ବାହାନଗା/ଗୋପାଳପୁର : ୫ ବର୍ଷ ହେଲା ବୋହୂର ପିଲାପିଲି ହେଉ ନ ଥିଲେ। କାଳିସୀ କହିଲା ନିଷ୍ପାପ ଶିଶୁକୁ ବଳିଦେଲେ ଘରେ ନାତି ଖେଳିବ। ଆଉ ଏ ଅନ୍ଧବିଶ୍ବାସର ଶିକାର ହେଲା ୭ ବର୍ଷର ଶିଶୁ।

Advertisment

ବାଲେଶ୍ୱର ଜିଲ୍ଲା ବାହନଗା ବ୍ଲକ ନୂଆପୁର ପଞ୍ଚାୟତ ଧଇଁଆସାହିରେ ୬ ଦିନ ଦଳେ ହୋଇଥିବା ନାବାଳକ ହତ୍ୟାକାଣ୍ଡର ପର୍ଦାଫାସ୍ କରିଛି ଖନ୍ତାପଡ଼ା ପୁଲିସ। ଅଭିଯୁକ୍ତ ଲକ୍ଷ୍ମୀଧର ମଲ୍ଲିକକୁ ଗିରଫ କରିଥିବା ବେଳେ ପୁଅ ଭାଗିରଥୀ ମଲ୍ଲିକକୁ ଅଟକ ରଖି ପଚରାଉଚରା କରୁଛି।

ଲକ୍ଷ୍ମୀଧର ମଲ୍ଲିକର ଏକମାତ୍ର ପୁଅ ୫ ବର୍ଷ ତଳେ ବିବାହ କରିଥିଲା। ହେଲେ ଏପର୍ଯ୍ୟନ୍ତ ପିଲାପିଲି ହେଉ ନ ଥିବାରୁ ଭାରି ଚିନ୍ତାରେ ଥିଲା ଲକ୍ଷ୍ମୀଧର। ତେବେ ଲକ୍ଷ୍ମୀଧରର ଜଣେ ସମ୍ପର୍କୀୟ ଭାଉଜ(ଯାହାଦେହରେ କାଳିସୀ ଆସେ ବୋଲି କୁହାଯାଉଛି), ସେ କୁଆଡ଼େ ଲକ୍ଷ୍ମୀଧରକୁ ଶିଶୁ ବଳି ଦେବାକୁ କହିଥିଲା। ସେ ମହିଳାଙ୍କ ପ୍ରରୋଚନାରେ ପଡ଼ି ଜଣେ ଶିଶୁକୁ ଖୋଜୁଥିଲା ଲକ୍ଷ୍ମୀଧର। ଆଉ ତାର ନଜର ଢେର ଦିନ ହେଲା ସେହି ଗାଁର ରମାକାନ୍ତ ମଲ୍ଲିକଙ୍କ ନାତି ହିମାଂଶୁ ବଥମ ଉପରେ ଥିଲା। ଘଟଣା ଦିନ ହିମାଂଶୁ ଏକୁଟିଆ ଖେଳୁଥିବାର ଦେଖି, ଚକଲେଟ ଦେବାକୁ କହି ଡାକିନେଇଥିଲା। ଗଡ଼ିଆ ପାଖ ଏକ ବାଉଁଶବୁଦା ପାଖରେ ତା ତଣ୍ଟି ଚିପି ହତ୍ୟା କରିଥିଲା। ବେକରେ ରଶି ବାନ୍ଧି ଗାଡିଆରେ ଫିଙ୍ଗିଦେଇଥିଲା। ଏପଟେ ହିମାଂଶୁର ମାଆ ଓ ଅଜା ଖୋଜିଖୋଜି ଥକିଯାଇଥିଲେ। ଆଉ ବହୁ ଖୋଜାଖୋଜି କରିବା ପରେ ପରିତ୍ୟକ୍ତ ଗାଡିଆ ପାଖରୁ ରକ୍ତଭିଜା ପ୍ୟାଣ୍ଟ ମିଳିଥିଲା। ଆଉ ଗାଡ଼ିଆରୁ ହିମାଂଶୁର ମୃତଦେହ ଉଦ୍ଧାର ହେବା ପରେ ମୂଳରୁ ହିଁ ଗ୍ରାମବାସୀ ଏହାକୁ ହତ୍ୟାକାଣ୍ଡ ବୋଲି ଦାବି କରିବା ସହ ତୁରନ୍ତ ଅପରାଧୀକୁ ଧରିବା ପାଇଁ ପୁଲିସ ଉପରେ ଚାପ ପକାଇଥିଲେ। ଏହା ପରେ ପୁଲିସ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହ ଲକ୍ଷ୍ମୀଧର, ଭାଗିରଥୀ ଓ ଅନ୍ୟଜଣେ ପଡ଼ୋଶୀଙ୍କୁ ଉଠାଇ ଆଣିଥିଲା। ପଚରାଉଚରା ପରେ ଲକ୍ଷ୍ମୀଧର ହତ୍ୟା କରିଥିବା ନେଇ ମାନିଯାଇଥିଲା। ତେବେ ସମ୍ପୃକ୍ତ ମହିଳାଙ୍କୁ ପୁଲିସ ତଦନ୍ତ ପରିସରକୁ ଆଣିଛି କି ନାହିଁ, ତାଙ୍କୁ ଗିରଫ କରିବ କି ନାହିଁ ସେ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।