ଜାମିନ୍‌ରେ ଆସିଥିବା ଦୁଷ୍କର୍ମ ଅଭିଯୁକ୍ତ ପୁଣି ଦୁଷ୍କର୍ମ ଅଭିଯୋଗରେ ଗିରଫ

ରୁ୍‌ପ୍‌ସା : ଦୁଷ୍କର୍ମ ମାମଲାରେ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇଥିବା ଜନୈକ ବିବାହିତ ଯୁବକ ଜାମିନରେ ଆସି ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରୁପ୍‌ସା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତ ୧୬ ତାରିଖରେ ଜନୈକା ୧୫ ବର୍ଷୀୟା ଝିଅ କଷାଫଳ ଯିବାକୁ ବାଲେଶ୍ୱରରେ ଅପେକ୍ଷା କରିଥିବା ବେଳେ ସିଂଲା ଥାନା ଗମ୍ଭାରିଆ ଗ୍ରାମର ସଂଜୀବ ଜେନା (୨୪) ତାକୁ ଘରେ ଛାଡ଼ିଦେବ ବୋଲି କହିଥିଲା। ସଂଜୀବ ଉପରେ ବିଶ୍ୱାସ କରି ଝିଅଟି ତା’ସହିତ ବାଇକ୍‌ରେ ଆସୁଥିବା ବେଳେ ରୁପ୍‌ସା ଥାନା ସମ୍ମୁଖ ଏକ କଚ୍ଚା ରାସ୍ତା ଆଡ଼କୁ ବାଇକ୍ ମୁହାଁଇଥିଲା। ସେହି ରାସ୍ତା କଷାଫଳ ଆଡ଼କୁ ନୁହେଁ ବୋଲି ଝିଅଟି କହିବା ସତ୍ତ୍ୱେ ଏହି ବାଟ ପାଖ ହେବ ବୋଲି ବୁଝାଇ ଅଭିଯୁକ୍ତ ନାବାଳିକାଙ୍କୁ ଏକ ନିଛାଟିଆ ଧାନବିଲରେ ଦୁଷ୍କର୍ମ କରି ପଳାଇ ଯାଇଥିଲା। ପୀଡ଼ିତା ରାଜପଥ ପାଖକୁ ଆସି ଗୋଟିଏ ଦୋକାନରେ ବସି କାନ୍ଦୁଥିବା ବେଳେ ଖବର ପାଇ ପୁଲିସ ତାଙ୍କୁ ଥାନାକୁ ନେଇ ଏକ ମାମଲା ରୁଜୁ କରିଥିଲା। ପୁଲିସ ଚଢ଼ଉ କରି ଅଭିଯୁକ୍ତ ସଂଜୀବକୁ ବୁଧବାର ଦିନ ଗିରଫ କରିଛି। ସଂଜୀବ ବାଲେଶ୍ୱରରୁ ଉକ୍ତ ନାବାଳିକାଙ୍କୁ ନେଇ ଫେରିବା ବାଟରେ ଏକ ଏଟିଏମ୍‌ରୁ ଟଙ୍କା ଉଠାଇଥିଲା। ନାବାଳିକାଙ୍କ ବୟାନ ଓ ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ପ୍ରକାଶଥାଉକି, ଅଭିଯୁକ୍ତ ସଂଜୀବ ବିବାହିତ ଓ ତା’ର ଗୋଟିଏ ପୁଅ ମଧ୍ୟ ଅଛି। ଏଥିପୂର୍ବରୁ ସେ ମୟୂରଭଞ୍ଜର ମୋରଡ଼ା ଥାନା ଅଞ୍ଚଳରେ ଏଭଳି ଦୁଷ୍କର୍ମ କରି ୭ ବର୍ଷ ଜେଲ ଦଣ୍ଡାଦେଶ ପାଇଥିଲା। ଏବେ ସେ ଜାମିନରେ ଆସି ପୁଣି ଏଭଳି କାଣ୍ଡ ଭିଆଇଛି।

ସମ୍ବନ୍ଧିତ ଖବର