ୍ଣଙ୍କୁ ପୁଲିସ ଗିରଫ କରିଛି। ଘଟଣାର ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚ ଏପର୍ଯ୍ୟନ୍ତ ୩ଟି ଟିମ୍ ଗଠନ କରିଛି। ଏହାରି ମଧ୍ୟରେ ଝାରସୁଗୁଡ଼ା ଏସ୍ପି ରାହୁଲ ଜୈନ ଓ ବ୍ରଜରାଜନଗର ଏସ୍ଡିପିଓ ଗୁପ୍ତେଶ୍ବର ଭୋଇଙ୍କୁ ରାଜ୍ୟ ମୁଖ୍ୟ ପୁଲିସ କାର୍ଯ୍ୟାଳୟକୁ ବଦଳି ହୋଇଛି।