ସାପ ଫଣାକୁ ଚୁମା: ଅଭିଯୁକ୍ତ ଗିରଫ

ବରଗଡ଼ : କିଛି ଦିନ ତଳେ ‘ସମ୍ବାଦ’ରେ ବିଷାକ୍ତ ସାପ ସହ କିଛି ଝିଅ ଖେଳ ଖେଳିବା ଏବଂ ଫଣାରେ ଚୁମ୍ବନ ଦେବା ସଂପର୍କରେ ଖବର ପ୍ରକାଶ ପାଇଥିଲା। ଜୀବଜନ୍ତୁଙ୍କ ସହ ଏଭଳି ଆଚରଣକୁ ନେଇ ପରିବେଶପ୍ରେମୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହି ଘଟଣାର ଭିଡିଓ ମୋବାଇଲ୍‌ରୁ ମେ‌ାବାଇଲ୍‌କୁ ଡେଉଁଥିବାବେଳେ ବରଗଡ଼ ବନ ବିଭାଗ ଏହାର ପର୍ଦଫାସ କରିଛି। ଅସଲରେ ଏସବୁ ଆପତ୍ତିଜନକ ଭିଡିଓ ବରଗଡ଼ ନିକଟସ୍ଥ ପ୍ରଧାନପାଲି ପାଖ ଜଂଗଲରେ ସୁଟିଂ କରାଯାଇଛି। ଏହି ମାମଲାରେ ବନବିଭାଗ ପ୍ରଧାନପାଲିର ରୋହିତ ମେହେର(୨୪)ଙ୍କୁ ଗିରଫ କରିଛି।

ବନ ବିଭାଗ ଦେଇଥିବା ସୂଚନା ଅନୁସାରେ, ରୋହିତ ବରଗଡ଼ ସହର ଏବଂ ଆଖପାଖ ଅଂଚଳରୁ ସାପ ଧରୁଥିଲା। ସାପକୁ ଜଂଗଲରେ ଛାଡ଼ିବା ପୂର୍ବରୁ ଘରକୁ ଆଣୁଥିଲା। ଘରେ ସାପ ଥିବାବେଳେ ରୋହିତଙ୍କ ଭଉଣୀ ଏବଂ ସାଂଗମାନେ ସାପ ସହ ଖେଳୁଥିଲେ। ସେଲ୍‌ଫି ଉଠାଉଥିଲେ। ଜଂଗଲରେ ସାପ ଛାଡ଼ିବାବେଳେ ସେମାନେ ସାପର ଫଣାରେ ଚୁମ୍ବନ ଦେଉଥିଲେ। ଏହି ସବୁ ଭିଡିଓକୁ ପରେ ସୋସିଆଲ ମିଡିଆରେ ଭାଇରାଲ୍‌ କରାଯାଉଥିଲା। ତେବେ ଚଢ଼ଉ ବେଳେ ରୋହିତଙ୍କ ଘରୁ କୌଣସି ସାପ ମିଳିନଥିଲା। ବନବିଭାଗ ବେଶ୍‌ କେଇ ଘଣ୍ଟା ରୋହିତଙ୍କୁ ଜେରା କରିବା ପରେ ଗିରଫ କରିଛି।

ସମ୍ବନ୍ଧିତ ଖବର