ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ମାଡ଼, ଅଭିଯୁକ୍ତ ଗିରଫ

କୋରାପୁଟ : ରୋଗୀ ମୃତ୍ୟୁକୁ ନେଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଜଣେ ଡାକ୍ତରଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। କୋରାପୁଟ ଜିଲ୍ଲା ସେମିଳିଗୁଡା ସତ୍ୟ ନଗରର ଅଶୋକ ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତିଙ୍କୁ ଗତକାଲି ରାତିରେ କୋରାପୁଟ ମେଡିକାଲରେ ଭର୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହା ପରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ସଂପର୍କୀୟମାନେ ଅଭିଯୋଗ କରିଥିଲେ। ପରେ ଚିକିତ୍ସା କରୁଥିବା ଡାକ୍ତର କେଦାର ପରିଜାଙ୍କୁ ମାଡ ମାରିଥିଲେ। ଡାକ୍ତରଖାନା ପରିସରରେ ଡାକ୍ତରଙ୍କୁ ମାଡ ମରାଯିବା ଘଟଣା ଜଣାପଡିବା ପରେ ଡାକ୍ତରଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏଥିନେଇ ଡାକ୍ତର କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ପ୍ରାଥମିକ ତଦନ୍ତ ପରେ ପୁଲିସ ଅଭିଯୁକ୍ତ ଅସିତ ପାଣିଗ୍ରାହୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ବୋଲି ଟାଉନ ଥାନା ଅଧିକାରୀ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର