କୂଅରୁ ଶବ ଉଦ୍ଧାର ଘଟଣା : ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ବଚସାରୁ ବନ୍ଧୁକୁ ହତ୍ୟା, ପଥର ଛେଚି ମାରିଲା, ବାନ୍ଧି କୂଅରେ ଫିଙ୍ଗିଥିଲା

 

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦରେ ପରିତ୍ୟକ୍ତ କୂଅରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର ଘଟଣା ନେଇ କ୍ରମେ ଅନେକ ସନ୍ଦେହଜନକ ତଥ୍ୟ ମିଳିଥିଲା। ଏହା ସତ ହୋଇଛି, ଏକ ହତ୍ୟାକାଣ୍ଡ ବୋଲି ପୁଲିସ ପ୍ରମାଣ ପାଇଛି। ନିଜେ ଅଭିଯୁକ୍ତ ପୁଲିସ ଆଗରେ ହତ୍ୟାକାଣ୍ଡର ଗୁମର ଫିଟାଇଛି। ସାମାନ୍ୟ ବଚସାରୁ ବନ୍ଧୁ ହିଁ ସାଜିଥିଲା ହତ୍ୟାକାରୀ। ଏହି ଘଟଣାରେ  ଆଜି ଜଗନ୍ନାଥପ୍ରସାଦ ଥାନା ପୁଲିସ ଘଟଣାର ପର୍ଦ୍ଦାଫାସ କରିଛି। ଅଭିଯୁକ୍ତ ହେଉଛି ସୀମାଞ୍ଚଳ ସାହୁ ଓରଫ ସିକା। ଶନିବାର ସୀମାଞ୍ଚଳକୁ ପୁଲିସ ଗିରଫ କରିଛି। ସେ ରାଗ ଶୁଝାଇବାକୁ ଯାଇ ଏଭଳି କାଣ୍ଡ ଭିଆଇଥିବା କହିଛି। ଗିରଫ ଅଭିଯୁକ୍ତ ସୀମାଞ୍ଚଳକୁ ପୁଲିସ କୋର୍ଟ ଚାଲାଣ କରିଛି।
ସୂଚନା ପ୍ରକାରେ ଗତ ୫ ତାରିଖରେ ଜଗନ୍ନାଥପ୍ରସାଦ ଜଳିସାହିର ଇନ୍ଦୁ ମହାନ୍ତି ନାମକ ଜଣେ ମହିଳା ସନ୍ଧ୍ୟାରେ ଥାନାରେ ତାଙ୍କ ପୁଅ ଶଙ୍କର ମହାନ୍ତି(୨୧) ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି କେସ ନଂ ୫/୨୧ରେ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତେବେ ବହୁ ଖୋଜାଖୋଜି ପରେ ୭ ତାରିଖରେ ସ୍ଥାନୀୟ ଯୁଧିଷ୍ଠିର ବିଦ୍ୟାପୀଠ ପଛ ପାଖରେ ଥିବା ବିଶ୍ବନାଥ ପ୍ରଧାନଙ୍କ ବିଲରେ ଥିବା ପରିତ୍ୟକ୍ତ କୂଅରୁ ଶଙ୍କରଙ୍କ ଶବ ମିଳିଥିଲା। ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ  ଏହାର ତଦନ୍ତ  କରୁଥିବା ବେଳେ ଗ୍ରାମର ମୁଖ୍ୟରାସ୍ତାରେ ଲାଗିଥିବା ସମସ୍ତ ସିସି କ୍ୟାମେରା ଫୁଟେଜ୍‌ ସଂଗ୍ରହ କରି ଯାଂଚ କରିଥିଲେ। ସେହିଠାରୁ ହିଁ ପୁଲିସକୁ ସୁରାକ୍‌ ମିଳି ଯାଇଥିଲା। ନିଖୋଜ ହେବା ଦିନ ମୃତକ ଶଙ୍କର ଓ ଅଭିଯୁକ୍ତ ସୀମାଞ୍ଚଳ ମିଶି ବିଦ୍ୟାପୀଠ ଆଡ଼େ ଯାଉଥିବାର ଜଣା ପଡ଼ିଥିଲା। ପୁଲିସ ସନ୍ଦେହରେ ଶନିବାର ସକାଳେ ସୀମାଞ୍ଚଳକୁ ବସ୍‌ଷ୍ଟାଣ୍ଡ୍‌ରୁ ଧରି ଥାନାକୁ ଆଣିଥିଲା। ଶଙ୍କରଙ୍କ ବିଷୟରେ ପଚରାଉଚରା ପରେ ସବୁ ସତ ଉଗାଳିଥିଲା।
ଅଭିଯୁକ୍ତ ଦେଇଥିବା ବୟାନ ଅନୁସାରେ, ଗତ ୨ ତାରିଖରେ ଗ୍ରାମ ଠାକୁରାଣୀ ମନ୍ଦିର ପାଖରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଅଭିଯୁକ୍ତ ସୀମାଞ୍ଚଳକୁ ଶଙ୍କର ଗାଳିଗୁଲଜ କରି ମାଡ଼ ମାରିଥିଲା। ଏଥିରେ ସୀମାଞ୍ଚଳ ଅପମାନିତ ହୋଇ ଶଙ୍କରକୁ ଜୀବନରେ ମାରିଦେବା ପାଇଁ ନିଷ୍ପତ୍ତି ନେଇଥିଲା। ଯୋଜନା ମୁତାବକ ଘଟଣା ଦିନ ଶଙ୍କରକୁ ଗଣ୍ଡଗୋଳର ସମାଧାନ କରିବା ବାହାନାରେ ଡାକିଥିଲା। ମଦ ପିଆଇ କୂଅ ପାଖକୁ ଡାକି ନେଇଥିଲା। କଥା ପ୍ରସଙ୍ଗରେ ତାକୁ ମାଡ଼ି ବସି ମୁହଁରେ କପଡ଼ା ବାନ୍ଧି ପାଖରେ ପଡ଼ିଥିବା ମାଙ୍କଡ଼ା ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲା। ପରେ କୂଅ ପାଖରେ ପଡ଼ିଥିବା ଏକ ଦଉଡ଼ିରେ ବାନ୍ଧି କୂଅ ଭିତରକୁ ଫିଙ୍ଗିଦେଇ ପଳାଇ ଯାଇଥିଲା।
ସମ୍ବନ୍ଧିତ ଖବର