କୃଷିକାର୍ଡ ନାଁରେ ଠକେଇ : ବନ୍ଧା ହେଲା ଅଭିଯୁକ୍ତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲାରେ ନକଲି କୃଷି କାର୍ଡ ଦେଇ ଚାଷୀଙ୍କୁ ଠକୁଥିବା ବାରମ୍ବାର ଅଭି‌ଯୋଗ ଆସିବା ପରେ ପ୍ରଶାସନ ଦଲାଲଙ୍କୁ ଧରିବାକୁ ପଦକ୍ଷେପ ନେଇଛି। ଏହା ପଛରେ ଏକ ବିରାଟ ରୢାକେଟ୍‌ କାମ କରୁଥିବା ଜଣାପଡ଼ିବା ପରେ ବଡ଼ଗଡ଼ ଥାନା ପୁଲିସ ଆଜି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛି ଜୟଗୋପାଳ ପାତ୍ର (୩୫) ଓ ତା’ର ଘର ସୋରଡ଼ାରେ। ତାଙ୍କୁ କୋର୍ଟଚାଲଣ କରାଯାଇଥିବା ନେଇ ତଦନ୍ତ ଅଧିକାରୀ ଏସଆଇ ହୃଦୟାନନ୍ଦ କାଲେ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଜୟ‌ଗୋପାଳ ବିଭିନ୍ନ ଚାଷୀଙ୍କୁ ଆଳ ଦେଖାଇ ନକଲି କୃ‌ଷି କାର୍ଡ ଯୋଗାଉଥିଲେ। ଏହି କାର୍ଡ ମିଳିଲେ ସବୁ ସରକାରୀ ସୁବିଧା ମିଳିବ ବୋଲି ସେ ଚାଷୀଙ୍କୁ ପ୍ରଲୋଭନ ଦେଖାଉଥିଲେ। କାର୍ଡ କରିବା ବାବଦରେ ସେ ସମସ୍ତଙ୍କଠୁ ୩୦୦ରୁ ୫୦୦ ଟଙ୍କା ନେଉଥିଲେ। ଏହି ଘଟଣା କୃଷି ବିଭାଗର ଦୃଷ୍ଟ‌ିଗୋଚରକୁ ଆସିଥିଲା। ଗତ ୨୪ ତାରିଖ‌ରେ ଅନୁଷ୍ଠିତ କୃଷି ନିର୍ଦ୍ଧାରଣ ବୈଠକରେ ଦଲାଲଙ୍କୁ ତୁରନ୍ତ ଗିରଫ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ଗତ ୨୫ ତାରିଖରେ ବଡଗଡ କୃଷି ଅଧିକାରୀ ରାଜକିଶୋର ସ୍ବାଇଁ ବଡଗଡ ଥାନାରେ ଏତଲା ଦେବା ପରେ କେସ ନମ୍ବର ୧୪୪ ଅନୁସାରେ ମାମଲା ରୁଜୁ ହୋଇଥିଲା। ପୁଲିସ ଖୋଳତାଡ଼ ଆରମ୍ଭ କରି ଆଜି ଜୟଗୋପାଳକୁ ଗିରଫ କରି କୋର୍ଟଚାଲାଣ କରିଛି। ଫଳରେ ଏହା ପଛରେ ବର୍ତ୍ତମାନ ଜିଲ୍ଲାରେ ଏକ ବଡ଼ଧରଣର ରାକେଟ୍ କାମ କରୁଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ସଚେତନତାକୁ ବ୍ୟାପକ କରିବାକୁ କୃଷି ବିଭାଗ ସହ ଆଲୋଚନା ହେବା ନେଇ ପୁଲିସ ପ୍ରକାଶ କରିଛି।

ଅନ୍ୟପକ୍ଷରେ ସାନଖେମୁଣ୍ଡି ବ୍ଲକ୍ ପାଟପୁରର କିଛି ଗଛରେ ପୋଷ୍ଟର ମାରି କାର୍ଡ ମିଳୁଥିବା ଦର୍ଶାଯାଇଛି। ପୋଲସରାରେ ବି କିଛି ଚାଷୀ ଠକେଇର ଶିକାର ହୋଇଥିବା କଥା ପ୍ରଶାସନକୁ ହସ୍ତଗତ ହୋଇଛି। ଫଳରେ ପ୍ରଶାସନ ଏହାକୁ ଗୁରୁତ୍ବର ସହ ଗ୍ରହଣ କରି ସଚେତନତାକୁ ବ୍ୟାପକ କରିବା ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର