ବୈପାରିଗୁଡା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଥାନା ଭିତରେ ଛୁରା ମାଡ଼ କରିଥିବା ଅଭିଯୋଗରେ ଅଭିଯୁକ୍ତ ଗୌର ହରିଜନକୁ ଗିରଫ ପରେ ପୁଲିସ କୋର୍ଟ ଚାଲାଣ କରିଛି । ଘଟଣା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଘୁମର ପଞ୍ଚାୟତର ଥାଟୁଗୁଡା ଗ୍ରାମର ଖଗପତି ଗାଦବା (୪୦)ଙ୍କ ସହ ଘୁମର ଗ୍ରାମର ଗୈାର ହରିଜନ (୧୯)ଙ୍କ ମଧ୍ୟରେ ଭଲିବଲ୍ ଖେଳକୁ ନେଇ କିଛି ମାସ ପୂର୍ବରୁ ବଚସା ହୋଇଥିଲା।
ତେବେ ଖଗପତି ଏବଂ ଗୈାର ବୈପାରିଗୁଡାର ଏକ ଜଳଖିଆ ଦୋକାନରେ ଜଳଖିଆ ଖାଉଥିବା ବେଳେ କୌଣସି କାରଣକୁ ନେଇ ପୁଣିଥରେ ବଚସା ହୋଇଥିଲା। ଖଗପତି ଉତ୍ୟକ୍ତ ହୋଇ ଏକ ଠେଙ୍ଗାରେ ଗୈାରକୁ ଆକ୍ରମଣ କରିଥିଲା। ଫଳରେ ଗୌରର ମୁଣ୍ଡ ଫାଟି ଯାଇଥିଲା। ଏହାକୁ ନେଇ ଗୌର ବୈପାରିଗୁଡା ଥାନାରେ ଏତଲା ଦେଇଥିଲେ। ବୈପାରିଗୁଡା ପୁଲିସ ଖଗପତିକୁ ଥାନାକୁ ଆଣି ଅଟକ ରଖିଥିଲା।
ତେବେ ଗତକାଲି ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ଦୁହେଁ ଥାନାକୁ ଆସିଥିଲେ। ଆପୋଷ ବୁଝାମଣା ପାଇଁ କଥାବାର୍ତ୍ତା ଚାଲିଥିବା ବେଳେ ଗୌର ହଠାତ୍ ଖଗପତିକୁ ଛୁରାରେ ଆକ୍ରମଣ କରିଥିଲା। ପ୍ରଥମ ଥର ଆକ୍ରମଣରେ ଖଗପତିର ପାପୁଲି ଏବଂ ବାହୁରେ ଆଘାତ ଲାଗିଥିବା ବେଳେ ଦ୍ବିତୀୟ ଥର କରିଥିବା ଆକ୍ରମଣରେ ପିଠିରେ ଗଭୀର ଆଘାତ ହୋଇଥିଲା। ଗୌରକୁ କାବୁ କରାଯିବା ସହ ଆହତ ଖଗପତିକୁ ବୈପାରିଗୁଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଖଗପତିକୁ ଜୟପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ ଗୈାରକୁ ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଛି।