ଭୁବନେଶ୍ବର : କାଗଜପତ୍ରରେ ଜାଲିଆତି କରି ବିଭିନ୍ନ ବ୍ୟାଙ୍କରୁ କୋଟିଏରୁ ଊର୍ଧ୍ବ ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଜଣେ ଧୂର୍ତ୍ତକୁ ଗିରଫ କରିଛି। ସେ ହେଲା, କଟକ ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳର ମୈତ୍ରେୟ ମିଶ୍ର ଓରଫ ସିତୁ। ଏଠାରେ ଲିଙ୍ଗରାଜ ଥାନା ଶାସନ ପଡ଼ିଆ ଅଞ୍ଚଳରେ ରୁହେ। ଗିରଫ ପରେ ତାକୁ ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। କିନ୍ତୁ ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ୨୦୧୫ରୁ ୨୦୧୭ ମସିହା, ୨ ବର୍ଷ ମଧ୍ୟରେ ସିତୁ ଭୁବନେଶ୍ବର ପଳାସପଲ୍ଲୀର ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସିଣ୍ଡିକେଟ୍, ଓଡ଼ିଶା ଗ୍ରାମ୍ୟ, ଆକ୍ସିସ୍, ୟୁକୋ ଆଦି ବ୍ୟାଙ୍କର ବ୍ରାଞ୍ଚଗୁଡ଼ିକରେ ଶ୍ରୀ ଭାରତ ମୋଟର୍ସ, ସିଟି ମୋଟର୍ସ, ଆଦିତ୍ୟ ମୋଟର୍ସ, ଉତ୍କଳ ଅଟୋ ମୋବାଇଲ୍ସ ଆଦି ବିଭିନ୍ନ ଅଟୋ ମୋବାଇଲ୍ ଡିଲର୍ ସଂସ୍ଥା ନାମରେ ନକଲି ଆକାଉଣ୍ଟ ଖୋଲିଥିଲା। ଜାଲ୍ କାଗଜପତ୍ର କରି ଏହି ଆକାଉଣ୍ଟଗୁଡ଼ିକ ଜରିଆରେ ସେ ବିଭିନ୍ନ ବ୍ୟାଙ୍କରୁ ୨୪ଟି ଗାଡ଼ି ଲୋନ୍ ନେଇଥିଲା। କିନ୍ତୁ ଉକ୍ତ ଲୋନ୍ ଟଙ୍କାରେ ସେ ଗୋଟିଏ ବି ଗାଡ଼ି କିଣି ନଥିଲା। ତେବେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆକାଉଣ୍ଟ ଯାଞ୍ଚ ବେଳେ ଜଣା ପଡ଼ିଥିଲା ଯେ ସିତୁ ବ୍ୟାଙ୍କରେ ଜାଲ କାଗଜପତ୍ର ଦେଇ ଟଙ୍କା ଠକିଛି। ଏହାପରେ ସମସ୍ତ ଘଟଣା ପଦାକୁ ଆସିଥିଲା। ସେ ବିଭିନ୍ନ ବ୍ୟାଙ୍କରୁ ୧କୋଟି ୯ଲକ୍ଷ ୬୨ ହଜାର ୩୫୨ଟଙ୍କା ଠକେଇ କରିଛି ବୋଲି ଜଣାପଡ଼ିଥିଲା। ଏନେଇ ସେଣ୍ଟ୍ରାଲ୍ ବ୍ୟାଙ୍କ ପଳାସପଲ୍ଲୀ ବ୍ରାଞ୍ଚ ମ୍ୟାନେଜର୍ ଅଜୟ ଖୁଣ୍ଟିଆ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ କେସ୍ ନଂ-୧୦ରେ ଆଇପିସି ଦଫା ୪୨୦,୪୬୭,୪୬୮,୪୭୧ ଏବଂ ୧୨୦(ବି)ରେ ମାମଲା ରୁଜୁ କରି ତଦନ୍ତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Man_handcuffed2-1.jpeg)