ହାବିଲ୍‌ଦାରଙ୍କୁ ଗୁଳିମାଡ଼ କରି ଫେରାର୍‌ ହୋଇଯାଇଥିବା ଅଭିଯୁକ୍ତ ଗିରଫ

ଢେଙ୍କାନାଳ: ଆର୍‌ବିଆଇ ହାବିଲ୍‌ଦାରଙ୍କୁ ଗୁଳିମାଡ଼ କରି ଫେରାର୍‌ ହୋଇଯାଇଥିବା ଅଭିଯୁକ୍ତ ଶ୍ରୀକାନ୍ତ ସାହୁଙ୍କୁ ଆଜି ସକାଳେ ପୁଲିସ୍‌ ଗିରଫ କରିଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟାରେ ପାରିଖେଦା ଗ୍ରାମରୁ ଗିରଫ କରିଛି ସଦର ଥାନ ପୁଲିସ୍‌। .

ସୂଚନାଯୋଗ୍ୟ, ଗତ ୧୩ ତାରିଖ ରାତିରେ ଦୋଳଯାତ୍ରା ଚାଲୁଥିବା ସମୟରେ ସାମାନ୍ୟ ବଚସାରୁ ଶ୍ରୀକାନ୍ତଙ୍କ ଗୁଲିମାଡ଼ରେ ଆଇଆର୍‌ବି ହାବିଲ୍‌ଦାର ରାମଚନ୍ଦ୍ର ସାହୁ(୪୫)ଙ୍କ ମୃତ୍ୟୁ ହୋଇଥିଲା। ପୁଲିସ୍ ଉପସ୍ଥିତିରେ ଏଭଳି ଗୁଳିକାଣ୍ଡ ଘଟାଇ ଅଭିଯୁକ୍ତ ସେଠାରୁ ଫେରାର୍ ହୋଇଯିବାରେ ସଫଳ ହୋଇଥିଲା।

ଶ୍ରୀକାନ୍ତଙ୍କ ଫେରାର୍‌କୁ ନେଇ ଗ୍ରାମବାସୀଙ୍କ ମନରେ ପ୍ରଶ୍ନ ରହିଥିବାବେଳେ ପୁଲିସ୍‌ ତାଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ଏ ସଂପର୍କରେ ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ୪ଟି ଦଳ ବିଭିନ୍ନ ଆଡ଼କୁ ଯାଇ ଅଭିଯୁକ୍ତକୁ ଧରିବା ପାଇଁ ଚଢଉ ଜାରି ରଖିଛନ୍ତି। ଏଥିସହ ଗ୍ରାମରେ ଶାନ୍ତିଶୃଙ୍ଖଳା ପାଇଁ ପୁଲିସ୍ ମୁତୟନ କରାଯାଇଛି ।


ଅନ୍ୟପଟେ, ଶ୍ରୀକାନ୍ତ ଏକାଧିକ ଅପରାଧିକ ମାମଲାରେ ସଂପୃକ୍ତ ରହିଥିବା ଜଣାପଡ଼ିଛି। ୧୯୯୯ ମସିହାରେ ପୁଲିସ୍ ଜାତୀୟ ନିରାପତ୍ତା ଆଇନରେ ତାଙ୍କୁ ଗିରଫ କରିଥିଲା। ଜେଲ୍‌ରୁ ବାହାରିବା ପରେ ମଧ୍ୟ ସେ ବହୁ ଛୋଟ ବଡ଼ ଅପରାଧ ଘଟଣାରେ ଜଡ଼ିତ ରହିବା ସହ ଗ୍ରାମବାସୀଙ୍କୁ ଭୟଭୀତ କରାଇ ନିଜର ପ୍ରଭାବ ବିସ୍ତାର କରିଥିଲେ।

ସମ୍ବନ୍ଧିତ ଖବର