ଯୁବକଙ୍କୁ ଅମାନୁଷିକ ଭାବେ ଗୁପ୍ତାଙ୍ଗ କାଟି ହତ୍ୟା ଘଟଣା : ସନ୍ଦେହରୁ ରକ୍ତମୁଖା ହେଲା ପୁଅ

୨୪ ଘଣ୍ଟା ଭିତରେ ହତ୍ୟାକାରୀ ଗିରଫ

ନୀଳଗିରି : ଗତ ୯ ତାରିଖ ରାତିରେ ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧୀନ କେଶୁରା ଗ୍ରାମରେ ଜଣେ ଯୁବକଙ୍କୁ ଅମାନୁଷିକ ଭାବେ ଗୁପ୍ତାଙ୍ଗ କାଟି ହତ୍ୟା କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏହି ଘଟଣାର ୨୪ ଘଣ୍ଟା ଭିତରେ ନୀଳଗିରି ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ନିରଞ୍ଜନ ରାଉତଙ୍କ ପୁଅ ଗୌରୀଶଙ୍କର(୩୦) ବୋଲି ଜଣାପଡ଼ିଛି। ଆଜି ଏକ ପ୍ରେସ୍‌ମିଟ୍‌ ଜରିଆରେ ବାଲେଶ୍ବର ଏସ୍‌ପି ବି ଯୁଗୋଳ କିଶୋର ଏହି ଚର୍ଚ୍ଚିତ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛନ୍ତି।

ସୂଚନା ଅନୁଯାୟୀ, ନୀଳଗିରି ଥାନା ଅଧୀନ ଜାମୁଡିହା ପଞ୍ଚାୟତ କେଶୁରା ଗ୍ରାମର ଘନଶ୍ୟାମ ସିଂହଙ୍କ ପୁଅ ବିଜୟ ନୀଳଗିରି ମାନାପୁରମ ଗୋଲ୍ଡ ଲୋନ୍‌ କମ୍ପାନୀରେ ଗନ୍‌ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ। ଗତ ୯ ତାରିଖ ରାତିରେ ସେ ଡ୍ୟୁଟି ସାରି ଘରେ ଖାଇପିଇ ଶୋଇଥିଲେ। ସେହିଦିନ ବିଜୟଙ୍କ ସ୍ତ୍ରୀ ଓ ଝିଅ ତାଙ୍କ ବାପଘର ସଜନାଗଡ଼କୁ ଯାଇଥିଲେ। ତେବେ ବିଜୟ ଏକୁଟିଆ ଘରେ ଥିବାବେଳେ ଅଭିଯୁକ୍ତ ଗୌରୀଶଙ୍କରଙ୍କ ମା’ ପୂର୍ବଭଳି ରାତିରେ ତାଙ୍କ ଘରକୁ ଯାଇଥିଲେ। କିଛି ସମୟ ପରେ ବିଜୟଙ୍କ ଘରୁ ମା’ ଫେରୁଥିବାର ଦେଖି ଗୌରୀଶଙ୍କଙ୍କ ସନ୍ଦେହ ବଢ଼ିଯାଇଥିଲା। ରାତି ପ୍ରାୟ ୧୦ଟା ୩୦ରେ ଗୌରୀଶଙ୍କର ଭଙ୍ଗା ଟାଇଲ ଛପର ଦେଇ ଘର ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ବିଜୟ ନିଶାଶକ୍ତ ଅବସ୍ଥାରେ ଶୋଇଥିଲେ। ଗୌରୀଶଙ୍କର ଘର ଭିତରୁ ଏକ କଟୁରୀ ଓ ଭୁଜାଲି ଆଣି ବିଜୟଙ୍କ କାନ ମୂଳରେ ଏକ ଶକ୍ତ ଚୋଟ ମାରିଥିଲେ। ପରେ ଅତି ଅମାନୁଷିକ ଭାବେ ବିଜୟଙ୍କୁ ହାଣିଥିଲେ। ହତ୍ୟା କରିବା ପରେ କଟୁରୀ ଓ ଭୁଜାଲିକୁ ନିକଟସ୍ଥ ଗାଡ଼ିଆରେ ଫୋପାଡ଼ି ଦେଇଥିଲେ।

ଖବରପାଇ ଆଇଆଇସି ଲଳିତା ମୋଦି ଓ ଏସ୍‌ଡିପିଓ ସୁଦାମ ଚରଣ ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ୨ ପାପୁଲିର କଟାଚିହ୍ନକୁ ନେଇ ସନ୍ଦେହ ହେବାରୁ ପୁଲିସ୍‌ ଗୌରୀଶଙ୍କରଙ୍କୁ ଅଟକ ରଖିଥିଲେ। ପରେ, ସେ ନିଜ ଅପରାଧ ସ୍ବୀକାର କରିଥିବା ପୁଲିସ୍‌ କହିଛି। ପୁଲିସ ଥାନା କେଶ୍ ନମ୍ବର ୧୮୩/୧୯, ଦଫା ୪୫୯ ଓ ୩୦୨ ମୂଳେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ସନ୍ଦେହରେ ଅଟକ ଥିବା ମାନାପୁରମ ଗୋଲ୍ଡ ଲୋନ୍‌ କମ୍ପାନୀର ଜଣେ ଯୁବତୀ, ତିନିଜଣ କର୍ମଚାରୀ ଓ ସ୍ଥାନୀୟ ଯୁବକକୁ ପୁଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର