କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଇଲାକାରେ ‘କ୍ୟାଟଲୁନ୍’ ନାମକ ଏକ ଚିଟ୍‌ଫଣ୍ଡ ସଂସ୍ଥା ଏମୁ ଚାଷ ନାମରେ ୧୩ ଲକ୍ଷ ଟଙ୍କାରୁ ଅଧିକ ଠକି ନେଇଥିଲା। ୨୦୧୫ରେ ୧୧ ଜଣଙ୍କ ନାମରେ ଥାନାରେ ଠକେଇ ଅଭିଯୋଗ ହୋଇଥିଲା। ଆଉ ୭ ବର୍ଷ ପରେ ଜଣେ ଅଭିଯୁକ୍ତକୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଜଣକ ହେଉଛି, ଅନିଲ କୁମାର ନାୟକ ଓ ତାକୁ ଆଜି ବୁଗୁଡ଼ା ଥାନା ରାମଣ୍ଡା ଗ୍ରାମରୁ ଗିରଫ କରାଯାଇଥିବା ଥାନାଧିକାରୀ ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି। ଆହୁରି ୧୦ ଜଣ ଏଯାବତ୍ ଫେରାର୍ ଅଛନ୍ତି। ଏମୁ ଚାଷ ନାମରେ ଠକେଇ ଘଟଣାର ରହସ୍ୟ ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ବୋଲି ଶ୍ରୀ ସାହୁ କହିଛନ୍ତି।

Advertisment

ସୂଚନା ଅନୁସାରେ, ୨୦୧୫ ମସିହାରେ ଉକ୍ତ ସଂସ୍ଥା କବିସୂର୍ଯ୍ୟନଗର ସହର ଆଇବି ଛକରେ କାର୍ଯ୍ୟାଳୟ ଖୋଲିଥିଲା। ଏହାସହ ବଡ଼ଆଗୁଳ ଗ୍ରାମ ସମ୍ମୁଖରେ ଏମୁ ଚାଷ ପାଇଁ ଫାର୍ମ ଖୋଲିଥିଲା। ଚାଷ ପାଇଁ ପ୍ରୋତ୍ସାହନ ମିଳିବ କହି ଜିଲ୍ଲାର ବିଭିନ୍ନ ବର୍ଗର ଲୋକଙ୍କଠୁ ଲକ୍ଷାଧିକ ଟଙ୍କା ଠକି ନେଇଥିଲା। ଏପରିକି ବହୁ ଜମାକାରୀ ଠକେଇର ଶିକାର ହୋଇଥିଲେ। ହଠାତ୍ କର୍ମଚାରୀମାନେ କାର୍ଯ୍ୟାଳୟରେ ତାଲା ଠୁଙ୍କି ଚମ୍ପଟ୍ ମାରିଥିଲେ। ୧୩ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ନେଇ ୧୧ ଜଣଙ୍କ ନାମରେ କବିସୂର୍ଯ୍ୟନଗର ଥାନାରେ ଏତଲା ‌ଦିଆଯାଇଥିଲା। ତେବେ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଥିଲେ। ଆଜି ଅନିଲକୁ ଗିରଫ କରାଯାଇଥିବା ବେଳେ ଖୁବ୍‌ଶୀଘ୍ର ଅନ୍ୟମାନେ ବି ଗିରଫ ହେବେ ବୋଲି ସୂଚନା ମିଳିଛି।