ଜମି ବାବଦକୁ ୫୦ ଲକ୍ଷ ମାଗି ବିଲ୍‌ଡରଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ଜମି ବାବଦରେ ବାକି ଥିବା ୫୦ ଲକ୍ଷ ଟଙ୍କା ମାଗିବା ଓ ଟଙ୍କା ନ ପାଇବାରୁ ବିଲ୍‌ଡରଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଆଜି ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା, ଶୁଭ୍ରଜିତ୍ ଜେନା। ସେ ଶାରଳା ରିୟଲକନ୍‌ ମାଲିକ ଗୟାଧର ଜେନାଙ୍କୁ ୫୦ ଲକ୍ଷ ଟଙ୍କା ମାଗିବା ସହ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗ ହୋଇଛି।

ପୁଲିସ୍‌ ସୂଚନାନୁସାରେ, ସହିଦନଗର ପ୍ଲଟ ନମ୍ବର-ଏ/୮୮ରେ ରହୁଥିବା ବିଲ୍ଡର ଗୟାଧର ଜେନାଙ୍କ ଶାରଳା ରିଅଲକନ୍ ନାମରେ ଏକ ସଂସ୍ଥା ରହିଛି। ୨୦୧୦ରୁ ୨୦୧୩ ମଧ୍ୟରେ ବିଭିନ୍ନ କ୍ରେତାଙ୍କଠାରୁ ଗୟାଧର ଓ ଏହି ଫାର୍ମର ଅନ୍ୟ ନିର୍ଦ୍ଦେଶକମାନେ ୧୭କୋଟି ଟଙ୍କା ସଂଗ୍ରହ କରିଥିଲେ। କିନ୍ତୁ ବହୁ ଲୋକଙ୍କୁ ଜମି ଦେଇନଥିଲେ। ତେଣୁ ଅଭିଯୋଗ ହେବା ପରେ ସହିଦନଗର ଥାନା ପୁଲିସ ୨୦୧୪ ଓ ୧୫ ମସିହାରେ ଗୟାଧରଙ୍କୁ ଜମି ଠକେଇ ମାମଲାରେ ଗିରଫ କରିଥିଲା। ଏ ନେଇ ଇଓଡବ୍ଲ୍ୟୁରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ୨୦୧୫ରେ ଫାର୍ମର ଅନ୍ୟ ଦୁଇ ନିର୍ଦ୍ଦେଶକଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅଭି‌ଯୋଗକାରୀଙ୍କ ମଧ୍ୟରେ ଝାରପଡ଼ା ପ୍ଲଟ୍‌ ନମ୍ବର ୭୪୫ରେ ରହୁଥିବା ଶୁଭ୍ରଜିତ୍ ଜେନା ଥିଲେ। ତାଙ୍କୁ ଗୟାଧର ଠକେଇ କରିଥିବା ନେଇ ସେ ଅଭିଯୋଗ କରିଥି‌ଲେ। କିଛି ଦିନ ପୂର୍ବେ ଗୟାଧର ଜାମିନ୍‌ରେ ମୁକୁଳି ଥିଲେ। ଗୁରୁବାର ସନ୍ଧ୍ୟାରେ ସେ ତାଙ୍କ ଅଫିସରେ ବସିଥିବା ବେଳେ ଶୁଭ୍ରଜିତ ସେଠାରେ ପହଞ୍ଚି ତାଙ୍କୁ ଜମି ବାବଦରେ ୫୦ଲକ୍ଷ ଟଙ୍କା ମାଗିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ବଚସା ହେବା ସହ ହାତାହାତି ହୋଇଥିଲା। ଶୁଭ୍ରଜିତ୍ ଏକ ଷ୍ଟିଲ୍ ଚେୟାରରେ ଆକ୍ରମଣ କରି ଗୟାଧରଙ୍କ ମୁଣ୍ଡ ଫଟେଇ ଦେଇଥିଲେ।

ସମ୍ବନ୍ଧିତ ଖବର