ଜେଲ୍‌ ଗଲେ ଜଗନ୍‌ ଓ ରତ୍ନାକର: ୨୦ ବର୍ଷରେ ଜଘନ୍ୟ ଅପରାଧୀ

ଖଣ୍ଡଗିରି: କୁଖ୍ୟାତ ସୁପାରି କିଲର୍‌ ଜଗନ୍‌ ପ୍ରଧାନ ଓ ତା’ର ସହଯୋଗୀ ରତ୍ନାକର ପଲେଇକୁ ମଙ୍ଗଳବାର ଖଣ୍ଡଗିରି ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଗତ ଜୁଲାଇ ୧୬ ତାରିଖରେ ଖଣ୍ଡଗିରି ଅଞ୍ଚଳରେ ଘଟିଥିବା ଏକ ଲୁଟ୍‌ ମାମଲାରେ ଜଗନ ଓ ରତ୍ନାକରକୁ ପୁଲିସ କୋର୍ଟ ଚାଲାଣ କରିଛି। କିନ୍ତୁ ଜଗନ୍‌ ଗ୍ୟାଙ୍ଗ୍‌ ନାମରେ ବିଭିନ୍ନ ଥାନାରେ ଆହୁରି ଅଧିକ ମାମଲା ରହିଛି। ଏ ପର୍ଯ୍ୟନ୍ତ ଏହି ଗ୍ୟାଙ୍ଗ୍‌ ନାମରେ ମାତ୍ର ୫ଟି ମାମଲା ଥିବା ଜଣାପଡ଼ିଛି ଓ ଏଥିରେ ଗୋଟିଏ ହତ୍ୟାକାଣ୍ଡ ରହିଛି। ପ୍ରଥମ ଥର ପାଇଁ କମିସନରେଟ୍‌ ପୁଲିସ ହାତରେ ଧରାପଡ଼ିଥିବା ଜଗନ୍‌ ଗ୍ୟାଙ୍ଗ୍‌ର ଅପରାଧ ତାଲିକା ପ୍ରସ୍ତୁତି ଚାଲିଛି ବୋଲି ପୁଲିସ ସୂଚନା ଦେଇଛି।
ଜଗନ୍‌ର ବୟସ ମାତ୍ର ୨୦ ବର୍ଷ। ସେହିଭଳି ତା’ ଗ୍ୟାଙ୍ଗ୍‌ର ଅନ୍ୟ ୩ ଜଣ ରତ୍ନାକର(୨୪), ସୁନୀଲ କାଣ୍ଡି(୨୩) ଓ ସତ୍ୟବ୍ରତ ପାତ୍ର(୨୨) ମଧ୍ୟ ବେଶ୍‌ କମ୍‌ ବୟସର ଯୁବକ। ପୁଲିସ ସୂଚନାନୁସାରେ ଏମାନେ ଏହି ଯୁବା ବୟସର ଜଘନ୍ୟ ଅପରାଧୀ ପାଲଟି ଯାଇଛନ୍ତି। ଏମାନେ ନୂଆକରି ଅପରାଧ ଦୁନିଆରେ ପାଦ ଦେଇଥିବାରୁ ପୁଲିସ ସ୍କାନର୍‌କୁ ସହଜରେ ଆସି ନଥିଲେ। କମ୍‌ ବୟସରେ ଅପରାଧ ଦୁନିଆରେ ପାଦ ଦେଇଥିଲେ ବି ବେଶ୍‌ ଭୟଙ୍କର ଥିଲା ଏମାନଙ୍କ ଲୁଟ୍‌ ତରିକା। ଟିକିଏ ସମସ୍ୟା ହେଲେ ଜଗନ୍‌ ବୋମାମାଡ଼ କରିବାକୁ ପଛାଏ ନାହିଁ। କଟକ ସଦର, ନିଆଳି, ଗୋବିନ୍ଦପୁର, ବୟାଳିଶମୌଜା ଓ ଆଳିପିଙ୍ଗଳ ଭଳି ଅଞ୍ଚଳରେ ଜଗନ୍‌ ଗ୍ୟାଙ୍ଗ୍‌ କାୟା ବିସ୍ତାର କରିବା ଆରମ୍ଭ କରି ଦେଇଥିଲେ। ବୋମା ଭିଡ଼ା ଓ ବୋମା ମାଡ଼ରେ ମାହିର୍‌ ଥିବାରୁ ଜଗନ ଓ ସୁନୀଲ କାଣ୍ଡିକୁ ଏହି ସବୁ ଅଞ୍ଚଳର ବଡ଼ ବଡ଼ ଅପରାଧୀମାନେ ବ୍ୟବହାର କରୁଥିବା ପୁଲିସ ଜାଣିବାକୁ ପାଇଛି। ସୁପାରି ନେଇ ସେମାନେ ଏହି ଅଞ୍ଚଳରେ ବେଶ୍‌ କିଛି ଅପରାଧ ଘଟାଇଥିବା ପୁଲିସକୁ ସୁରାକ୍‌ ମିଳିଛି। ସବୁ ମାମଲାରେ ବୋମା ମାଡ଼ କରିବା ଥିଲା ଜଗନ୍‌ର ଷ୍ଟାଇଲ୍‌। ଗୋବିନ୍ଦପୁର ଥାନା ଅଞ୍ଚଳରେ ତା’ର ବୋମାମାଡ଼ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ସୁପାରି ନେଇ ସେ ଏହି ହତ୍ୟାକାଣ୍ଡ ଭିଆଇଥିଲା। ତେଣୁ ସୁପାରିରୁ ବେଶ୍‌ କିଛି ଉପାର୍ଜନ କରି ଜଗନ୍‌ ଗ୍ୟାଙ୍ଗ୍‌ ମଉଜମସ୍ତି କରେ ଓ ଅର୍ଥାଭାବ ହେଲେ ତା ଗ୍ୟାଙ୍ଗ୍‌କୁ ଧରି ରାଜପଥକୁ ଚାଲିଆସି ଛିନ୍‌ତାଇ ଓ ରାହାଜାନି କରେ।
ସୂଚନାନୁସାରେ ସେ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ମାତ୍ର ୨/୩ଟି ମାମଲାରେ ସଂପୃକ୍ତ। ବାଲିପାଟଣା ପେଟ୍ରୋଲ ପମ୍ପରେ ବୋମା ମାଡ଼ କରିବା ହେଉଛି ତା’ର ରାଜଧାନୀରେ ସବୁଠାରୁ ସଂଗିନ୍‌ ମାମଲା। ଜଗନ୍‌ ଓ ସତ୍ୟବ୍ରତର ଘର ଯଥାକ୍ରମେ ଖୋର୍ଧା ଓସ୍ତପୁର ଓ ବେଗୁନିଆ ଡିଙ୍ଗର ହୋଇଥିବାରୁ ସେମାନେ ସେହି ଅଞ୍ଚଳର କିଛି ଅପରାଧରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ତେଣୁ ଏ ନେଇ ଖୋର୍ଧା ଥାନା ପୁଲିସ ବି ଖୋଳତାଡ଼ ଆରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ ଯେ ୨୦୧୫ରୁ ଜଗନ୍‌ ଅପରାଧ ଦୁନିଆରେ ପାଦ ଦେଇଥିଲା। ସେତେବେଳେ ତାକୁ ମାତ୍ର ୧୬ ବର୍ଷ ବୟସ ହୋଇଥିଲା। ଅର୍ଥାତ୍‌ ଏହି ଗ୍ୟାଙ୍ଗ୍‌ର ସମସ୍ତ ସଦସ୍ୟ ନାବାଳକ ଅବସ୍ଥାରୁ ହିଁ ଅପରାଧ ଜଗତକୁ ପଶି ଯାଇଛନ୍ତି। ରତ୍ନାକରର ଘର କେନ୍ଦ୍ରାପଡ଼ା ରାଜକନିକା, ସୁନୀଲର ଘର ପୁରୀ ମାଟିଆପଡ଼ା, ଜଗନ୍‌ର ଘର ଖୋର୍ଧା ଓସ୍ତପୁର ଓ ସତ୍ୟବ୍ରତର ବେଗୁନିଆ ଡିଙ୍ଗର। ଭିନ୍ନ ଭିନ୍ନ ଜିଲ୍ଲାର ହୋଇଥିଲେ ବି ଏମାନେ ପୂର୍ବରୁ ବ୍ରହ୍ମପୁରରେ ବାଳ ଅପରାଧୀଭାବେ ବନ୍ଦୀ ଜୀବନ କଟାଉଥିବା ସମୟରୁ ଏକାଠି ହୋଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର