ବରଗଡ଼ : କିଛି ଦିନ ତଳେ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ କିଛି ଦୁର୍ବୃତ୍ତ ବରଗଡ଼ ଜିଲ୍ଲାର ବରିଷ୍ଠ ସରକାରୀ ଅଧିକାରୀଙ୍କଠାରୁ ମୋଟା ଅଂକର ବଟି ଆଦାୟ କରୁଥିଲେ। ଏହି ଗ୍ୟାଙ୍ଗ୍ର ପର୍ଦାଫାସ ହୋଇଥିଲା। ଏବେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାମ କହି ସରକାରୀ ବାବୁମାନଙ୍କୁ ବ୍ଲାକ୍ମେଲିଂ କରି ଟଙ୍କା ଆଦାୟ ହେଉଥିବା ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ପୁଲିସ ଦେବଗଡ଼ର ମଂଗଳୁ ଓରଫ୍ ସୁଶାନ୍ତ ରଂଜିତ (୨୪) ନାମକ ଜଣେ ଯୁବକକୁ ଗିରଫ କରିଛି।
/sambad/media/post_attachments/wp-content/uploads/2019/09/SBPHO19-BRG-SUSHANTA-SINGH-1-1.jpg)
ମିଳିଥିବା ସୂଚନା ଅନୁଯାୟୀ ୭୬୮୨୯୭୨୪୦୮ ନମ୍ବର ବିଶିଷ୍ଟ ମୋବାଇଲରୁ ଯୁବକ ଜଣକ ବିଭିନ୍ନ ସରକାରୀ କର୍ମଚାରୀଙ୍କୁ ଫୋନ୍ କରୁଥିଲା। ଏହି ନମ୍ବରର କଲର୍ ଆଇଡିରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଫଟୋ ଥିଲା। ଫଳରେ ଯେଉଁ ଲୋକ ଫୋନ୍ କଲ୍ ପାଉଥିଲା, ମନ୍ତ୍ରୀଙ୍କ ଫଟୋ ମୋବାଇଲ୍କୁ ଆସୁଥିଲା। ତେଣୁ ଅଫିସରମାନେ ଭୟରେ ଯୁବକ ଦେଇଥିବା ଆକାଉଣ୍ଟରେ ଟଙ୍କା ପକାଇ ଦେଉଥିଲେ। ଯୁବକ ଜଣକ ପ୍ରାୟ ବର୍ଷେ ହେଲା ଏଭଳି କୌଶଳ ଅବଲମ୍ବନ କରି ୩-୪ଲକ୍ଷ ଟଙ୍କା ଆଦାୟ କରି ସାରିଥିଲା ବୋଲି ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଝାରସୁଗୁଡ଼ା ଏବଂ ଅନୁଗୁଳ ଜିଲ୍ଲାର ସରକାରୀ କର୍ମଚାରୀ ଯୁବକର ଟାର୍ଗେଟ୍ରେ ଥିଲେ। ତେବେ ଗତ ଜୁଲାଇ ୨ ତାରିଖ ଗଣତନ୍ତ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ଏ ନେଇ ସୋହେଲା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରିଥିଲା। ଥାନାଧିକାରୀ ନିର୍ମଳ ମହାପାତ୍ରଙ୍କ ନେତୃତ୍ବରେ ଗୋଟିଏ ଟିମ୍ କୋରାପୁଟ୍ ଜିଲ୍ଲା ଜୟପୁର ସହର ପହଂଚି ସେଠାରୁ ଅଭିଯୁକ୍ତ ସୁଶାନ୍ତ ରଂଜିତକୁ ଗିରଫ କରିଥିଲା। ଆଗକୁ ଅଧିକ ତଥ୍ୟ ହାସଲ କରିବାକୁ ଉଦ୍ୟମ ହେବ ବୋଲି ଏସ୍ପି ପଦ୍ମିନୀ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/Blackmailing-Using-Sushant-Singhs-Name_Thumbnail.jpg)