୨୯ ବର୍ଷ ପରେ ଧରାପଡ଼ିଲା ଫେରାର୍ ଅଭିଯୁକ୍ତ

ବହୁଚର୍ଚ୍ଚିତ ଲୁହୁରାମୁଣ୍ଡା ବାଳକୃଷ୍ଣ ବାରିକ ହତ୍ୟା ମାମଲା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ ଘଟିଥିବା ବହୁର୍ଚ୍ଚିତ ବାଳକୃଷ୍ଣ ବାରିକ ହତ୍ୟା ମାମଲାର ଫେରାର ଅଭିଯୁକ୍ତ ନୀଳମଣି ସାହୁକୁ ୨୯ ବର୍ଷ ପରେ ପୁଲିସ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ୧୯୮୪ ମସିହାରେ ରାଜନୈତିକ ଆକ୍ରୋଶ ଯୋଗୁଁ ଆଗଲପୁର ବ୍ଲକ୍‌ ଲୁହୁରାମୁଣ୍ଡା ଗ୍ରାମର ବାଳକୃଷ୍ଣ ବାରିକ ହତ୍ୟାର ଶିକାର ହୋଇଥିଲେ। ଏହି ହତ୍ୟା ମାମଲାରେ ସେହି ସମୟରେ ୧୭ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଜେଲ୍‌ରେ ସଜା କାଟି ରାଜକ୍ଷମା ପାଇ ସାରିଲେଣି। କିଛି ଅଭିଯୁକ୍ତ ୧୯୯୨ ମସିହାରେ ଜାମିନରେ ଆସି ଫେରାର୍ ହୋଇଥିଲେ। ସେମାନଙ୍କ ମଧ୍ୟରୁ ନୀଳମଣି ସାହୁ ଅନ୍ୟତମ। ସେ ଗତ ୨୯ ବର୍ଷ ଧରି ପୁଲିସ ସହ ଲୁଚକାଳି ଖେଳୁଥିଲା। ବୁଧବାର ସେ ନିଜ ଘରକୁ ଆସିଥିବା ଖବର ପାଇ ଲୋଇସିଂହା ଥାନା ଆଇଆଇସି ସଂଗ୍ରାମ ପଟ୍ଟନାୟକ ଓ ଏସ୍‌ଆଇ ନବୀନ ଭୋଇଙ୍କ ନେତୃତ୍ଵରେ ପୁଲିସ ଲୁହରାମୁଣ୍ଡା ଗ୍ରାମରେ ଚଢ଼ଉ କରିଥିଲେ। ସେଠାରୁ ନୀଳମଣିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ତାକୁ ବଲାଙ୍ଗୀର ଜେଲ୍‌କୁ ପଠାଇ ଦିଆଯାଇଛି ବୋଲି ଏସ୍‌ଆଇ ଶ୍ରୀ ଭୋଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର